ନୂଆଦିଲ୍ଲୀ,୦୩/୦୭; ୨ ବର୍ଷ ତଳେ ଯେଉଁ ଖେଳାଳି ଅସୁସ୍ଥ ପୁତ୍ରକୁ ବଞ୍ଚାଇବା ପାଇଁ ଜର୍ସି, ଜୋତା ଓ ସବୁ କ୍ରୀଡ଼ା ଉପକରଣ ବିକ୍ରି କରି ଦେଇଥିଲା, ଆଜି ସେହି ଖେଳାଳି ନିଜର ଯାଦୁକରୀ ଗୋଲ କିପିଙ୍ଗ ବଳରେ ପାରାଗୁଏର ଭାଗ୍ୟ ବଦଳାଇ ଦେଇଛି । ଜର୍ମାନୀ ବିପକ୍ଷରେ ୨ଟି ପେନାଲ୍ଟି (ସୁଟ ଆଉଟ୍) ଅଟକାଇ ସେ ସାଜିଛି ମହାନାୟକ । ଯେତେବେଳେ ଜଣେ ଯୋଦ୍ଧା ସବୁ ହରାଇ ମଧ୍ୟ ଲଢ଼ିବା ଛାଡ଼େ ନାହିଁ, ସେତେବେଳେ ଇତିହାସ ତା’ ବୀରତ୍ୱର ଗାଥା ଲେଖେ । ପାରାଗୁଏ ଗୋଲ୍ କିପର ଓର୍ଲାଣ୍ଡୋ ଗିଲ୍ଙ୍କ କ୍ଷେତ୍ରରେ ଠିକ୍ ଏଭଳି ଘଟଣା ଘଟିଛି । ଜର୍ମାନୀର ପେନାଲ୍ଟି ଅଟକାଇ ଚର୍ଚ୍ଚାକୁ ଆସିଲେ । ୟୁଏସଏ ବିପକ୍ଷ ପରାଜୟ ପରେ ହୋଇଥିଲା ସମାଲୋଚନା । ‘ମୂକ’ ନାମ ଦେଇଥିଲେ ପୂର୍ବତନ ଖେଳାଳି ।

୨୦୧୮ରେ କ୍ଲବ ଫୁଟବଲ୍ ଖେଳୁଥିବା ଓର୍ଲାଣ୍ଡୋ ଦେଶ ପାଇଁ ଆଉ ଥରେ ଖେଳିବାର ଆଶା ହରାଇ ସାରିଥିଲେ । ଏପରିକି ୨୦୨୫ ପର୍ଯ୍ୟନ୍ତ ସେ ନିଜ କ୍ଲବ୍ ‘ସାନ ଲରେଞ୍ଜୋ ଡି ଆଲମାଗ୍ରୋ’ର ପ୍ରଥମ ପସନ୍ଦ ଗୋଲ୍ କିପର ନଥିଲେ । ସେ ଥିଲେ ରିଜର୍ଭ ଦଳର ସଦସ୍ୟ । ଦୀର୍ଘ ଦିନ ଧରି ସଂଘର୍ଷ ଓ ଆର୍ଥିକ ସଂକଟ ମଧ୍ୟରେ ଜୀବନ ବିତାଉଥିବା ଓର୍ଲାଣ୍ଡୋ ଚଳିତ ଫିଫା ବିଶ୍ୱକପ୍ରେ ଜର୍ମାନୀ ବିପକ୍ଷ ବିଜୟ ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଓର୍ଲାଣ୍ଡୋ ଏକଦା ନିଜ ଦେଶରେ ଅଲୋଡ଼ା ହୋଇ ଯାଇଥିଲେ । ୨୦୨୩ ପର୍ଯ୍ୟନ୍ତ ସେ ପାରାଗୁଏରେ ଦ୍ୱିତୀୟ ଡିଭିଜନ ଲିଗ୍ ଖେଳୁଥିଲେ । ନିଜ ଦେଶରେ ସୁଯୋଗ ନପାଇ ୨୦୨୪ରେ ସେ ବାଧ୍ୟ ହୋଇ କ୍ୟାରିୟର ଗଢ଼ିବା ଲକ୍ଷ୍ୟରେ ଆର୍ଜେଣ୍ଟିନାରେ ପହଞ୍ଚିଥିଲେ । କ୍ୟାରିୟରକୁ ନେଇ ଚାଲିଥିବା ସଂଘର୍ଷ ମଧ୍ୟରେ ଆର୍ଥିକ ସଂକଟ ଘନେଇ ଚାଲିଥିଲା । ଏପରିକି ପରିବାର ସଦସ୍ୟଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହେଉଥିଲା । ଏପଟେ କ୍ଲବ୍ କ୍ୟାରିୟର ମଧ୍ୟ ଆଗେଇ ପାରୁ ନଥିଲା ।

