ଏଫ୍ଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସ: ଆଜି ଭାରତ-ଜାପାନ୍ ଫାଇନାଲ୍

ହିରୋସୀମା,୨୨ା୬(ଏଜେନ୍ସି): ଅପରାଜେୟ ଭାରତ ଚମତ୍କାର ବିଜୟ ସହ ଚଳିତ ଏଫ୍ଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସର ଫାଇନାଲ୍ରେ ପ୍ରବେଶ କରିଛି । ଦଳ ଆସନ୍ତାକାଲି ଫାଇନାଲ୍ରେ ଜାପାନ୍କୁ ଭେଟିବ । ଶନିବାର ଅନୁଷ୍ଠିତ ସେମି ଫାଇନାଲ୍ରେ ଭାରତୀୟ ଦଳ ୪-୨ ଗୋଲରେ ଚିଲିକୁ ପରାସ୍ତ କରିଥିଲା । ଦ୍ୱିତୀୟ ସେମିରେ ଜାପାନ୍ ୧-୧(୩-୧) ଗୋଲରେ ରୁଷିଆକୁ ହରାଇଥିଲା । ଏହି ବିଜୟ ସହ ଉଭୟ ଭାରତ ଓ ଜାପାନ୍ ଆଗାମୀ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପକ୍କା କରିଛନ୍ତି ।
ପ୍ରଥମ କ୍ୱାର୍ଟର: ମ୍ୟାଚ୍ ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଖେଳିଥିଲେ । ଘନ ଘନ ଆକ୍ରମଣ କରି ସୁଯୋଗ ସୃଷ୍ଟି କରିଥିଲେ । ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ପ୍ରଥମ ୧୫ ମିନିଟ୍ରେ କେହି କାହାକୁ ଗୋଲ୍ ଦେଇ ପାରିନଥିଲେ । ଉଭୟ ଦଳ ଗୋଟିଏ ଲେଖାଏଁ ପେନାଲ୍ଟି କର୍ଣ୍ଣର ସୃଷ୍ଟି କରିଥିଲେ ହେଁ ଏହାକୁ ଗୋଲ୍ର ରୂପ ଦେଇପାରିନଥିଲେ ।
ଦ୍ୱିତୀୟ କ୍ୱାର୍ଟର: ସମୟ ଆଗେଇବା ସହ ରୋମାଞ୍ଚ ବୃଦ୍ଧି ପାଇଥିଲା । ୧୮ତମ ମିନିଟ୍ରେ ଚିଲି ଅଗ୍ରଣୀ ହାସଲ କରିଥିଲା । ଦଳ ପକ୍ଷରୁ କାରୋଲିନା ଗାର୍ସିଆ ଏକ ଫିଲ୍ଡଗୋଲ କରିଥିଲେ । ଏହାର ୪ ମିନିଟ୍ ପରେ ଭାରତ ମ୍ୟାଚ୍କୁ ଫେରିଥିଲା । ୨୨ତମ ମିନିଟ୍ରେ ଗୁରଜିତ୍ କୌର ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତି ବରାବର କରିଥିଲେ । ଇତିମଧ୍ୟରେ ପ୍ରଥମାର୍ଦ୍ଧ ୧-୧ରେ ଶେଷ ହୋଇଥିଲା ।
ତୃତୀୟ କ୍ୱାର୍ଟର: ଭାରତ ପ୍ରଭାବ ବିସ୍ତାର କରି ଖେଳିଥିଲା । ୩୧ତମ ମିନିଟ୍ରେ ଦଳ ଅଗ୍ରଣୀ ହାସଲ କରିଥିଲା । ନଭନୀତ୍ କୌର ଏକ ଚମତ୍କାର ଫିଲ୍ଡଗୋଲ କରିଥିଲେ । ୩୭ତମ ମିନିଟ୍ରେ ଦଳ ତୃତୀୟ ଗୋଲ କରିଥିଲା । ଗୁର୍ଜିତ୍ ବ୍ୟକ୍ତଗତ ଦ୍ୱିତୀୟ ଗୋଲ କରି ଦଳର ସ୍ଥିତି ମଝବୁତ୍ କରିଥିଲେ । ୪୩ତମ ମିନିଟ୍ରେ ଚିଲି ଦ୍ୱିତୀୟ ଗୋଲ କରିଥିଲା । ମାନୁଏଲା ଉରୋଜୋ ଏକ ଫିଲ୍ଡ ଗୋଲ କରିଥିଲେ । ଇତିମଧ୍ୟରେ ତୃତୀୟ କ୍ୱାର୍ଟର ଖେଳ ଶେଷ ହୋଇଥିଲା । ଭାରତ ୩-୨ରେ ଆଗୁଆ ରହିଥିଲା ।
ଚତୁର୍ଥ କ୍ୱାର୍ଟର: ଅନ୍ତିମ କ୍ୱାର୍ଟର ଭାରତ ନିୟନ୍ତରଣରେ ରହିଥିଲା । ଛୋଟ ଛୋଟ ପାସ ବିନିମୟରେ ଦଳ ସୁଯୋଗ ସୃଷ୍ଟି କରିଥିଲା । ୨ଟି ପେନାଲ୍ଟି କର୍ଣ୍ଣର ହାତଛଡ଼ା କରିଥିଲେ ହେଁ ୫୭ତମ ମିନିଟ୍ରେ ଅଧିନାୟିକା ରାଣୀଙ୍କ ଚମତ୍କାରିତା ଦେଖିବାକୁ ମିଳିଥିଲା । ସେ ଏକ ଫିଲ୍ଡଗୋଲ କରିଥିଲେ । ଜୋରଦାର ପ୍ରୟାସ ସତ୍ତେ୍ୱ ଚିଲି ସୁଯୋଗ ଟିଏ ମଧ୍ୟ ସୃଷ୍ଟି କରିପାରିନଥିଲା । ଏଥିସହିତ ଭାରତ ୪-୨ ଗୋଲରେ ବିଜୟୀ ହୋଇ ଫାଇନାଲ୍ରେ ପ୍ରବେଶ କରିଥିଲା ।