ଅର୍ଥ ରୋଜଗାର ଜ୍ଞାନ, ଶ୍ରମ ବିନିମୟରେ ହେଉଛି ବୋଲି ସଭିଁଙ୍କ ଧାରଣା । ଏହି ପରିପ୍ରେକ୍ଷୀରେ ଯାହାର ଅଧିକ ଜ୍ଞାନ, ଯିଏ ଅଧିକ ଶ୍ରମ କରୁଛି ସେ ଅଧିକ ଅର୍ଥ ରୋଜଗାର କରିବା ଉଚିତ । କାରଣ ସମ୍ମାନ, ସ୍ୱଭିମାନ, ଜ୍ଞାନ, ଶ୍ରମ ତୁଳନାରେ ଅର୍ଥ କିଛି ନୁହେଁ । କିନ୍ତୁ ସ୍ଥଳବିଶେଷରେ ସାମାଜର କିଛି ଚିତ୍ର ଓଲଟା ଦେଖିବାକୁ ମିଳେ । ଯେଉଁଠି ଅର୍ଥ ବଡ଼ ଶସ୍ତା ଶ୍ରମ, ଜ୍ଞାନ ଓ ସମ୍ମାନ । ଦୀର୍ଘଦିନର ପରିଶ୍ରମରେ ଜଣେ ଜ୍ଞାନ ଅର୍ଜନ କରି ଏକ ବିଷୟ ବିଶେଷଜ୍ଞ ହେବାର ସୌଭାଗ୍ୟ ଅର୍ଜନ କରେ । ସଂପୃକ୍ତ ବିଷୟରେ ଜ୍ଞାନୀ ବୋଲାଏ । କିନ୍ତୁ ଶ୍ରମ କଲାବେଳକୁ ଅର୍ଥ ମହଙ୍ଗା ହୋଇଯାଏ, ଅର୍ଥାତ୍‌ ତା’ର ଜ୍ଞାନ, ଶ୍ରମ ବଦଳରେ ପ୍ରାପ୍ୟ ଅର୍ଥ ତା’ପାଇଁ ପ୍ରାୟ ଦୁଷ୍ପ୍ରାପ୍ୟ ମନେହୁଏ । ତାକୁ ଅନେକ ଲଢେଇର ସାମ୍ନା କରିବାକୁ ପଡ଼େ । ସତେଯେମିତି ଅର୍ଥ ଆଗରେ ବ୍ୟକ୍ତିର ଜ୍ଞାନ, ଶ୍ରମ ସବୁ ତୁଚ୍ଛ । ଯେଉଁ ଅର୍ଥ ପାଇଁ ସେ ଜ୍ଞାନ ଦକ୍ଷତା ପରାକାଷ୍ଠା ହାସଲ କରେ, ଶେଷରେ ଅର୍ଥ ତା’ପାଇଁ ହୋଇଯାଏ ମୂଲ୍ୟବାନ ଓ ତା’ର ଶ୍ରମଜ୍ଞାନ ହୁଏ ମୂଲ୍ୟହୀନ । ଯେଉଁ ମଣିଷ ତା’ର ଜ୍ଞାନକୁ ବ୍ୟବହାର କରି ଆର୍ଥିକ ରୋଜଗାରକ୍ଷମ ହୋଇଛି, କୃତ୍ରିମ ବୁଦ୍ଧିମତ୍ତାକୁ ସୃଷ୍ଟି କରିଛି, ସେ ଆର୍ଥିକ ରୋଜଗାର ବ୍ୟବସ୍ଥା ସେତେ ତା’ର ଜ୍ଞାନ ଓ ଶ୍ରମକୁ ଗ୍ରାସ କରିବାକୁ ବସିଛି ।

ସମାଜର ଅଧିକାଂଶ ବ୍ୟକ୍ତି ଦିନମଜୁରିଆ, ଠିକା, ବାହ୍ୟ ସଂସ୍ଥା ଆଦି ଦ୍ୱାରା ନିଯୁକ୍ତ ହୋଇ କାର୍ଯ୍ୟ କରୁଛନ୍ତି । ଅନେକ ନିଜର ଜ୍ଞାନକୁ ନେଇ ଆତ୍ମନିର୍ଭରଶୀଳ ହୋଇ ମଧ୍ୟ କାର୍ଯ୍ୟ କରନ୍ତି । ତଥାପି ଏହା ଭିତରେ ମାନସିକତା, ପକ୍ଷପାତିତା, ହୀନମନ୍ୟତା, ବ୍ୟକ୍ତିର ଦକ୍ଷତା, ମାନବିକ ମୂଲ୍ୟବୋଧ, ଜ୍ଞାନକୁ ଅର୍ଥର ପଛକୁ ନେଇଯାଏ । ମାଲିକ ବା କର୍ଯ୍ୟ କରାଉଥିବା ବ୍ୟକ୍ତି ପାଇଁ ଅର୍ଥସର୍ବସ୍ୱ ହୋଇଯାଏ । ସେ ଜ୍ଞାନ ଓ ଶ୍ରମକୁ ଅର୍ଥ ସହିତ ତଉଲେ । ନିକଟରେ ମାଧବ ଜମିଦାର ତାଙ୍କ ବଗିଚା କାମ କରିବାକୁ ଏକ ବ୍ୟକ୍ତିଙ୍କୁ ଡକାଇଲେ । ସେ ଲୋକଟି ଦିନମଜୁରିଆ ସତ, କିନ୍ତୁ ମାଧବ ଜମିଦାର ତାକୁ ଠିକାରେ କାମ କରିବାକୁ କହିଲେ । କିନ୍ତୁ କାମରେ ଗୁଣାତ୍ମକମାନ ରହିବା ଜରୁରି ବୋଲି ସର୍ତ୍ତ ରଖିଥିଲେ । ସଞ୍ଜବେଳକୁ କାମ ସାରି ଲୋକଟି ମାଧବ ଜମିଦାରଙ୍କ ନିକଟକୁ ଗଲା ତା’ର ମଜୁରି ଆଣିବାକୁ । ମାଧବ ଜମିଦାର ବଗିଚା କାମ ଦେଖି ତା’ସହ ହିସାବ ଆରମ୍ଭ କଲେ ।

ମାଧବଙ୍କ କହିବା କଥା, କାମ ସରିଛି ସତ, କିନ୍ତୁ ସେଥିରେ ଗୁଣାତ୍ମକ ମାନର ଅଭାବ ରହିଛି । ଏହା କହି ଠିକା ମଜୁରିକୁ ଅଧା କରିଦେଲେ । ବିଚରା ଦିନସାରା ଖଟି ଅଧା ମଜୁରି ନେଇ ଲୋକଟି ମନଦୁଃଖରେ ସେଠାରୁ ଗଲା । ମାଧବ ଜମିଦାରଙ୍କ ନିକଟରେ ଠିଆ ହୋଇଥାଏ ତାଙ୍କ ପୁଅ । ପୁଅକୁ ଦେଖାଇ କହିଲେ, ଦେଖ ପୁଅ ଅଧା ମଜୁରିରେ ବଗିଚାର ଅର୍ଦ୍ଧେକ ସଫା କରାଇଦେଲି ମୁଁ । ତେବେ ସେହି ମଜୁରିଆ ତ ଆଉ ଆସିବନାହିଁ, କାଲି ଆଉ ଜଣଙ୍କୁ ଦେଖିବାକୁ ପଡ଼ିବ । ତେବେ ପୁଅ ତା’ର ବାପାଙ୍କ ମୁହଁକୁ ଆବାକାବା ହୋଇ ଚାହିଁ କହିଲା, ବାପା ଯଦି ତୁମେ ଏହି କାମତକ କରିଦିଅନ୍ତ ତେବେ ଜମାରୁ ମଜୁରି ବାବଦକୁ ଅର୍ଥ ଖର୍ଚ୍ଚ ହୁଅନ୍ତା ନାହିଁ । ମାଧବ ଜମିଦାର ରାଗ ତମତମ ହୋଇ ସେ ସ୍ଥାନ ଛାଡ଼ି ଚାଲିଗଲେ । କାରଣ ସେ ଜାଣନ୍ତି ସେହି କାମ ସେ କରିପାରିବେ ନାହିଁ ।

ବିଜୁ ସରକାରଙ୍କ ପୁଅ ନବମରେ ପଢ଼ିଲାଣି । ପୁଅକୁ ଟ୍ୟୁସନ କରିବାକୁ ସେ ଜଣେ ଟ୍ୟୁସନ ଶିକ୍ଷକ ଖୋଜୁଥାନ୍ତି । ଖୋଜାଖୋଜି ପରେ ଏକ ଗରିବ ପିଲାଟିଏ ପାଇଲେ । ଭଲ ପାଠ ପଢୁଥିବା କଲେଜ ପିଲାଟିଏ । ତାକୁ ନିଜ ଘରକୁ ଡାକି ପୁଅକୁ ଟ୍ୟୁସନ କରିବାକୁ କହିଲେ । ସେ ପିଲାଟି ଟ୍ୟୁସନ କରିବାବେଳେ ବିଜୁ ସରକାରଙ୍କ ପୁଅର ପାଠପଢ଼ା ସହିତ ସମୟାନୁବର୍ତ୍ତିତା, ନିଷ୍ଠା, କର୍ତ୍ତବ୍ୟପରାୟଣତା ପ୍ରତି ଧ୍ୟାନଦେଇ ତା’ର ରୁଟିନ ଜୀବନକୁ ସୁସଂଗଠିତ କରିବା ସହିତ ପାଠପଢ଼ାରେ ଅଗ୍ରଗତି କରାଇଲା । ଏହାକୁ ଦେଖି ବିଜୁ ସରକାରଙ୍କ ସ୍ତ୍ରୀ କହିଲେ, ଏଇ ପିଲାଟି ତୃତୀୟରେ ପଢୁଥିବା ଆମ ଝିଅକୁ ବି ପଢ଼ାନ୍ତାନି? ବିଜୁ ସରକାର ଏହି ପ୍ରସ୍ତାବ ଦେବାରୁ ସେ ପିଲାଟି ମନା କଲା ଓ କହିଲା ଝିଅର ଜୀବନ ପାଇଁ ଯେଉଁ ଗୁଣାତ୍ମକ ଶିକ୍ଷା, ଜୀବନଚର୍ଯ୍ୟା ଆବଶ୍ୟକ ତାହା ବ୍ୟାଘାତ ହେବା ସହିତ ମୁଁ ମାନସିକ ଭାବରେ ଏହି କାର୍ଯ୍ୟପାଇଁ ପ୍ରସ୍ତୁତ ହୋଇପାରିବି ନାହିଁ । ତା’ଛଡ଼ା ନବମ ଓ ତୃତୀୟ ଶ୍ରେଣୀ ପିଲାଙ୍କୁ ଏକସମୟରେ ପଢ଼ାଇବା ମୋତେ କଷ୍ଟକର ହେବ । ଟ୍ୟୁସନ କରିବାକୁ ଆସୁଥିବା ପିଲାଟି ଏହା ମନା କରିବାରୁ ତାକୁ ଦରମା ଦେବା ଦାୟିତ୍ୱ ମୁଁ ନେଉଛି ବୋଲି ବିଜୁ ସରକାରଙ୍କୁ ତାଙ୍କ ସ୍ତ୍ରୀ କହିଲେ । ସେ ଭିନ୍ନ ଆଳ ଦେଖାଇ କେବେ ଦରମା କାଟନ୍ତି ତ ଆଉ କେବେ ପାଠପଢ଼ାର ଶୈଳୀ, ମାନ ଠିକ୍‌ ନାହିଁ ବୋଲି କୁହନ୍ତି । ଫଳରେ କାରଣ ନଥାଇ ଜ୍ଞାନ ଓ ଶ୍ରମର ମୂଲ୍ୟ ଅର୍ଥ ଆଗରେ ଫିକା ପଡ଼େ । ଯେଉଁଠି ଆବଶ୍ୟକତା ଉଭୟଙ୍କର ଅଛି, ସେଠାରେ ଅର୍ଥ ଦେବା ଲୋକର ଦୁଃସ୍ଥ ମାନସିକତା କାରଣରୁ ପରିଶ୍ରମ କରୁଥିବା ବ୍ୟକ୍ତି ହତୋତ୍ସାହିତ ହୁଅନ୍ତି । ଫଳରେ ଏ ସମାଜ ପ୍ରତି ତାଙ୍କର ନକାରାତ୍ମକ ଭାବନା ଜାତ ହୁଏ । ସ୍ଥାନୀୟ ଠାରୁ ବିଶ୍ୱ ପର୍ଯ୍ୟନ୍ତ ଏ ପରିସ୍ଥିତି । ସମାନ କାମ ପାଇଁ ସମାନ ଦରମା ବା କାର୍ଯ୍ୟର ମୂଲ୍ୟ ସମସ୍ତେ ପାଉନାହାଁନ୍ତି ।

ଏହି କ୍ରମରେ ଠିକା, ବାହ୍ୟ ସଂସ୍ଥା ଦ୍ୱାରା ନିଯୁକ୍ତ, ଭଡ଼ାରେ ନିଯୁକ୍ତ କର୍ମଚାରୀ ବିଭିନ୍ନ ପକ୍ଷପାତିତାର ଶିକାର ହୁଅନ୍ତି । ଏକା କାର୍ଯ୍ୟସ୍ଥଳୀରେ ଏକା ପଦବିରେ ସମାନ ଦାୟିତ୍ୱ ଓ କର୍ତ୍ତବ୍ୟ ନିର୍ବାହ କରୁଥିବା ବ୍ୟକ୍ତିଙ୍କୁ ଯଦି ପକ୍ଷପାତିତା ବା ପ୍ରଭେଦ ସୃଷ୍ଟି କରିବା, ତେବେ ଜ୍ଞାନ ଓ ଶ୍ରମର ମୂଲ୍ୟ ପ୍ରତି ଅସମ୍ମାନ ନୁହେଁ କି? ଏହାଦ୍ୱାରା ଦରମା ବା ଅର୍ଥ ସାମ୍ନାରେ ଜ୍ଞାନ ଓ ଶ୍ରମର ମୂଲ୍ୟ ଫିକା ପଡୁନାହିଁ କି? ଜଣେ ଠିକା ଝାଡୁଦାରର କାମ ସରିବା ପରେ, ତୋ କାମ ଅନୁସାରେ ଦରମା ବେଶି ହୋଇଯାଉଛି କହିବା କେତେ ଯୁକ୍ତିଯୁକ୍ତ । ବାସ୍ତବିକ ଯାହା ଆମଦ୍ୱାରା ହୁଏନାହିଁ ସେଥିପାଇଁ ବିଷୟ ବିଶେଷଜ୍ଞ ଖୋଜୁ । କାମ ସରିବା ପରେ ପୁନର୍ବାର ଅର୍ଥ ସହ ତାର କାର୍ଯ୍ୟଜ୍ଞାନକୁ ତଉଲୁ । ବିଷୟ ବାହାରର ଜଣେ ବିଶେଷଜ୍ଞ ଭାବରେ ତା’ର ପରିଶ୍ରମର ମୂଲ୍ୟାୟନ କରୁ, ପାରିଶ୍ରମିକକୁ ଯଥାସମ୍ଭବ କମାଇବାକୁ ଚେଷ୍ଟା କରୁ । କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷକୁ ଠକିପାରିଲେ ତା’ଦ୍ୱାରା ଆବଶ୍ୟକତାଠାରୁ ଅଧିକ କାମ କରାଇଲେ, କମ୍‌ ଦରମା ବା ପାରିଶ୍ରମିକ ଦେଲେ ଆମର କୋଉଠି ପାରିବାପଣିଆ ପରିପୁଷ୍ଟ ହୁଏ । ଏଣୁ ଆର୍ଥିକ ମାନଦଣ୍ଡକୁ ସମତୁଲ ରଖି ମାନସିକତାର ପରିବର୍ତ୍ତନ କରି ଜ୍ଞାନ ଓ ପରିଶ୍ରମକୁ ଯଥେଷ୍ଟ ସମ୍ମାନ ନଦେଲେ ପିଲାଠାରୁ ବୁଢ଼ା ସଭିଁଏ କେବଳ ରାତାରାତି ଅର୍ଥ ଉପାର୍ଜନ କରିବାକୁ ଅସତ୍‌ ଅନୀତି ପଛରେ ଧାଇଁବେ । ବ୍ୟକ୍ତିଗତ, ବେସରକାରୀଠୁଁ ସରକାରୀ ଯାଏଁ ସୁସ୍ଥ ମାନସିକାତାକୁ ନିଜ ଭିତରେ ବୃଦ୍ଧି କରିବାକୁ ପଡ଼ିବ । କାରଣ ଶ୍ରମ, ଅର୍ଥ ଜ୍ଞାନର ବିହନ ଆମରି ଭିତରେ ହିଁ ରହିବ । ଏଥିରେ ଯେତେ ଅପମିଶ୍ରଣ ହେବ ଭବିଷ୍ୟତ ସେତେ ଅସ୍ୱାସ୍ଥ୍ୟକର ହେବ । ଏଣୁ କାମରେ ଖୁଣ ବାହାର କରିବା ପରିବର୍ତ୍ତେ ବ୍ୟକ୍ତିଗତ ଦକ୍ଷତାକୁ ପରିପୁଷ୍ଟ କରିବା ଓ ଜ୍ଞାନ, କର୍ମର ସମ୍ମିଶ୍ରଣରେ ମିଳୁଥିବା ସୁଫଳକୁ ସମାନ ଅର୍ଥ ଓ ସମ୍ମାନ ପ୍ରଦାନ କରି ଉଚିତ ସମ୍ମାନ ଦେବା, ନଚେତ୍‌ ସ୍ୱାର୍ଥସାଧନ କରୁ କରୁ ଜ୍ଞାନ ଓ ଶ୍ରମର ଗୁଣାତ୍ମକ ମୂଲ୍ୟ ସମାଜରୁ କମିଯିବ ।

​​​​​​​