ପ୍ରମୂଖ ଖବର
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଭଦ୍ରକ ଜିଲ୍ଲାରେ ପ୍ରଶାସନିକ ଅବହେଳାରୁ ମନୁଷ୍ୟକୃତ ବନ୍ୟା : ଘରେ ଶୋଇଥିଲେ, ପାଣି ପଶିଗଲା

Published By : Rasmita Pradhan | July 3, 2025 10:58 AM

ଭଦ୍ରକ, ୦୩/୦୭ : ଭଦ୍ରକ ଜିଲ୍ଲାରେ ପ୍ରଶାସନିକ ଅବହେଳାରୁ ବନ୍ୟା ହୋଇଛି । ଭଦ୍ରକ ବ୍ଲକର ୫ ପଞ୍ଚାୟତ ସମେତ ପୌରପାଳିକାର ୩ଟି ୱାର୍ଡ଼ ଜଳମଗ୍ନ ହୋଇଛି । ନଦୀ ବନ୍ଧ ଭାଙ୍ଗିଛି । ଲୋକେ ଶୋଇଥିବାବେଳେ ଘରେ ପାଣି ପଶିଛି । କଚ୍ଚାଘର କାନ୍ଥ ଭାଙ୍ଗିଛି । ୫ଟି ସ୍ଥାନରେ ବନ୍ଧ ଭାଙ୍ଗିଛି । ତଳ ମୁଣ୍ଡ ଆନିକଟ କବାଟ ଖୋଲା ଯାଇ ନ ଥିବାରୁ ବନ୍ୟା ଜଳ ଉଚ୍ଛୁଳି ନଦୀ ବନ୍ଧ ଡେଇଁ ଜନବସତି ଆଡ଼କୁ ମାଡ଼ି ଆସିଛି । ହଦଗଡ଼ ଡ୍ୟାମରେ ୪ଟି ଗେଟ ମଙ୍ଗଳବାର ଖୋଲାଯାଇଥିଲା । ଉପରମୁଣ୍ଡ କେନ୍ଦୁଝର ଜିଲ୍ଲାର ପାହାଡ଼ିଅ ଅଞ୍ଚଳରେ ମୁଶଳ ବର୍ଷା ଲାଗି ରହିଥିବାରୁ ହଦଗଡ଼ କର୍ତ୍ତୃପକ୍ଷ ଗେଟ ଖୋଲିବାକୁ ବାଧ୍ୟ ହେଲେ । ହେଲେ ଯୋଗସୁତ୍ର ଅଭାବରୁ ଭଦ୍ରକ ବ୍ଲକ ଓ ପୌରପାଳିକାବାସୀ ଦୁର୍ଦ୍ଦଶା ଭୋଗିଲେ । ରାତି ରାତି ବନ୍ୟା ଜଳ ଆସିଲା । 

ସାଳନ୍ଦୀ ନଦୀ ତଳ ମୁଣ୍ଡ ଅଞ୍ଚଳରେ ଅର୍ଥାତ ଭଦ୍ରକ ବ୍ଲକ ଖଣ୍ଡତଡ଼ା ପଞ୍ଚାୟତ ମହାଦେବପୁର ଆନିକଟର ସବୁ କବାଟ ବନ୍ଦ ରହିଥିଲା । ସାଳନ୍ଦୀର ମୁଖ୍ୟ ଶାଖା ନଦୀ ହେଉଛି ନାଳିଆ ନଦୀ । ଯାହା ଖଣ୍ଡତଡ଼ାରୁ ବାହାରି ତିହିଡ଼ି ବ୍ଲକ ଅଞ୍ଚଳ ଦେଇ ଆଗକୁ ବୋହି ଯାଇଛି । ମହାଦେବପୁର ଆନିକଟରେ ରହିଥିବା ଉକ୍ତ ଆନିକଟର ୧୫ରୁ ଅଧିକ କବାଟ ବନ୍ଦ ରହିଥିଲା । ଫଳରେ ନାଳିଆ ବନ୍ୟା ପାଣି ଟାଣି ନପାରି ନଦୀ ଗର୍ଭ ଶୁଖିଲା ରହିଲା । ବନ୍ୟା ଜଳ ସାଳନ୍ଦୀରେ ଉଚ୍ଛୁଳି ନଦୀ ବନ୍ଧ ଡେଇଁ ଜନବସିତିକୁ ମାଡ଼ିଗଲା । ଭଦ୍ରକ ବ୍ଲକର ଖଣ୍ଡତଡ଼ା, ଗୁଜିଦରଡ଼ା ଓ ବେନ୍ତାଳ ପଞ୍ଚାୟତରେ ଲୋକେ ଶୋଇଥିବାବେଳେ ପାଣି ପଶିବାରୁ ଲୋକେ ଭୟଭୀତ ହେଲେ । ୧୯୯୯ ମସିହାରେ ବନ୍ୟା ଦେଖିନଥିବା ଅଞ୍ଚଳରେ ଆନିକଟ କବାଟ ବନ୍ଦ ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା । ଯାହାକୁ ନେଇ ସ୍ଥନୀୟ ଲୋକେ ସାଳନ୍ଦୀ ଜଳସମ୍ପଦକୁ ଦାୟୀ କରିଛନ୍ତି । 

