ଚଳଚ୍ଚିତ୍ର ଅଭିନେତା ମନୋଜ ମିଶ୍ର ଅସୁସ୍ଥ

ଭୁବନେଶ୍ୱର,୧୯ା୧ (ବ୍ୟୁରୋ): ଚଳଚ୍ଚିତ୍ର ଅଭିନେତା ମନୋଜ ମିଶ୍ର ଅସୁସ୍ଥ । ସେ ସ୍ୱାଇନ୍ଫ୍ଲୁରେ ପୀଡ଼ିତ ହୋଇ ଦୀର୍ଘ ୨୦ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେ ଜାନୁଆରୀ ୨ତାରିଖରେ ହସ୍ପିଟାଲ୍ରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ । ୪ ତାରିଖରେ ଆଇସିୟୁକୁ ଯାଇଥିଲେ । ୬ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଆଜି ସେ ଆଇସିୟୁରୁ ବାହାରି ସାଧାରଣ ୱାର୍ଡକୁ ଆସିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ସେ ଏବେ ସୁସ୍ଥ ଅନୁଭବ କରିବା ସହ ଭଲ ଅଛନ୍ତି । ଆଉ କିଛି ଦିନ ହସ୍ପିଟାଲ୍ରେ ରହିବେ ବୋଲି ଜଣାପଡ଼ିଛି । ଯାହା ଫଳରେ ତାଙ୍କର ଅନେକ ସିନେମା ଅଧାର ଅଟକିବା ସହ ଶୁଟିଂ ହୋଇପାରୁନି । ସେ ଖୁବ୍ଶୀଘ୍ର ସୁସ୍ଥ ହୋଇ ଫେରିବାକୁ ସାଥୀ କଳାକାର ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଶ୍ରୀ ମିଶ୍ର ‘ପାଟଣାଗଡ଼’ ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି, ଯାହା ମୁକ୍ତିଲାଭ ଅପେକ୍ଷାରେ ରହିଛି । କେବଳ ଓଡ଼ିଆ ଫିଲ୍ମ ନୁହେଁ ଅନ୍ୟାନ୍ୟ ଭାଷାରେ ଏବଂ ବଲିଉଡରେ ଅନେକ ଫିଲ୍ମରେ କାମ କରିଛନ୍ତି ।