ପାଟଣାଗଡ,୨୩/୦୫: ହୁତୁହୁତୁ ହୋଇ ଜଳିଗଲା ବାଇକ୍ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍ଏସି ଛକର ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ଘଟଣା ଘଟିଛି । ଯାହାକୁ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ । ତେବେ ଏହି ବାଇକ୍ଟି ବରଗଡ଼ ଜିଲ୍ଲାର ନମ୍ବର ପ୍ଲେଟ୍ ଥିବାବେଳେ ଏହା ଏକ ଲାଲ ରଙ୍ଗର ପସନ-ପ୍ଳସ୍ ବୋଲି ଜଣାପଡିଛି ।
ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଶୁକ୍ରବାର ସକାଳ ୯ଟା ୫୦ ମିନିଟ୍ ସମୟରେ ବ୍ରହ୍ମପୁର ପଟୁ ୨ଜଣ ଯୁବକ ଉକ୍ତ ବାଇକରେ ଆସିଥିଲେ । ବାଇକଟିକୁ ରାସ୍ତା କଡ଼ରେ ରଖି ନିକଟରେ ଥିବା ଏକ ଦୋକାନକୁ କିଛି ସଉଦା କିଣିବାକୁ ଯାଇଥିଲେ । ଠିକ୍ ଏହି ସମୟରେ ବାଇକଟି ହଠାତ୍ ହୁତୁ ହୁତୁ ହୋଇ ଜଲିବାକୁ ଲାଗିଥିଲା । ଏହା ଏକ ଜନଗହଳି ସ୍ଥାନ ହୋଇଥିବାରୁ କାଳେ ବାଇକର ପେଟ୍ରୋଲ ଟାଙ୍କି ଫାଟି ଯିବା ଭୟରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଏନେଇ ଖବର ପାଇ ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୁଝାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ଦମକଳବାହିନୀ ପହଞ୍ଚିବା ପୁର୍ବରୁ ବାଇକଟିରେ ଲାଗିଥିବା ନିଆଁ ଆପେ ଆପେ ଲିଭି ଯାଇଥିଲା । ଏଥିରେ କାହାର କିଛି କ୍ଷତି ହୋଇନଥିବା ବେଳେ ପୁଲିସ ପୋଡ଼ି ଯାଇଥିବା ବାଇକଟିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।