ଜଳିଗଲା ହୋଟେଲ, ୧୭ ମୃତ

ନୂଆଦିଲ୍ଲୀ,୧୨ ।୨(ଏଜେନ୍ସି): କେନ୍ଦ୍ରୀୟ ଦିଲ୍ଲୀର କାରୋଲବାଗ ଅନ୍ତର୍ଗତ ଗୁରୁଦ୍ୱାର ରୋଡ୍ରେ ଥିବା ହୋଟେଲ ଅର୍ପିତ ପ୍ୟାଲେସରେ ଆଜି ପ୍ରତ୍ୟୁଷରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୭ ଜଣଙ୍କର ମୃତ୍ୟୁ ଘଟିବା ସହ ୩୫ ଜଣ ଆହତ ହୋଇଛନ୍ତି । ଅନ୍ୟ ୩୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବାର ଆଶଙ୍କା କରାଯାଉଛି । ୨୪ଟି ଦମକଳ ପ୍ରାୟ ୪ ଘଣ୍ଟା ଧରି ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।
ଡିସିପି ମଧୁର ବର୍ମାଙ୍କ ସୂଚନା ଅନୁଯାୟୀ ଭୋର ପ୍ରାୟ ୪ଟାରେ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା । ୫ ମହଲା ବିଶିଷ୍ଟ ଏହି ହେଟେଲର ସବୁଠାରୁ ଉପର ମହଲାରେ ପ୍ରଥମେ ନିଆଁ ଲାଗିବା ସହ ପରେ ତାହା ଚତୁର୍ଥ ମହଲାକୁ ବ୍ୟାପିଥିଲା । ଅଗ୍ନିକାଣ୍ଡ ବେଳେ ହୋଟେଲରେ ପ୍ରାୟ ୧୨୦ରୁ ଅଧିକ ଲୋକ ଥିଲେ । ସେମାନେ ଶୋଇଥିଲେ । କିଛି ଲୋକ ଜୀବନ ବଞ୍ଚାଇବାକୁ ତଳକୁ ଡେଇଁ ପଡ଼ିଥିଲେ । ତଳକୁ ଡେଇଁ ଜଣେ ମହିଳା ଓ ଜଣେ ଶିଶୁ ପ୍ରାଣ ହରାଇଛନ୍ତି । ନିଆଁ ଓ ଧୂଆଁରେ ଶ୍ୱାସରୁଦ୍ଧ ଯୋଗୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ହୋଟେଲଟି ଗଳି ଭିତରେ ରହିଥିବାରୁ ସେଠାରେ ଅଗ୍ନିଶମ ଗାଡ଼ି ଓ କର୍ମଚାରୀମାନେ ପହଞ୍ଚିବାରେ ସମସ୍ୟା ହୋଇଥିଲା । ବହୁ କଷ୍ଟରେ ଅଗ୍ନିଶମ କର୍ମଚାରୀମାନେ ଜଳନ୍ତା ହୋଟେଲରୁ ୩୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଆହତମାନଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାଖାପାଖି ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ସକାଳ ୮ଟା ବେଳକୁ ନିଆଁକୁ ଆୟତ୍ତ କରିଥିଲେ । ମୃତଦେହ ମଧ୍ୟରୁ ୧୩ଟିକୁ ବ୍ୟବଚ୍ଛେଦ ନିମନ୍ତେ ରାମ ମନୋହର ଲୋହିଆ ହସ୍ପିଟାଲ ଏବଂ ଅନ୍ୟ ୪ଟିକୁ ଲେଡି ହାର୍ଡିଂ ଓ ବିଏଲ୍କେ ହସ୍ପିଟାଲକୁ ନିଆଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅଗ୍ନିକାଣ୍ଡର ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କେ.ଜେ ଆଲଫୋନ୍ସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ହୋଟେଲର ନିରାପତ୍ତା ବ୍ୟବସ୍ଥା ଠିକ୍ ନଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ହୋଟେଲର ପ୍ରସ୍ଥାନ ପଥ ଅତି ସଂକୀର୍ଣ୍ଣ । ଧାର୍ଯ୍ୟ ନୀତି ଅନୁସାରେ ତାହା ନିର୍ମାଣ ହୋଇନାହିଁ । ତା’ଛଡ଼ା ସବୁଦିନ ରାତିରେ ପ୍ରସ୍ଥାନ ପଥ ବନ୍ଦ ରୁହେ । ନିଆଁ ଲାଗିଥିଲା ବେଳେ ମଧ୍ୟ ବନ୍ଦ ଥିଲା । ଫଳରେ ଭିତରେ ରହିଥିବା ଲୋକମାନେ ବାହାରକୁ ବାହାରି ପାରିଲେ ନାହିଁ । ଇତିମଧ୍ୟରେ ଏହି ଅଗ୍ନିକାଣ୍ଡ ଦୃଷ୍ଟିରୁ ଦିଲ୍ଲୀର ଆପ୍ ସରକାର ଚତୁର୍ଥ ବର୍ଷ ପୂର୍ତ୍ତି ଉତ୍ସବ ବାତିଲ କରିଛନ୍ତି । ଆଜି ସନ୍ଧ୍ୟା ୬ଟାରେ ଆଇଜିଆଇ ଷ୍ଟାଡିୟମରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ଉତ୍ସବ ପାଳନ ପାଇଁ ପରେ ନୂଆ ତାରିଖ ଧାର୍ଯ୍ୟ କରାଯିବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ।