PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ରାଉରକେଲା,୨୧ା୧(ବ୍ୟୁରୋ): ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍‌ର ଗୋଟିଏ କୋଚ୍‌ରେ ହଠାତ ଧୂଆଁ ବାହାରିଥିଲା । ଝାଡ଼ଖଣ୍ଡର ଚକ୍ରଧରପୁରରୁ ଉକ୍ତ କୋଚ୍‌ରେ ପୋଡ଼ା ଗନ୍ଧ ବାହାରିଥିଲା । ରାଉରକେଲା ରେଳ ଷ୍ଟେସନ ପହଞ୍ଚିବାକୁ ଆଉ ୧୦ କିଲୋମିଟର ବାକି ଥିବା ବେଳେ ସେହି କୋଚ୍‌ର ପ୍ୟାନେଲ ବୋର୍ଡରୁ ହଠାତ ନିଆଁ ବାହାରିବା ସହ ଅତ୍ୟଧିକ ଧୂଆଁରେ ଯାତ୍ରୀମାନେ ଅଣନିଃଶ୍ୱାସୀ ହୋଇ ପଡ଼ିଥିଲେ । ରାଉରକେଲାରେ ଟ୍ରେନ୍‌ ପହଞ୍ଚିବା ପରେ ଉକ୍ତ ପ୍ୟାନେଲ ବୋର୍ଡର ମରାମତି କରାଯାଇଥିଲା ଏବଂ ଦୁଇ ଘଣ୍ଟା ବିଳମ୍ବରେ ପୁଣି ଥରେ ଟ୍ରେନ୍‌ଟି ଗନ୍ତବ୍ୟ ସ୍ଥଳକୁ ବାହାରିଥିଲା ।
ନୂଆଦିଲ୍ଲୀରୁ ଭୁବନେଶ୍ୱର ଯାଉଥିବା ରାଜଧାନୀ ଏକ୍ସପ୍ରେସର କୋଚ୍‌ ନଂ. ବି/୭ର ପ୍ୟାନେଲ ବୋର୍ଡରୁ ପୋଡ଼ା ଗନ୍ଧ ବାହାରିଥିଲା । ଚକ୍ରଧରପୁର ରେଳ ଷ୍ଟେସନ୍‌ରେ ପ୍ୟାନେଲ ବୋର୍ଡକୁ ଟେକ୍ନିସିଆନମାନେ ମରାମତି କରିଥିଲେ । ପରେ ସେଠାରୁ ଟ୍ରେନ୍‌ଟି ରାଉରକେଲା ଅଭିମୁଖେ ଆସୁଥିଲା । ଏକ ଜଙ୍ଗଲିଆ ରାସ୍ତାରେ ଟ୍ରେନ୍‌ଟି ଯାଉଥିବା ବେଳେ ପୁଣି ଥରେ ସେହି ପ୍ୟାନେଲ ବୋର୍ଡରୁ ଧୂଆଁ ବାହାରିବା କ୍ଷଣି ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ । ଜଣେ ଯାତ୍ରୀ ଟ୍ରେନ୍‌ର ଆପତକାଳୀନ ଚେନ୍‌ ଟାଣି ଥିଲେ । ଫଳରେ ସେହି ସ୍ଥାନରେ ଟ୍ରେନ୍‌ଟି ଅଟକି ଯାଇଥିଲା । ଟ୍ରେନ୍‌ର ସୁରକ୍ଷା କର୍ମୀମାନେ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ଧୂଆଁକୁ ନିୟନ୍ତ୍ରଣ କରିବା ପରେ ଟେକ୍ନିସିଆନମାନେ ପୁଣି ଥରେ ମରାମତି କରିଥିଲେ । ରାଉରକେଲା ରେଳ ଷ୍ଟେସନ ପହଞ୍ଚିବାକୁ ପ୍ରାୟ ୧୦ କିଲୋମିଟର ବାକିଥିବା ବେଳେ ସେହି କୋଚ୍‌ର ପ୍ୟାନେଲ ବୋର୍ଡରେ ହଠାତ ବିସ୍ଫୋରଣ ହେବା ସହ ପ୍ରବଳ ଧୂଆଁ ବାହାରିବାରୁ ଯାତ୍ରୀମାନେ ଅଣନିଃଶ୍ୱାସୀ ହୋଇ କୋଚ୍‌ରୁ ବାହାରିବା ଲାଗି ଉଦ୍ୟମ କରିଥିଲେ । ମାତ୍ର ଟ୍ରେନ୍‌ ଚାଲୁଥିବାରୁ ଭୟଭୀତ ହୋଇଥିବା ଯାତ୍ରୀମାନେ ଚିତ୍କାର କରିଥିଲେ । ଅପରାହ୍ନ ୧.୧୫ ମିନିଟ୍‌ ସମୟରେ ରାଉରକେଲାରେ ଟ୍ରେନ୍‌ଟି ପହଞ୍ଚିବା କ୍ଷଣି ରେଳ ବିଭାଗ ଅଧିକାରୀ, ରେଳବାଇ ସୁରକ୍ଷା ବାହିନୀ, ଜିଆରପିର ଅଧିକାରୀ ଓ କର୍ମଚାରୀମାନେ ତୁରନ୍ତ ଟ୍ରେନ୍‌ ନିକଟକୁ ଯାଇ ଉକ୍ତ କୋଚ୍‌ରେ ଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରିଥିଲେ ।
ଏହା ପରେ ଟେକ୍ନିସିଆନମାନେ ପ୍ୟାନେଲ ବୋର୍ଡର ମରାମତି କରିଥିଲେ । ଉକ୍ତ ପ୍ୟାନେଲ ବୋର୍ଡକୁ ଠିକ ଭାବେ ମରାମତି କରାଯିବା ପରେ ଟ୍ରେନ୍‌ଟି ଅପରାହ୍ନ ୨ଟା ୧୦ ମିନିଟ୍‌ ସମୟରେ ରାଉରକେଲାରୁ ଛାଡ଼ିଥିଲା । ସେହି କୋଚ୍‌ରେ ଥିବା ୭୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୨ ଜଣଙ୍କୁ ବିଭିନ୍ନ କୋଚକୁ ସ୍ଥାନାନ୍ତର କରାଯାଇଥିଲା । ଟେକ୍ନିସିଆନ ସୁଶାନ୍ତ ହେମ୍ବ୍ରମ୍‌ଙ୍କ କହିବାନୁସାରେ ପ୍ୟାନେଲ ବୋର୍ଡ ଭିତରେ ମୂଷା ପଶି ଯାଇଥିବାରୁ ସର୍ଟସର୍କିଟ ହୋଇଥିଲା । ପୂର୍ବରୁ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ହେଲେ ଚଳନ୍ତା ଟ୍ରେନ୍‌ରେ ମରାମତି କରିବାକୁ ସେମାନେ ମନା କରି ଦେଇଥିଲେ । ଯଦି ପୂର୍ବରୁ ଏହାର ଠିକ ଭାବେ ମରାମତି କରାଯାଇଥାନ୍ତା ତାହା ହେଲେ ଯାତ୍ରୀମାନେ ହଇରାଣ ହରକତ କିମ୍ବା ଭୟଭୀତ ହୋଇନଥାନ୍ତେ । ଯାତ୍ରୀମାନଙ୍କ କହିବା ମୁତାବକ ଟ୍ରେନ୍‌ରେ ରାତିରୁ ମୂଷାମାନଙ୍କ ଉôପାତ ଦେଖିବାକୁ ମିଳିଥିଲା । ରେଳ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଏହି ଘଟଣା ଘଟିଛି ।