ନ୍ୟୁୟର୍କ,୦୬/୦୬: ଆଗାମୀ ବିଶ୍ୱକପ୍‌ ପାଇଁ ଫିଫା କିଛି ଛୋଟ ମୋଟ ନିୟମରେ ପରିବର୍ତ୍ତନ କରିଛି । ଏଣିକି କୌଣସି ମ୍ୟାଚ ପୂର୍ବରୁ  ଜାତୀୟ ସଙ୍ଗୀତ ଗାନ ବେଳେ ଉଭୟ ଦଳର ସମସ୍ତ ଖେଳାଳି ଏକ ସଙ୍ଗେ  ଗ୍ରାଉଣ୍ଡ୍‌ରେ ଏକତ୍ରିତ ହେବେ ବୋଲି ଫିଫା ନିଷ୍ପତ୍ତି ନେଇଛି । ପୂର୍ବରୁ  ଜାତୀୟ ସଙ୍ଗୀତ ଗାନ ସମୟରେ ଉଭୟ ଦଳର ଚୂଡ଼ାନ୍ତ ଏକାଦଶରେ ରହିଥିବା ଖେଳାଳିମାନେ କେବଳ ଗ୍ରାଉଣ୍ଡ ଭିତରେ ପ୍ରବେଶ କରି ଜାତୀୟ  ସଙ୍ଗୀତ ଗାନରେ ସାମିଲ ହେଉଥିଲେ । ବାକି ଖେଳାଳି ଓ କୋଚିଂ  ସଦସ୍ୟମାନେ ଡଗ୍‌ ଆଉଟ୍‌ରେ ରହି ଜାତୀୟ ସଙ୍ଗୀତ ଗାନ କରୁଥିଲେ ।  

ଅଧିକ ପଢ଼ନ୍ତୁ :-  FIFA World Cup 2026 : ଚୂଡ଼ାନ୍ତ ତାଲିକା ଘୋଷଣା କଲା ଫିଫା, ୪୮ ଦଳର ୧୨୪୮ ଖେଳାଳି ଖେଳିବେ ବିଶ୍ୱକପ

ଜାତୀୟ ସଙ୍ଗୀତ ଗାନ ସମୟରେ ଉଭୟ ଦଳର ଚୂଡ଼ାନ୍ତ ଏକାଦଶରେ  ସ୍ଥାନ ପାଇଥିବା ଖେଳାଳି ଓ ରେଫରୀ ପାରମ୍ପରିକ ଭାବେ ଗୋଟିଏ  ସିଧା ଲାଇନ୍‌ରେ ଛିଡ଼ା ହେଉଥିଲେ । ମ୍ୟାଚ୍‌ ଅଫିସିଆଲମାନଙ୍କ ଆଡକୁ  ସାମ୍ନା କରି ଜାତୀୟ ସଙ୍ଗୀତ ଗାନ କରୁଥିଲେ । ପରେ ସମସ୍ତ ଖେଳାଳି  ପରସ୍ପର ସହ କରମର୍ଦ୍ଦନ କରି ମ୍ୟାଚ ପାଇଁ ନିଜ ନିଜ ସ୍ଥାନ ବାଛି  ନେଉଥିଲେ । ମାତ୍ର ଏଥର ବିଶ୍ୱକପ୍‌ରେ ଉଭୟ ଦଳର ଖେଳାଳିମାନେ  ଗ୍ରାଉଣ୍ଡର କେନ୍ଦ୍ରରେ ଗୋଲାକାର ଭାବେ ଏକତ୍ରିତ ହୋଇ ଜାତୀୟ ସଙ୍ଗୀତ  ଗାଇବେ । ଗ୍ରାଉଣ୍ଡର ଖାଲି ଭାଗକୁ ଉଭୟ ଦଳର ଜାତୀୟ ପତାକାରେ ପୂର୍ଣ୍ଣ  କରାଯିବ । ଷ୍ଟାଡ଼ିୟମ୍‌ରେ ଉପସ୍ଥିତ ଉଭୟ ଦଳର ସମର୍ଥକଙ୍କ ଉତ୍ସାହକୁ  ଦ୍ୱିଗୁଣା କରିବା ପାଇଁ ଫିଫା ଏଭଳି ନିଷ୍ପତ୍ତି ନେଇଛି ।