ଏହା ବି ପଢନ୍ତୁ...IND vs ENG 2t20: ସଞ୍ଜୁଙ୍କ ପାଇଁ ଶେଷ ସୁଯୋଗ...ଫ୍ଲପ୍ ହେଲେ ବୈଭବଙ୍କର ହେବ ଡେବ୍ୟୁ, ଦ୍ୱିତୀୟ ଟି-ଟ୍ୱେଣ୍ଟି ଏମିତି ରହିଛି ପ୍ଲେଇଂ ୧୧

 

୨୦୨୨ରେ ଓର୍ଲାଣ୍ଡୋଙ୍କ ଏକ ପୁତ୍ର (ଲୌଟରୋ) ସନ୍ତାନ ଜନ୍ମ ନେଇଥିଲା । ଜନ୍ମରୁ ଅସୁସ୍ଥ ଥିବା ପୁତ୍ରର ଚିକିତ୍ସା ପାଇଁ ଅର୍ଥ ନଥିବାରୁ ସେ ବାଧ୍ୟ ହୋଇ ନିଜ ଜର୍ସି, ଗ୍ଲୋଭ ଓ ଅନ୍ୟାନ୍ୟ କ୍ରୀଡ଼ା ଉପକରଣ ସବୁ ବିକ୍ରି କରି ଦେଇଥିଲେ । ଏପରିକି ୨୦୧୯ରେ ଅନୁଷ୍ଠିତ ୨୦ବର୍ଷରୁ କମ୍ କୋପା ଆମେରିକା କପ୍ରେ ସେ ପିନ୍ଧିଥିବା ପାରାଗୁଏ ଜର୍ସିକୁ ମଧ୍ୟ ସେ ବିକି ଦେଇଥିଲେ । ସମୟ ବଦଳିଲା । ଦୁଃଖରେ ପଡ଼ିଲା ପୂର୍ଣ୍ଣଛେଦ । ଆର୍ଜେଣ୍ଟିନାର ପାୱାର ହାଉସ କୁହାଯାଉଥିବା ସାନ ଲରେଞ୍ଜୋ କ୍ଲବ୍ ପ୍ରାଥମିକ ୪ ଗୋଲ୍ କିପର ଭାବେ କିଲୋର ନାଭାସଙ୍କୁ ଚୁକ୍ତି କରିବାରେ ବିଫଳ ହେବା ପରେ ମ୍ୟାନେଜର ମିଗ୍ୱେଲ ରୁସୋ ବାଧ୍ୟ ହୋଇ ଓର୍ଲାଣ୍ଡୋଙ୍କୁ ସିନିୟର ଡିଭିଜନରେ ଖେଳାଇବାକୁ ମନସ୍ଥ କରିଥିଲେ । ସୁଯୋଗ ହାତଛଡ଼ା କରି ନଥିଲେ ଓର୍ଲାଣ୍ଡୋ । ଜୀବନକୁ ବାଜିରେ ଲଗାଇବା ଭଳି ଗୋଲ୍ କିପିଙ୍ଗ କରି ମ୍ୟାନେଜରଙ୍କ ଭରସା ଜିତିଥିଲେ । କ୍ଲବ ପ୍ରଦର୍ଶନ ବଳରେ ସେ ପାରାଗୁଏ ଦଳରେ ସ୍ଥାନ ପାଇଥିଲେ । ଯୋଗ୍ୟତା ପର୍ଯ୍ୟାୟରେ ତାଙ୍କ ପ୍ରଦର୍ଶନ ବଳରେ ପାରାଗୁଏ ବିଶ୍ୱକପ ଟିକେଟ୍ ହାସଲ କରିଥିଲା ।