ଯାତ୍ରା ସମୟରେ ଅଚାନକ ଫ୍ଲାଇଟରେ ପିଟି ହୋଇଗଲେ ଅନେକ ପକ୍ଷୀ: ରକ୍ତରେ ଭରିଗଲା ୱିଣ୍ଡସିଲ୍ଡ, ଆଉ ତା ପରେ…

ରୋମ୍ ୩୦/୧୧: ଅନେକ ଥର ଆକାଶରେ ଫ୍ଲାଇଟରେ ପକ୍ଷୀ ମାଡ ହୋଇ ମରିଯିବା ଭଳି ଘଟଣା ସାମ୍ନାକୁ ଆସିଥାଏ । କିନ୍ତୁ ନିକଟରେ ଏମିତି ଏକ ମାମଲା ଇଟଲୀରୁ ସାମ୍ନାକୁ ଆସିଛି ଯେଉଁଥିରେ ଆକାଶରେ ଉଡିବା ସମୟରେ ଏକ ପ୍ଲେନ୍ ପକ୍ଷୀମାନଙ୍କ ଏକ ଦଳ ସହିତ ପିଟି ହୋଇଗଲା ଏବଂ ଏହା ପରେ ପ୍ଲେନ ଇଞ୍ଜିନରେ ନିଆଁ ଲାଗିଗଲା । ପକ୍ଷୀମାନଙ୍କ ସହ ପିଟି ହେବା ଯୋଗୁଁ ରକ୍ତ ଛିଟା ଏବଂ ପକ୍ଷୀମାନଙ୍କ ମର ଶରୀର ଲାଗି ପ୍ଲେନର ୱିଣ୍ଡସ୍କ୍ରିନ୍ ଢାଙ୍କି ହୋଇଗଲା, ଯାହା ଫଳରେ ପାଇଲଟକୁ ଆଉ କିଛି ଦେଖାଗଲାନି ।
କହିରଖୁଛୁ ଇଟଲୀର ବୋଲୋଗ୍ନା ଏୟାରପୋର୍ଟରେ ଲ୍ୟାଣ୍ଡିଂର ଠିକ୍ ପୂର୍ବରୁ ରାୟନଏୟର ଜେଟ୍ ପକ୍ଷୀମାନଙ୍କ ସହ ପିଟିହୋଇଗଲା । ଡେଲି ମେଲରେ ଛପିଥିବା ଏକ ରିପୋର୍ଟ ଅନୁସାରେ ରାୟନଏୟର ବୋଇଂ ୭୩୭-୮୦୦ ବିମାନ ଲଣ୍ଡନରୁ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା । ପକ୍ଷୀମାନଙ୍କ ସହ ଦୁର୍ଘଟଣା ହେବା ପରେ ବିମାନର ୱିଣ୍ଡସିଲ୍ଡ ରକ୍ତରେ ଭରିଗଲା । ବିମାନର ଅନେକ ଭାଗରେ ପକ୍ଷୀଙ୍କ ପର ଫସିଗଲା । ଇଞ୍ଜିନରେ ମଧ୍ୟ କିଛି ପକ୍ଷୀ ଫସିଗଲେ ଫଳରେ ଏଥିରେ ନିଆଁ ଲାଗିଗଲା । ବିମାନ ଇଟଲୀର ଏୟାରପୋର୍ଟର ରନୱେରେ ପହଞ୍ଚିବା ପୂର୍ବରୁ ଏମିତି କାଣ୍ଡ ଘଟିଗଲା ।
ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଆକାଶରେ ଉଡୁଥିବା ବିମାନର ଇଞ୍ଜିନରୁ ନିଆଁ ବାହାରୁଥିବା ଦେଖାଯାଉଛି । ଏହା ପରେ ପାଇଲଟ୍ ତରବର ହୋଇ ବିମାନକୁ ଲ୍ୟାଣ୍ଡ୍ କରାଇଦେଲେ । ପାଇଲଟ୍ ବିମାନକୁ ସୁରକ୍ଷିତଭାବେ ଲ୍ୟାଣ୍ଡ୍ କରାଇବାରେ ସଫଳ ରହିଲେ ଏବଂ ସେଥିରେ ଥିବା ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ଥିଲେ ।