ଶ୍ରୀନଗର: ଭାରତୀୟ ସୁରକ୍ଷା ବାହିନୀ ଅପରେସନ ମହାଦେବ ଅଧୀନରେ ଶ୍ରୀନଗରରେ ଏକ ମିଳିତ ଅଭିଯାନରେ ତିନି ଆତଙ୍କବାଦୀଙ୍କୁ ନିହତ କରିଛି। ଆପଣଙ୍କୁ ଜଣାଇରଖୁ ଯେ ଏହି ଆତଙ୍କୀମାନେ ଗତ ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସରଣ ଉପତ୍ୟକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ ଥିଲେ। ଏହି ଆକ୍ରମଣରେ ୨୬ ଜଣ ନିରୀହ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପହଲଗାମ ଆକ୍ରମଣରେ ଜଡ଼ିତ ଦୁଇ ଆତଙ୍କବାଦୀ ହବିବ ତାହିର ଓ ଜିବ୍ରାନଙ୍କ ପ୍ରଥମ ଫଟୋ ପ୍ରକାଶ କରିଛି। ଯେଉଁଥିରୁ ଦୁଇ ଆତଙ୍କୀ ପାକିସ୍ତାନୀ ନାଗରିକ ଥିଲେ ବୋଲି ଜଣାପଡିଛି।
ଏହି ଅଭିଯାନରେ ଲସ୍କର-ଏ-ତୋଇବା (ଏଲଇଟି)ର ଶୀର୍ଷ କମାଣ୍ଡର ସୁଲେମାନ ଶାହ, ଯିଏ ହାସିମ ମୁସା ନାମରେ ମଧ୍ୟ ପରିଚିତ, ନିହତ ହୋଇଛି। ସେ ପହଲଗାମ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ କାର୍ଯ୍ୟକର୍ତ୍ତା ଭାବେ କାମ କରୁଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଘୋଷଣା କରିଛନ୍ତି ଯେ, ଏହି ତିନି ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ସଫଳତାର ସହ ନିହତ କରିଛି। ଯାହା ପହଲଗାମ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ନିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, "ବୈସରଣ ଉପତ୍ୟକାରେ ନିରୀହ ନାଗରିକଙ୍କୁ ସେମାନଙ୍କ ଧର୍ମ ପଚାରି ସେମାନଙ୍କ ପରିବାର ଆଗରେ ହତ୍ୟା କରାଯାଇଥିଲା। ଭାରତୀୟ ସେନା, ସିଆରପିଏଫ ଓ ଜମ୍ମୁ-କାଶ୍ମୀର ପୁଲିସର ମିଳିତ ଅଭିଯାନରେ ଏହି ତିନି ଆତଙ୍କବାଦୀଙ୍କୁ ନିହତ କରିଛି।"
ମିଳିତିବା ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ଡାଚିଗାମ ଜଙ୍ଗଲ ଅଞ୍ଚଳରେ ଏକ ତମ୍ବୁରେ ଶୋଇଥିବା ବେଳେ ସୁରକ୍ଷା ବାହିନୀ ଅଚାନକ ଆକ୍ରମଣ କରି ସେମାନଙ୍କୁ ନିହତ କରିଥିଲେ। ଏହି ଅଭିଯାନ ପୂର୍ବ ଯୋଜନା ଅନୁଯାୟୀ ହୋଇ ନଥିଲା। ଯବାନ ମାନେ ଏକ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ଆତଙ୍କୀଙ୍କ ଟିକଣାରେ ଆକସ୍ମିକ ଭାବେ ପହଞ୍ଚିଯାଇଥିଲେ। ଏହାପରେ ଅପରେସନ ମହାଦେବ ଅଧିନରେ ଆତଙ୍କୀମାନଙ୍କୁ ନିହତ କରିଥିଲେ। ଗତ ମେ ୨୨ ତାରିଖରେ ଡାଚିଗାମ ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ଏବଂ ଜୁଲାଇ ୨୨ ତାରିଖରେ ସେନ୍ସର ମାଧ୍ୟମରେ ସେମାନଙ୍କ ଉପସ୍ଥିତି ନିଶ୍ଚିତ ହେବା ପରେ ସେନା ଦ୍ୱାରା ଏହି ଅଭିଯାନ ଆରମ୍ଭ ହୋଇଥିଲା।
ଅମିତ ଶାହ କହିଛନ୍ତି, "ଆକ୍ରମଣ ପରେ ତୁରନ୍ତ ସୁରକ୍ଷା ବାହିନୀକୁ ଆତଙ୍କବାଦୀମାନଙ୍କୁ କୌଣସି ପରିସ୍ଥିତିରେ ବି ଦେଶ ଛାଡ଼ିବାକୁ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।" ଏହି ଅଭିଯାନରେ ୧୭ଟି ଗ୍ରେନେଡ୍, ଏକେଏମ୪ କାର୍ବାଇନ ଏବଂ ଦୁଇଟି ଏକେ-୪୭ ରାଇଫଲ ଉଦ୍ଧାର କରାଯାଇଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ପହଲଗାମ ଆକ୍ରମଣରେ ବ୍ୟବହୃତ ହୋଇଥିଲା ବୋଲି ଫରେନସିକ ରିପୋର୍ଟ ମାଧ୍ୟମରେ ନିଶ୍ଚିତ ହୋଇଛି।
ଏହି ଅଭିଯାନ ପହଲଗାମ ଆକ୍ରମଣର ପ୍ରତିଶୋଧ ଭାବେ ପରିଗଣିତ ହେଉଛି। ଯେଉଁଥିରେ ଆତଙ୍କବାଦୀମାନେ କାଶ୍ମୀର ଉପତ୍ୟାକାକୁ ବୁଲିବାକୁ ଆସିଥିବା ନିରୀହ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରିଥିଲେ। ଏହି ଆକ୍ରମଣର ଦାୟିତ୍ୱ ଦି ରେସିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ନାମକ ଏକ ସଂଗଠନ ନେଇଥିଲା। ଯାହା ଲସ୍କର-ଏ-ତୋଇବାର ଏକ ଶାଖା ସଂଗଠନ ବୋଲି କୁହାଯାଏ। ସବୁଠୁ ବଡ କଥା ହେଉଛି ଏହି ଟିଆରଏଫ ସଂଗଠନକୁ ଆମେରିକା ନିକଟରେ ଆତଙ୍କୀ ଦଳ ଭାବେ ତାଲିକାଭୁକ୍ତ କରିଛି।