ଭୁବନେଶ୍ୱର,୨୧/୧୧: ଆଜି ମାର୍ଗଶିର ମାସର ପ୍ରଥମ ଗୁରୁବାର । ଘରକୁ  ଆସିବେ ମହାଲକ୍ଷ୍ମୀ । ପୂଜା ପାଇବେ ମାଣ ।  ଶଙ୍ଖ, ଘଣ୍ଟ, ହୁଳହୁଳିରେ ପ୍ରକମ୍ପିତ ଘର ।  ଝୁଣା, ଧୂପରେ ମହମହ ବାସୁଛି ସାରା ପରିବେଶ ।  ଝୋଟି ଚିତାରେ ପୂରିଉଠିବ ଅଗଣାଠୁ ଆରମ୍ଭ  କରି ଦୁଆର ବନ୍ଧ । ସେଥିପାଇଁ ଗୃହିଣୀମାନେ ବୁଧବାର ବଜାରରେ ଆରମ୍ଭ କରିଦେଇଥିଲେ  କିଣାକିଣି । ଧାନମେଣ୍ଟି କିଣିବାଠାରୁ ଆରମ୍ଭ କରି ମାଣ ଖଟୁଲି, ପିଢ଼ା, ଫୁଲ ଭଳି ପୂଜାର ବିଭିନ୍ନ  ସାମଗ୍ରୀ ସେମାନେ କିଣିଥିଲେ । ସେଥିପାଇଁ  ରାଜଧାନୀ ହାଟରେ, ଘାଟରେ, ବାଟରେ ସବୁଠି  ପସରା ମେଲାଇଛି ଧାନମେଣ୍ଟି, ଖଟୁଳି, ନୂଆ  ଚାଉଳ ଭଳି ବିଭିନ୍ନ ସାମଗ୍ରୀ ।   

ସବୁ ଓଡ଼ିଆଣୀ ଚାହିଁ ରହିଥାନ୍ତି ଏହି ମାସକୁ ।  ଏହି ମାସରେ ଘରକୁ ମା’ ଲକ୍ଷ୍ମୀ ଆସିଥାନ୍ତି ।  ଆଉ ତାଙ୍କ ସହିତ ଆସିଥାଏ ସୁଖ, ଶାନ୍ତି, ଧନ,  ସମ୍ପଦ । ଗୃହିଣୀମାନେ କେବଳ ମାଣକୁ ନୂଆ  ଲୁଗା ପିନ୍ଧାନ୍ତିନି ପରନ୍ତୁ ନିଜେ ମଧ୍ୟ ନୂଆ ଲୁଗା  ପିନ୍ଧିଥାନ୍ତି । ବିଶେଷକରି ଧଳା ଶାଢିରେ ଲାଲ  କାମ ହୋଇଥିବା ଶାଢି ପିନ୍ଧିଥାନ୍ତି । ଭୋରରୁ  ମାଣ ସମସ୍ତଙ୍କ ଘରେ ବସିସାରିଥାଏ । ଏହି  ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି ।  ଲକ୍ଷ୍ମୀ ପୁରାଣରେ ମଧ୍ୟ ଉଲ୍ଲେଖ ରହିଛି କେମିତି  ଲକ୍ଷ୍ମୀଙ୍କୁ ଶ୍ରୀୟା ଚାଣ୍ଡାଳୁଣୀ ଏହି ମାସରେ ପ୍ରସନ୍ନ  କରିଥିଲେ । ଏଥିସହିତ ଭଗବାନ ହୋଇଥିଲେ  ମଧ୍ୟ ପ୍ରଭୁ ଜଗନ୍ନାଥ ମା’ଙ୍କର ଅବମାନନା  କରିଥିବାରୁ କେମିତି ଦୁଃଖ ପାଇଥିଲେ ତାହାର  ବର୍ଣ୍ଣନା ପୁରାଣରେ ଦେଖିବାକୁ ମିଳିଥାଏ ।  ସେଥିପାଇଁ ମହିଳାମାନେ ଏହି ମାସକୁ ବେଶ୍‌  ନିଷ୍ଠା ଓ ହର୍ଷ ଉଲ୍ଲାସର ସହିତ ପାଳିଥାନ୍ତି ।   

