ଅହମ୍ମଦାବାଦ,୧୯/୧୧: ଦେଶରେ ଥମୁନି ର‌୍ୟାଗିଂ ମାମଲା ।  ଶନିବାର ଗୁଜରାଟ ପାଟନ ଜିଲ୍ଲା ଧାରପୁରସ୍ଥିତ ଜିଏମ୍‌ଇଆରଏସ୍‌ ମେଡିକାଲ  କଲେଜରେ ଏଥିଯୋଗୁ ପ୍ରଥମ ବର୍ଷର ଜଣେ ଏମ୍‌ବିବିଏସ୍‌ ଛାତ୍ରଙ୍କ ମୃତ୍ୟୁ ଘଟିଛି ।  ସିନିୟର ଛାତ୍ରମାନେ ପୀଡିତଙ୍କୁ ୩ ଘଣ୍ଟା ଧରି ଛିଡ଼ା କରାଇବାରୁ ସେ ବେହୋସ  ହୋଇଯାଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହି  ମାମଲାରେ ତାଙ୍କର ୧୫ ଜଣ ସିନିୟରଙ୍କ  ବିରୋଧରେ ଏଫଆଇଆର ରୁଜୁ କରାଯାଇଛି ।  ସେମାନଙ୍କୁ କଲେଜରୁ ସସ୍‌ପେଣ୍ଡ କରାଯିବା  ସହିତ କଲେଜରେ ତୁରନ୍ତ ର‌୍ୟାଗିଂ ନିରୋଧୀ  କମିଟିର ବୈଠକ ହୋଇଛି । ବୈଠକରେ ଜୁନିଅର  ଛାତ୍ରମାନଙ୍କର ବୟାନ ନିଆଯାଇଥିବାବେଳେ  ସେଥିରୁ ର‌୍ୟାଗିଂ ସଂପର୍କରେ ଖୁଲାସା ହୋଇଛି ।  

ପୁଲିସ ଅନୁସାରେ, ମୃତକ ହେଲେ ୧୮ ବର୍ଷୀୟ  ଅନୀଲ ମେଥାନିୟା । ସେ ସୁରେନ୍ଦ୍ରନଗର ଜିଲ୍ଲାର ବାସିନ୍ଦା ହୋଇଥିବାବେଳେ  ଚଳିତବର୍ଷ ଜିଏମ୍‌ଇଆରଏସ୍‌ ମେଡିକାଲ କଲେଜରେ ନାମ ଲେଖାଇଥିଲେ ।  ତେବେ ଶନିବାର ହଷ୍ଟେଲରେ ଦ୍ୱିତୀୟ ବର୍ଷର ସିନିୟରମାନେ ପରିଚୟ ଦେବା ଲାଗି  ତାଙ୍କୁ ୩ ଘଣ୍ଟା ଛିଡ଼ା କରାଇଥିଲେ । ଗୀତ ଗାଇବା ସହିତ ନାଚିବାକୁ ବାଧ୍ୟ କରିଥିଲେ ।  ସେଥିଯୋଗୁ ଅନୀଲ ବେହୋସ ହୋଇଯାଇଥିଲେ । ପୁଲିସ ଏ ସଂପର୍କରେ ସୂଚନା  ପାଇବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲା । ସେଠାରେ ବୟାନ ଦେବା ପରେ  ତାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ଭାଇ ଧର୍ମେନ୍ଦ୍ର ମେଥାନିୟା ତାଙ୍କ ପରିବାରକୁ  ନ୍ୟାୟ ମିଳିବା ପାଇଁ ଦାବି କରିଛନ୍ତି । ଜିଏମ୍‌ଇଆରଏସ୍‌ ମେଡିକାଲ କଲେଜର  ଡିନ୍‌ ହାର୍ଦ୍ଦିକ ଶାହ କହିଛନ୍ତି, ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।