କୋଣାର୍କ,୬/୨ : ପୁରୀ- କୋଣାର୍କ ବେଳାମାର୍ଗ ପ୍ରସିଦ୍ଧ ଶୈବପୀଠ ବାବା ବାଲି କପିଳେଶ୍ବରଙ୍କ ଜାଗରଯାତ୍ରା ପାଇଁ ପ୍ରଥମ ସମନ୍ବୟ ବୈଠକ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉପ-ଜିଲ୍ଲାପାଳ ରାଜକିଶୋର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଗୋପ ଅତିରିକ୍ତ ତହସିଲଦାର ସତ୍ୟଜିତ ନାୟକ, ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, ରାମଚଣ୍ଡୀ ଥାନା ଆଇଆଇସି ବିଚିତ୍ରାନନ୍ଦ ପରିଡା, ତରୋକର ଗ୍ରାମ୍ୟ କମିଟି ସଭାପତି ଓ ସେବାୟତ ନିଯୋଗ ସଭାପତି ଦୁର୍ଯ୍ୟଧନ ଖଟୋଇ, ଗୋପାଳ ବେହେରା,ସମାଜସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

ବୈଠକରେ ନୀତି ନିର୍ଘଣ୍ଟ, ଆଲୋକୀକରଣ, ସ୍ବାସ୍ଥ୍ୟ ଶିବିର, ରାସ୍ତା ପାର୍ଶ୍ବ ପରିଷ୍କାର ପରିଚ୍ଛନ୍ନତା, ଶାନ୍ତି ଶୃଙ୍ଖଳା, ୨୪ ଘଣ୍ଟା ଜଳ ଯୋଗାଣ, ଅଗ୍ନି ନିରାପତ୍ତା, ପାର୍କିଂ ବ୍ୟବସ୍ଥା ସୂଚାରୁରୂପେ ତୁଲାଇବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଚଳିତ ଜାଗର ଯାତ୍ରାରେ ବାବା ବାଲି କପିଲେଶ୍ୱରଙ୍କ ପ୍ରାର୍ଯ୍ୟାୟ କ୍ରମେ ସମସ୍ତ ରୀତିନୀତି ପୂର୍ବକ ପୂଜାର୍ଚ୍ଚନା କରାଯାଇ ରାତ୍ର ୩ଟା ସମୟରେ ମହାଦୀପ ଉଠିବା ପାଇଁ ସମୟ ନିର୍ଘଣ୍ଟ ହୋଇଛି। ଏହି ପ୍ରସ୍ତୁତି ବୈଠକରେ ଉନ୍ନୟନ କମିଟିର କାର୍ଯ୍ୟକର୍ତ୍ତା,ସେବାୟତ,ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସମେତ ସମସ୍ତ ଗଣମାଧ୍ୟାମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।