କିଏ କାହା ଘରେ ମା’ ଲକ୍ଷ୍ମୀଙ୍କୁ କେମିତି  ସଜେଇବେ ଏବଂ କେମିତି ଚିତାରେ ଲକ୍ଷ୍ମୀପାଦ  ଓ ପଦ୍ମଫୁଲ ପକେଇବେ ଯୋଜନା ଅନୁଯାୟୀ ସାମଗ୍ରୀ ମଧ୍ୟ କିଣା ସରିଲାଣି । ବିଶେଷକରି  ଏକନମ୍ବର ହାଟର ଧାନ ଦୋକାନରେ ଅଧିକ  ଭିଡ଼ ଦେଖାଯାଉଛି । ଧାନମେଣ୍ଟି ୧୦ ଟଙ୍କା  ମୂଲ୍ୟରୁ ଆରମ୍ଭ ହୋଇ ୯ ଶହ ଟଙ୍କା ପର୍ଯ୍ୟନ୍ତ  ରହିଛି । ସେହିପରି ପାନିଆ ମେଣ୍ଟିର ମୂଲ୍ୟ  ୨୫ ଟଙ୍କା, ଛୋଟ କଳସରେ ଲାଗୁଥିବା  ଛୋଟ ମେଣ୍ଟିର ମୂଲ୍ୟ ୧୦ ଟଙ୍କା, ନୂଆ  ଧାନରେ ତିଆରି ହାରର ମୂଲ୍ୟ ୬୦ ଟଙ୍କା,  ବସୁମତୀ ଧାନରେ ତିଆରି ବଡ଼ମେଣ୍ଟିର  ମୂଲ୍ୟ ୪୫୦ ଟଙ୍କା, ବାସୁମତୀ ଚାଉଳ କେଜି  ମୂଲ୍ୟ ୭୦ ଟଙ୍କା, ଗୋଟା ବିରି ମୂଲ୍ୟ କେଜି  ୧୨୦ ଟଙ୍କା ହୋଇଥିବା ବେଳେ ଫାଳ ବିରି  କେଜି ମୂଲ୍ୟ ୧୪୫ ଟଙ୍କାରେ ବିକ୍ରି ହେଉଛି ।  

ଏଥିସହ ଗେଣ୍ଡୁଫୁଲ କିଲୋ ୮୦ ଟଙ୍କା  । ମା’ଙ୍କୁ ବସ୍ତ୍ର ପିନ୍ଧାଇବା ପାଇଁ ନୂଆ ଏବଂ ରଙ୍ଗୀନ  ଝିଲିମିଲି ବସ୍ତ୍ର ମଧ୍ୟ ବିକ୍ରି ହେଉଛି ଯାହାର ମୂଲ୍ୟ ୩୦ ଟଙ୍କାରୁ ଆରମ୍ଭ ହୋଇ ୧୫୦ ଟଙ୍କା  ପର୍ଯ୍ୟନ୍ତ ରହିଛି । କେବଳ ସେତିକି ନୁହେଁ  ଝୋଟି ପକେଇବା ପାଇଁ ଛାଞ୍ଚ ମଧ୍ୟ ବିକ୍ରି ହେଉଛି  ଯାହାର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ ହେଉଛି ।  ଏକନମ୍ବର ହାଟରେ ଧାନମେଣ୍ଟି ସହ ମାଣବସା  ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ ପ୍ରଦୀପ  ସାହୁ କହନ୍ତି, ଦୋକାନରେ ଦେଖାଯାଉଥିବା  ପ୍ରତ୍ୟେକ ଧାନ ମେଣ୍ଟି କଟକର ଚୌଦ୍ୱାରରୁ,  ଫୁଲ ପିପିଲିରୁ ଏବଂ ବିରି ବ୍ରହ୍ମପୁରରୁ ଆଣି  ଆମେ ଏକ ନମ୍ବର ହାଟରେ ବିକ୍ରି କରିଥାଉ ।  କାର୍ତ୍ତିକ ପୂର୍ଣ୍ଣିମା ପରେ ମହିଳାମାନେ ମୁଖ୍ୟତଃ  ମାଣ ସାମଗ୍ରୀ କିଣିବା ଆରମ୍ଭ କରିଦେଇଥାନ୍ତି ।