ଭୁବନେଶ୍ବର; ୩/୧ : ସୁନ୍ଦର, ଅପୂର୍ବ ଏବଂ ଅନନ୍ୟ । ନୂଆବର୍ଷ ଆରମ୍ଭରେ ଆକାଶରେ ଦେଖାଗଲା ବର୍ଷର ପ୍ରଥମ ସୁପରମୁନ୍ । ଏହି ମହାଜାଗତିକ ଦୃଶ୍ୟକୁ ଦେଖିଛନ୍ତି ଲୋକେ । କୋଲକାତା, ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ସ୍ଥାନରେ ଏହି ମହାଜାଗତିକ ଦୃଶ୍ୟ ନଜର ଆସିଛି । ଲୋକେ ଏହି ଅପୂର୍ବ ଦୃଶ୍ୟର ମଜା ନେଇଥିବାବେଳେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି । ଆଜି ଆକାଶରେ ଚନ୍ଦ୍ର ସାଧାରଣ ଅପେକ୍ଷା ବଡ଼ ଏବଂ ଉଜ୍ଜଳ ଦେଖା ଯାଇଛନ୍ତି । ଏହାସହ ଚନ୍ଦ୍ର ପୃଥିବୀର ନିକଟତର ହୋଇଥାନ୍ତି । ଯାହାକୁ ସୁପରମୁନ୍ ବୋଲି ମଧ୍ୟ କୁହାଯାଏ ।

ଜ୍ୟୋତିଷ ରିଚାର୍ଡ ନଲ୍ଙ୍କଭାଷାରେ ଯଦି ଚନ୍ଦ୍ର ଆମଠାରୁ ୩.୬୩ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକପୂର୍ଣ୍ଣିମାପଡ଼ିଥାଏ ତା’ହେଲେ ସେ ଚନ୍ଦ୍ରକୁ ସୁପରମୁନ କୁହାଯାଏ । ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ୨ରୁ ୪ ଥର ଘଟିଥାଏ । ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ର ଠାରୁ ପ୍ରାୟ ୧୪ ପ୍ରତିଶତ ବଡ଼ ସହ ୩୦ ପ୍ରତିଶତ ଉଜ୍ଜ୍ୱଳ ଦେଖାଯାଏ ।

ସେହିପରି ୨୦୨୬ର ଦ୍ୱିତୀୟ ସୁପରମୁନ୍ ନଭେମ୍ବର ୨୪ ଓ ଶେଷ ସୁପରମୁନ୍ ଡିସେମ୍ବର ୨୩ ତାରିଖରେ ଦେଖାଯିବ । ଚନ୍ଦ୍ର ପୃଥିବୀଠାରୁ ଦୂରରେ ଥିବା ବେଳେ ୩ଟି ପୂର୍ଣ୍ଣିମା ପଡ଼ୁଥିବାରୁ ମେ ୧, ମେ ୩୧ ଓ ଜୁନ୍ ୨୯ତାରିଖରେ ‘ମାଇକ୍ରୋମୁନ ବା ଛୋଟଚନ୍ଦ୍ର ଦେଖାଯିବ’ । ଏଗୁଡ଼ିକ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ ।