ନୂଆଦିଲ୍ଲୀ,୦୪/୦୭; ଦାରିଦ୍ର‌୍ୟ ଅଭିଶାପ ନୁହେଁ, ବରଂ ଏହାକୁ ଯେଉଁମାନେ ଜୀବନରେ ଆହ୍ୱାନ ଭାବେ ଗ୍ରହଣ କରିଥାନ୍ତି ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଆନ୍ତି । ଚଳିତ ଫିଫା ବିଶ୍ୱକପ୍‌ର ବେଲଜିୟମ ଷ୍ଟ୍ରାଇକର ଲୋମେଲୁ ଲୁକାକୁ ଏହାର ବଡ଼ ଦୃଷ୍ଟାନ୍ତ । ପିଲା ଦିନ ତାଙ୍କର ଘୋର ଅଭାବ ମଧ୍ୟରେ ବିତିଥିଲା । ଦାରିଦ୍ର‌୍ୟର କଷାଘାତ ଲୁକାକୁଙ୍କୁ ବିଚଳିତ କରି ନଥିଲା ବରଂ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ନେଇ ଅଧିକ ପ୍ରେରିତ କରିଥିଲା । ଘରର ଆର୍ଥିକ ଦୁରବସ୍ଥା ଏଭଳି ଥିଲା ଯେ ମାତ୍ର ଛଅ ବର୍ଷର ପିଲାଟି ସେଦିନ ପ୍ରତିଜ୍ଞା ନେଇ ତା’ର ବାପାଙ୍କୁ କହିଥିଲା, ‘ବାପା, ମୁଁ ୧୬ ବର୍ଷ ବେଳକୁ ପେସାଦାର ଫୁଟବଲ ଖେଳାଳି ହେବି ।’ ସତକୁ ସତ ୧୬ ବର୍ଷ ହେବାକୁ ୧୧ ଦିନ ବାକି ଥାଏ, ବେଲଜିୟମର ଆଣ୍ଡରଲେଚ୍‌ଟ କ୍ଲବ୍‌ ସହ ସେ ଖେଳିବାକୁ ଚୁକ୍ତି କଲା । ଚୁକ୍ତି ପତ୍ର ଦେଖାଇ ମା’କୁ ସେ କହିଲା, ‘ଦେଖ ମା’, ମୁଁ ମୋର ପ୍ରତିଜ୍ଞା ପୂରଣ କରିଛି ।’ ସେଦିନର ସେଇ ପିଲା ଥିଲେ ବର୍ତ୍ତମାନ ବେଲଜିୟମ ଫୁଟବଲ ଦଳର ଘାତକ ଷ୍ଟ୍ରାଇକର ରୋମେଲୁ ଲୁକାକୁ ।

ଅନ୍ତେ୍ୱର୍ପରେ ୧୯୯୩ ମସିହାରେ ଲୁକାକୁଙ୍କର ଜନ୍ମ । ବାପା ରୋଜର ଲୁକାକୁ ମଧ୍ୟ ଫୁଟବଲ ଖେଳାଳି । ଜାଇରେ (ଆଧୁନିକ ଡିଆର୍‌ କଙ୍ଗୋ) ପାଇଁ ସେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ବାପା ଫୁଟବଲ ଖେଳାଳି ଥିଲେ ବି ଘରେ ଘୋର ଅଭାବ ଥିଲା । ଘରକୁ ପ୍ରତିଦିନ ଯେତିକି କ୍ଷୀର ଆସୁଥିଲା, ମାଆ ସେଥିରେ ପାଣି ମିଶାଇ ଦୁଇ ଦିନ ଚଳୁଥିଲେ । ଦୁଇ ପିଲାଙ୍କୁ ବଞ୍ଚାଇ ରଖିବା ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା । ଛୋଟ ହେଲେ ବି ଲୁକାକୁ ମା’ କାହିଁକି କ୍ଷୀରରେ ପାଣି ମିଶାଉଛନ୍ତି ଏବଂ ଅଳ୍ପ ପିଇବାକୁ ଦେଉଛନ୍ତି ସେନେଇ ପ୍ରଶ୍ନ କରୁନଥିଲେ । ସେ ବୁଝିପାରୁ ଥିଲେ ଘରର ଦୁରବସ୍ଥା ଏବଂ ମା’ ସେମାନଙ୍କ ପାଇଁ କେତେ କଷ୍ଟ କରୁଛନ୍ତି । ‘ଗରମ ପାଣି ନଥିବାରୁ ପ୍ରତିଦିନ ଗାଧୋଉ ନଥିଲି । ଷ୍ଟୋଭ୍‌ରେ ମାଆ କେଟଲିରେ ପାଣି ଗରମ କରୁଥିଲେ, ଉଷୁମ ପାଣି କପ୍‌ରେ ଆମ ମୁଣ୍ଡରେ ଢାଳୁଥିଲେ । ଧାର କରଜ କରି ଘର ଚଳୁଥିଲା । ଯେଉଁଦିନ ଯାହା ମିଳୁଥିଲା ସେଥିରେ ଦିନ ବିତି ଯାଉଥିଲା ବୋଲି ଲୁକାକୁ କହିଛନ୍ତି ।

