ଭୁବନଶ୍ୱର,୦୪/୦୭: ୬ ତାରିଖରେ ପୁରୀ-କୋରାପୁଟ ଟ୍ରେନ ଓ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦିନିକିଆ ଓଡ଼ିଶା ଗସ୍ତରେ ଆସି ଶ୍ରୀ ବୈଷ୍ଣବ ସକାଳ ୯ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ପୂର୍ବତଟ ରେଳପଥ ମୁଖ୍ୟାଳୟରେ ପହଞ୍ଚି ଦିନ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ରାଜ୍ୟରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା କରିବେ। ପରେ ସଡ଼କ ପଥରେ ପୁରୀରେ ପହଞ୍ଚି ରଥଯାତ୍ରା ପାଇଁ ରେଳ ବିଭାଗ ପ୍ରସ୍ତୁତି ଯାଞ୍ଚ କରିବେ ।

ଅଧିକ ପଢ଼ନ୍ତୁ :-   Donation fund loot : କେଦାରନାଥ, ବଦ୍ରୀନାଥରେ ଦାନ ଅର୍ଥ ହେରଫେର, ତଦନ୍ତ ପାଇଁ କମିଟି ଗଠିତ

ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପୁରୀ ରେଳ ଷ୍ଟେସନରୁ ପୁରୀ-କୋରାପୁଟ ଟ୍ରେନର ଶୁଭାରମ୍ଭ କରିବେ । ପୁରୀ ଛାଡ଼ିବା ପରେ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର, ଅନୁଗୁଳ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କେସିଙ୍ଗା, ରାୟଗଡ଼ା ପ୍ରମୁଖ ୨୩ଟି ଷ୍ଟେସନରେ ଏହି ଟ୍ରେନ୍ ରହିବ ।ପୁରୀରୁ ରେଳମନ୍ତ୍ରୀ ଟ୍ରେନରେ ବ୍ରହ୍ମପୁର ରେଳ ଷ୍ଟେସନ ଯିବେ । ସେଠାରେ ଅପରାହ୍ନ ୪ଟା ୩୦ରେ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଯାହା ବ୍ରହ୍ମପୁର ଓ ଉଧନା ମଧ୍ୟରେ ପଲାସା, ଶ୍ରୀକାକୁଲମ ରୋଡ୍, ବିଜୟନଗରମ, ବବିଲି, ପ୍ରଭାତୀପୁରମ, ରାୟଗଡ଼ା, ମୁନିଗୁଡ଼ା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ୍, ମହାସମୁନ୍ଦ, ଲାଖୋଲି, ରାୟପୁର, ଦୁର୍ଗ, ନାଗପୁର, ୱାର୍ଦ୍ଧା ପ୍ରମୁଖ ୩୫ଟି ଷ୍ଟେସନରେ ରହିବ ।