ବୀରମିତ୍ରପୁର, ୨୩/୭: ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ସ୍ଥିତ ତହସିଲ କାର୍ଯ୍ୟାଳୟ ଆଗରେ ଗୁଳି ମାଡ଼। ବାଇକରେ ଆସିଥିବା ୨ ଜଣ ଦୁର୍ବୃତ୍ତ ତହସିଲ ଆଗରେ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି।
ସୂଚନା ମୁତାବକ, ରାଉରକେଲାରୁ ଏକ କାର ଯୋଗେ ୩ ଜଣ ଯୁବକ କିଛି କାର୍ଯ୍ୟରେ ବୀରମିତ୍ରପୁର ତହସିଲ କାର୍ଯ୍ୟାଳୟକୁ ଆସିଥିଲେ। ସେମାନେ ତହସିଲ କାର୍ଯ୍ୟାଳୟ ପରିସରରେ କାର ରଖୁଥିବା ସମୟରେ ବାଇକରେ ୨ ଜଣ ଦୁର୍ବୃତ୍ତ ଆସି ଗୁଳି ଚଳାଇ ଚମ୍ପଟ ମାରିଥିଲେ। ତେବେ ୨ ଦୁର୍ବୃତ୍ତ କିଏ ଓ କଣ ପାଇଁ ସେମାନେ ଗୁଳି କଲେ ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୀରମିତ୍ରପୁରରୁ ରାଉରକେଲା ଯିବା ରାସ୍ତା ସହ ସୀମାବର୍ତ୍ତୀ ଅଞ୍ଚଳକୁ ପୁଲିସ ସିଲ୍ କରି ଦୁର୍ବୃତ୍ତଙ୍କୁ ଧରିବା ଲାଗି ଉଦ୍ୟମ ଚଳାଇଛି।