​​​​​​​

ଏହା ବି ପଢନ୍ତୁ...World Cup 2026: ବିବଶ ବାପାର ବିଜୟ ଚିତ୍କାର, ପୁଅର ଚିକିତ୍ସା ପାଇଁ ବିକିଥିଲେ ଜର୍ସି ଆଜି ପେନାଲ୍ଟି ହିରୋ...

ବାପା ଫୁଟବଲ ଖେଳୁଥିବାରୁ ପିଲା ଦିନରୁ ଏହି ଖେଳ ପ୍ରତି ତାଙ୍କର ବେଶ ଆଗ୍ରହ ରହିଥିଲା । ମାତ୍ର ଛଅ ବର୍ଷ ବୟସରେ ସେ ଘରର ଅଭାବ ଦୂର କରିବା ପାଇଁ ପେସାଦାର ଖେଳାଳି ହେବାକୁ ପଣ ଖାଇଥିଲେ । ବାପାଙ୍କୁ ବି ସେ ନିଜର ପ୍ରତିଜ୍ଞା ସଂପର୍କରେ ଜଣାଇ ଦେଇଥିଲେ । ଖେଳ ଉପରେ ଲୁକାକୁଙ୍କର ଏତେ ଧ୍ୟାନ ଥିଲା ଯେ ସେ ଆଉ କିଛି ବୁଝୁ ନଥିଲେ । ୧୯୯୯ ମସିହାରୁ ରୁପେଲ ବୁମ କ୍ଲବରୁ ତାଙ୍କର ପ୍ରାରମ୍ଭିକ କ୍ୟାରିୟର ଆରମ୍ଭ ହୋଇଥିଲା । ୧୨ ବର୍ଷ ବେଳକୁ ସେ ଜୁନିୟର ବର୍ଗରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । କ୍ଲବ୍‌ ଅଫ୍‌ ଲିଏର୍ସ ପକ୍ଷରୁ ୩୪ଟି ମ୍ୟାଚ ଖେଳି ୭୬ଟି ଗୋଲ୍‌ ଦେବାରେ ସଫଳ ହୋଇଥିଲେ । ୨୦୦୨ ବିଶ୍ୱକପ୍‌ ବେଳକୁ ତାଙ୍କ ଘରେ ଟିଭି ନଥିଲା । ସେ ସାଙ୍ଗ ଘରେ ବିଶ୍ୱକପ୍‌ ମ୍ୟାଚ ଦେଖିଥିଲେ । ସ୍କୁଲରେ ପଢ଼ୁଥିବା ସମୟରେ ଚାମ୍ପିଅନ୍ସ ଲିଗ ବିଷୟରେ ଶୁଣିଥିଲେ । ଏହି ଲିଗ ଖେଳିବା ନେଇ ତାଙ୍କ ମନରେ ପ୍ରବଳ ଆଗ୍ରହ ଜାତ ହୋଇଥିଲା ।

୧୬ ବର୍ଷ ବେଳକୁ ଲୁକାକୁ ବେଲଜିୟମ ୧୯ ବର୍ଷରୁ କମ୍‌ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିଲେ । ଦିନେ ସେ କୋଚ୍‌ଙ୍କୁ କହିଲେ, ‘ସାର! ଯଦି ମୋତେ ଖେଳାଇବେ ତେବେ ଆପଣଙ୍କୁ ଗ୍ୟାରେଣ୍ଟି ଦେଇ କହୁଛି, ଡିସେମ୍ବର ସୁଦ୍ଧା ୨୫ଟି ଗୋଲ୍‌ ସ୍କୋର କରିବି ।’ ଏମିତି ତାଙ୍କର ଫୁଟବଲ କ୍ୟାରିୟର ଆଗକୁ ବଢ଼ିଥିଲା । ‘ପିଲା ଦିନରୁ ଯେତେବେଳେ ଯେଉଁଠି ବି ଖେଳିଛି, ତାହାକୁ ଫାଇନାଲ ମ୍ୟାଚ ବୋଲି ଭାବି ନେଉଥିଲି । କାରଣ ମୋତେ ଶ୍ରେଷ୍ଠ ପ୍ରଦର୍ଶନ କରିବାର ଥିଲା ବୋଲି ଲୁକାକୁ କହିଛନ୍ତି । ମାତ୍ର ୧୬ ବର୍ଷ ବୟସରେ ସେ ଆଣ୍ଡରଲେଚ୍‌ଟ କ୍ଲବ୍‌ ସହ ଚୁକ୍ତି କରି ସିନିୟର ବର୍ଗରେ ଖେଳିଲେ । ସେ କହିଛନ୍ତି, ‘ବାପାଙ୍କୁ ଯେଉଁ କଥା ଦେଇଥିଲି ତାହା ୧୬ ବର୍ଷ ବୟସରେ କରି ଦେଖାଇଛି । ସେଦିନ ମା’ଙ୍କୁ କହିଥିଲି, ମୁଁ କରିଥିବା ପ୍ରତିଜ୍ଞା ୧୧ ଦିନ ପୂର୍ବରୁ ପୂରଣ କରିଛି ।’ ପରବର୍ତ୍ତୀ ସମୟରେ ଲୁକାକୁ ଚେଲସି, ଏଭରଟନ, ମାଞ୍ଚେଷ୍ଟର ୟୁନାଇଟେଡ୍‌ ଏବଂ ଏବେ ନାପୋଲିରେ ଖେଳୁଛନ୍ତି । ମାତ୍ର ୧୭ ବର୍ଷ ବୟସରେ ‘ଦ ରେଡ୍‌ ଡେଭିଲ୍ସ’ (ବେଲଜିୟମ) ସିନିୟର ଦଳରେ ତାଙ୍କୁ ସୁଯୋଗ ମିଳିଥିଲା । ସେ ଏ ପର୍ଯ୍ୟନ୍ତ ୧୩୦ଟି ମ୍ୟାଚ ଖେଳି ୯୨ଟି ଗୋଲ ସ୍କୋର କରି ସାରିଲେଣି । ସେ ବେଲଜିୟମ ପକ୍ଷରୁ ସର୍ବାଧିକ ଗୋଲ ସ୍କୋର କରିଛନ୍ତି । ଲୁକାକୁଙ୍କ ସାନ ଭାଇ ଜୋର୍ଡାନ ମଧ୍ୟ ଜଣେ ଅନ୍ତର୍ଜାତୀୟ ଖେଳାଳି । ସେ ବେଲଜିୟମ ପକ୍ଷରୁ ୮ଟି ମ୍ୟାଚ ଖେଳିଛନ୍ତି ।

​​​​​​​

ବିଶ୍ୱକପ୍‌ରେ ଯାତ୍ରା ୨୦୧୪ ବ୍ରାଜିଲ ବିଶ୍ୱକପ୍‌ରେ ଲୁକାକୁ ପଦାର୍ପଣ କରିଥିଲେ । ଏହି ବିଶ୍ୱକପ୍‌ରେ ସେ ୪ଟି ମ୍ୟାଚ ଖେଳି ଗୋଟିଏ ଗୋଲ ଦେଇଥିଲେ । ଦଳ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲା । ୨୦୧୮ ବିଶ୍ୱକପ୍‌ରେ ଦଳକୁ ବିଶ୍ୱକପ୍‌ରେ ପ୍ରଥମ ଥର ବ୍ରୋଞ୍ଜ ଜିତାଇବାରେ ଲୁକାକୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସେ ୬ଟି ମ୍ୟାଚ ଖେଳି ୪ଟି ଗୋଲ୍‌ ଦେବାରେ ସଫଳ ହୋଇଥିଲେ । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ବ୍ରୋଞ୍ଜ ବୁଟ ପୁରସ୍କାର ମିଳିଥିଲା ।  ୨୦୨୨ ସଂସ୍କରଣରେ ଲୁକାକୁ ୨ଟି ମ୍ୟାଚ ଖେଳିଥିଲେ । ଦଳ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ଏଥର ସେ ୪ଟି ମ୍ୟାଚରୁ ୨ଟି ଗୋଲ ଦେଇଛନ୍ତି । ବେଲଜିୟମ ଆସନ୍ତା ୬ ତାରିଖରେ କ୍ୱାର୍ଟର ଫାଇନାଲରେ ଆମେରିକାକୁ ଭେଟିବ । ୩୩ ବର୍ଷୀୟ ରେଡ୍‌ ଡେଭିଲ୍ସ ଷ୍ଟ୍ରାଇକର ଲୁକାକୁଙ୍କର ଏହା କ୍ୟାରିୟରର ଚତୁର୍ଥ ବିଶ୍ୱକପ୍‌ । ଏ ପର୍ଯ୍ୟନ୍ତ ସେ ୧୫ଟି ମ୍ୟାଚ ଖେଳି ୭ଟି ଗୋଲ୍‌ ଦେଇ ବେଲଜିୟମ ପକ୍ଷରୁ ସର୍ବକାଳୀନ ଶ୍ରେଷ୍ଠ ଗୋଲ ସ୍କୋରର ହେବାର ଗୌରବ ଲାଭ କରିଛନ୍ତି ।