ହଦଗଡ଼ରୁ ବନ୍ୟା ଛାଡ଼ୁଥିବାବେଳେ ତଳମୁଣ୍ଡ ଆନିକଟ କବାଟ ପଡ଼ି ରହିବା ନେଇ ସାଳନ୍ଦୀ ଜଳ ସମ୍ପଦ ବିଭାଗକୁ ଦାୟୀ କରାଯାଇଛି । ଆନିକଟ ଦାୟିତ୍ୱରେ ସାଳନ୍ଦୀର ଜଳ ସମ୍ପଦ ବିଭାଗ ରହିଥିବାବେଳେ କବାଟ ପଡ଼ି ରହିବା ଦ୍ୱାରା ୫ଟି ପଞ୍ଚାୟତ ଜଳମଗ୍ନ ହେଲା । ପୌରପାଳିକାର ୨୯ ଓ ୩୦ ନମ୍ବର ୱାର୍ଡ଼ ଭିତରକୁ ବି ପାଣି ପଶିଲା । ସକାଳୁ ସକାଳୁ ବନ୍ୟ ପରିସ୍ଥିତି ନେଇ ପ୍ରଶାସନିକ ତତ୍ପରତା ବି ଦେଖା ଦେଲାନି । ଭଦ୍ରକ ବିଧାୟକ ସିତାଂଶୁ ସେଖର ମହାପାତ୍ର ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଲେ । ଲୋକଙ୍କ ଦୁର୍ଦ୍ଦଶା ଶୁଣିଲେ । ଏତେ ଜଳ ଜନବସତିକୁ ଆସିବାର କାରଣ ଜାଣି ତ୍ରୁଟି କରିଥିବା ବିଭାଗୀୟ ମୁଖ୍ୟଙ୍କ ଉପରେ ଖପ୍ପା ହୋଇଛନ୍ତି । ବିନା ସୂଚନାରେ ବନ୍ୟା ଜଳ ଛାଡ଼ିବା ନେଇ ବି ବିଧାୟକ ହଦଗଡ଼ ଡିଭିଜନକୁ ତାଗିଦ କରିଛନ୍ତି । ଆଉ ଯେପରି ଏଭଳି ତ୍ରୁଟି ନ ହୁଏ, ଚେତାବନୀ ଦେଇଛନ୍ତି । ଡାକବାଜି ଦ୍ୱାରା ନ ଜଣାଇବା ଏକ ବଡ଼ ଭୁଲ ବୋଲି ବିଧାୟକ କହି ବିଭାଗକୁ ଦୋଷାରୋପ କରିଛନ୍ତି । ବନ୍ୟା ବିପନ୍ନଙ୍କ ନିକଟରେ ଜିଲ୍ଲାପାଳ ପହଞ୍ଚିଛନ୍ତି । ମହାଦେବପୁର ଅଞ୍ଚଳର ଜଳ ବନ୍ଦୀ ହୋଇଥିବା ବିପନ୍ନଙ୍କୁ ଭେଟିଛନ୍ତି । ରିଲିଫ ଯୋଗାଣ ନେଇ ପ୍ରଶାସନିକ ବ୍ୟବସ୍ଥା ଆରମ୍ଭ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.