କୁହୁଡ଼ି ଯୋଗୁ ବିମାନ ଚଳାଚଳ ବାଧାପ୍ରାପ୍ତ

source:www.bbc.com
ଭୁବନେଶ୍ୱର,୨୩ା୧(ବ୍ୟୁରୋ): ଘନ କୁହୁଡ଼ି ଯୋଗୁଁ ବିମାନ ଚଳାଚଳରେ ବାଧା ଉପୁଜିଛି । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଦୁଇଟି ବିମାନ ଉଡାଣ ଓ ଅବତରଣରେ ବିଳମ୍ବ ଘଟିଛି । ବ୍ୟାଙ୍କକ୍ରୁ ଫେରୁଥିବା ଏୟାର ଏସିଆର ବିମାନ ଭୁବନେଶ୍ୱରରେ ଅବତରଣ ନ କରି କୋଲକାତା ଫେରିଯାଇଛି । ଯାତ୍ରୀଙ୍କ ରହିବା ଖାଇବାରେ ଅବ୍ୟବସ୍ଥା ଯୋଗୁଁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ବ୍ୟାଙ୍କକ୍ରୁ ଆସୁଥିବା ୧୧୨ ନମ୍ବର ବିମାନଟି ମଙ୍ଗଳବାର ରାତି ୧୧ଟା ୫୫ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବାର ଥିଲା । ଘନ କୁହୁଡି ଯୋଗୁଁ ବିମାନଟି ଅବତରଣ ନ କରି ୧୧ଟା ୫୦ ମିନିଟ୍ରେ କଲିକତା ଅଭିମୁଖେ ବାହାରି ଦମଦମ ବିମାନବନ୍ଦରେ ଅବତରଣ କରିଥିଲା । ବିମାନଟି ଆଜି ଅପରାହ୍ନ ୩ଟା ୧୨ମିନିଟ୍ରେ ଭୁବନେଶ୍ୱରରେ ପହଞ୍ଚିଥିଲା । ତେବେ ବିନା ସୂଚନାରେ ବିମାନର ୧୩୭ ଜଣ ଯାତ୍ରୀଙ୍କ ପାଇଁ ସେଠାରେ ଖାଲି ରହିବା ବ୍ୟବସ୍ଥା ହୋଇଥିଲା । ହେଲେ ଏପଟେ ବ୍ୟାଙ୍କକ୍ ଯିବାକୁ ବିମାନବନ୍ଦରରେ ଅପେକ୍ଷା କରିଥିବା ଯାତ୍ରୀମାନେ ହଟହଟା ହୋଇଥିଲେ । ଗତକାଲି ରାତିରୁ ଆଜି ପୂର୍ବାହ୍ନ ୮ଟା ଯାଏଁ ବିମାନ ପହଞ୍ଚି ନଥିଲା । ଏଠାରେ ଅପେକ୍ଷାରେ ଥିବା ୩୦-୪୦ଜଣ ଯାତ୍ରୀଙ୍କ ପାଇଁ ଏୟାର ଏସିଆ ପକ୍ଷରୁ କିଛି ବ୍ୟବସ୍ଥା କରାଯାଇ ନଥିଲା । ତେଣୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ସେମାନେ ଟର୍ମିନାଲ ଭିତର ଅଫିସ ସାମ୍ନାରେ ହୋ ହଲ୍ଲା କରିଥିଲେ । ଅଭିଯୋଗ କରିଥିଲେ,ଏତେ ଘଣ୍ଟା ଅପେକ୍ଷା କରିବା ସତ୍ତେ୍ୱ ବି ବିମାନ ବାତିଲ ନେଇ ତାଙ୍କୁ କୌଣସି ସୂଚନା ଦିଆ ଯାଇନାହିଁ । ସେହିପରି କଲିକତାରୁ ବେଙ୍ଗାଲୁର ଯାଉଥିବା ୧୫୬୩ ନମ୍ବର ବିମାନଟି ମଧ୍ୟ କୁହୁଡି ଯୋଗୁଁ ଭୁବନେଶ୍ୱରରେ ଅବତରଣ କରିବାରେ ବିଳମ୍ବ ଘଟିଥିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।