ନ୍ୟୁୟର୍କ, ୦୪/୦୬: ଆଗାମୀ ବିଶ୍ୱକପ୍ ପାଇଁ ଫିଫା ୪୮ଟି ଦେଶର ଚୂଡ଼ାନ୍ତ ଖେଳାଳି ତାଲିକା ଘୋଷଣା କରିଛି । ମୋଟ୍ ୧୨୪୮ ଜଣ ଖେଳାଳି ଏଥର ବିଶ୍ୱକପ୍ରେ ଭାଗ ନେବାକୁ ଯାଉଛନ୍ତି । ୪୮ଟି ଦେଶ ଖେଳିବେ ମୋଟ ୧୦୪ଟି ମ୍ୟାଚ । ପ୍ରଥମ ଥର ପାଇଁ ୩ଟି ଦେଶ କାନାଡ଼ା, ୟୁଏସଏ, ମେକ୍ସିକୋ ମିଳିତ ଭାବେ ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛନ୍ତି । ଚୂଡ଼ାନ୍ତ ୧୨୪୮ ଜଣ ଖେଳାଳିଙ୍କ ମଧ୍ୟରେ ୩୫୭ଜଣ ଖେଳାଳି ପୂର୍ବରୁ ବିଶ୍ୱକପ୍ ଖେଳି ସାରିଛନ୍ତି । ବାକି ୮୯୧ ଜଣ ଖେଳାଳି ପ୍ରଥମ କରି ବିଶ୍ୱକପ ସ୍ୱପ୍ନ ସାକାର କରିବେ । ଏଥର ବିଶ୍ୱକପ୍ରେ ୨୨ଜଣ ଖେଳାଳି ରହିଛନ୍ତି, ଯେଉଁମାନଙ୍କ ବୟସ ୨୦ ବର୍ଷରୁ କମ । ସେହିପରି ୪୦ରୁ ଊଦ୍ଧ୍ୱର୍ ୭ଜଣ ଖେଳାଳି ମଧ୍ୟ ଏଥର ବିଶ୍ୱକପ ଖେଳିବେ ।
- ୪୮ ଦେଶର ମୋଟ୍ ୧୨୪୮ ଜଣ ଖେଳାଳି ଏଥର ବିଶ୍ୱକପ୍ରେ ଭାଗ ନେବେ । ଏହି ସବୁ ଖେଳାଳି ୭୧ଟି ଦେଶରେ ରହିଥିବା ୪୪୯ଟି ଭିନ୍ନ ଭିନ୍ନ କ୍ଲବ୍ରେ ଖେଳୁଛନ୍ତି ।
- ଚେକ ଗଣରାଜ୍ୟ ଦଳରେ ସ୍ଲାଭିଆ ପ୍ରାଗ୍ କ୍ଲବ୍ରୁ ସର୍ବାଧିକ ୧୦ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସ୍ପେନ୍ ଦଳର ୮ ଜଣ ଖେଳାଳି ଏଫ୍ସି ବାର୍ସେଲୋନା ଓ ଇଜିପ୍ଟ ଦଳର ୮ ଜଣ ଖେଳାଳି ଅଲ୍ ଅହଲି କ୍ଲବ୍ରେ ଖେଳୁଛନ୍ତି । ଦକ୍ଷିଣ ଆଫ୍ରିକା ଦଳର ୮ ଜଣ ଖେଳାଳି ସନଡାଉନ୍ସ କ୍ଲବର ସଦସ୍ୟ ଥିବାବେଳେ ଜର୍ମାନୀ ଦଳର ୭ଜଣ ଖେଳାଳି ଏଫ୍ସି ବାୟର୍ନ ମ୍ୟୁନିକ୍ କ୍ଲବ୍ରୁ ଖେଳୁଛନ୍ତି । ବିଶ୍ୱ ଚାମ୍ପିଅନ ଆର୍ଜେଣ୍ଟିନା ଦଳରେ ରହିଥିବା ୮ଜଣ ଖେଳାଳି ଆଟଲେଟିକୋ ମାଦ୍ରିଦ ଦଳର ସଦସ୍ୟ । ସେହିପରି ଅଲ୍ ହିଲାଲ କ୍ଲବ୍ରୁ ୬ଜଣ ଖେଳାଳି ସାଉଦି ଆରବ ଦଳରେ ସ୍ଥାନ ପାଇଛନ୍ତି ।
- ଲିଓନେଲ ମେସି, କ୍ରିଷ୍ଟିଆନୋ ରୋନାଲ୍ଡୋ, ଗୁଇଲେର୍ମୋ ଓଚୋଆ ପ୍ରଥମ ୩ ଖେଳାଳି ଭାବେ ଷଷ୍ଠ ବିଶ୍ୱକପ୍ ଖେଳିବାକୁ ଯାଉଛନ୍ତି ।
- ମେକ୍ସିକୋର ଗିଲବର୍ଟୋ ମୋରା ଏଥର ବିଶ୍ୱକପ୍ର ସବୁଠୁ କନିଷ୍ଠ ଖେଳାଳି ସାବ୍ୟସ୍ତ ହେବେ । ୧୧ ତାରିଖରେ ମେକ୍ସିକୋ ପ୍ରଥମ ମ୍ୟାଚ ଖେଳିବା ଦିନ ତାଙ୍କ ବୟସ ୧୭ ବର୍ଷ ୨୪୦ ଦିନ ହୋଇଥିବ ।
- ସ୍କଟଲାଣ୍ଡର କ୍ରେଗ ଗର୍ଡନ ଏଥର ବିଶ୍ୱକପ୍ର ବୟୋଜ୍ୟେଷ୍ଠ ଖେଳାଳି ସାବ୍ୟସ୍ତ ହେବେ । ତାଙ୍କ ବୟସ ୪୩ ବର୍ଷ ୧୬୨ ଦିନ ।
- କେବଳ ଫ୍ରାନ୍ସରେ ଜନ୍ମିତ ସର୍ବାଧିକ ଖେଳାଳି ଏଥର ଫିଫା ବିଶ୍ୱକପ୍ରେ ଭାଗ ନେଉଛନ୍ତି । ବିଶ୍ୱକପ୍ରେ ପ୍ରତିନିଧିତ୍ୱ କରୁଥିବା ୪୮ଟି ଦେଶର ମୋଟ୍ ୧୨୪୮ ଜଣ ଖେଳାଳିଙ୍କ ମଧ୍ୟରୁ ୧୦୦ ଜଣ ଖେଳାଳି ଫ୍ରାନ୍ସରେ ଜନ୍ମ ଗ୍ରହଣ କରିଛନ୍ତି । ୭୫ଜଣ ଖେଳାଳି ଫ୍ରାନ୍ସ ଛାଡ଼ି ଅନ୍ୟ ଦେଶ ପକ୍ଷରୁ ଖେଳୁଛନ୍ତି । ଏମାନଙ୍କ ବ୍ୟତୀତ ଫ୍ରାନ୍ସ ଦଳର ୨୫ଜଣ ସଦସ୍ୟ ମଧ୍ୟ ରହିଛନ୍ତି ।
- ବିଶ୍ୱକପ୍ରେ ଭାଗ ନେବାକୁ ଯାଉଥିବା ମୋଟ୍ ୨୮୯ ଜଣ ଖେଳାଳି ନିଜ ଜନ୍ମିତ ଦେଶରୁ ପ୍ରତିନିଧିତ୍ୱ କରୁ ନାହାନ୍ତି ।
- ଘାନାର କୋଚ ନିଯୁକ୍ତ ଥିବା ପର୍ତ୍ତୁଗାଲ୍ର କାର୍ଲୋସ କ୍ୱିରୋଜ କ୍ରମାନ୍ୱୟରେ ପଞ୍ଚମ ବିଶ୍ୱକପ୍ରେ କୌଣସି ଦଳର ଦାୟିତ୍ୱ ନେଉଛନ୍ତି । ସେ ପୂର୍ବରୁ ୨୦୧୦ ବିଶ୍ୱକପ୍ରେ ପର୍ତ୍ତୁଗାଲ ଦଳର କୋଚ୍ ଥିଲେ । ଏହାପରେ ସେ ୨୦୧୪, ୨୦୧୮, ୨୦୨୨ ବିଶ୍ୱକପ୍ରେ ଇରାନ ଦଳର କୋଚ ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ପୂର୍ବରୁ କେବଳ ବୋରା ମିଲୁଟିନୋଭିକ୍ ୧୯୮୬ରୁ ୨୦୦୨ ବିଶ୍ୱକପ୍ରେ କୋଚ ଭାବେ କାର୍ଯ୍ୟ କରିଥିଲେ ।
ଅଧିକ ପଢ଼ନ୍ତୁ :- Virat kohali: ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା , ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ରୁ ବାଦ୍ ବିରାଟ କୋହଲି