PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ମାଲକାନଗିରିରେ ବନ୍ୟା : ସଦର ମହକୁମାରୁ କାଲିମେଳା ଓ ମୋଟୁ ରାସ୍ତା ବିଚ୍ଛିନ୍ନ, ବିଭିନ୍ନ ପୋଲ ଉପରେ ଚାଲିଛି ୩ରୁ ୪ ଫୁଟ୍‌ ପାଣି

କାଲିମେଳା ୧୩/୦୮: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ମାଲକାନଗିରି-କାଲିମେଳା-ମୋଟୁ ରାସ୍ତା ବିଚ୍ଛିନ୍ନ ହୋଇଯାଇଛି । କାଲିମେଳା ବ୍ଲକ୍‌ର କାଙ୍ଗୁରକୋଣ୍ଡା, ଏମ୍‌ଭି-୯୦, ଏମ୍‌ଭି-୯୬ ଓ ଗୁଗୁଲୁର ନାଳ ଉପରେ ୩ରୁ ୪ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଏଥିଯୋଗୁ ଏସବୁ ରାସ୍ତାର ଉଭୟପଟରେ ଶହ ଶହ ଗାଡ଼ିମୋଟର ଅଟକି ରହିଛି । ଜିଲ୍ଲାର ଶହ ଶହ ଏକର ଚାଷ ଜମି ଜଳାର୍ଣ୍ଣବ ହୋଇଯାଇଛି । ଯେଉଁସବୁ ରାସ୍ତାରେ ପାଣି ପ୍ରବାହିତ ହେଉଛି, ସେଠାରେ ପୁଲିସ୍‌ ଏବଂ ଅଗ୍ନିଶମ କର୍ମଚାରୀମାନେ ମୁତୟନ ହୋଇଛନ୍ତି । ବନ୍ୟା ପରିସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାରରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗି ରହିଛି ଲଘୁଚାପଜନିତ ବର୍ଷା। କାଲିମେଳା ବ୍ଲକ୍‌ରେ ଦେଖିବାକୁ ମିଳିଛି ଏହାର ବିତ୍ପାତ। ପାହାଡ଼ରୁ ପାଣି ବୋହି ଆସି ବିଭିନ୍ନ ନଦୀ ନାଳରେ ମିଶିଛି । ଫଳରେ ଅଧିକାଂଶ ନଦୀନାଳ ଫୁଲିଉଠି ରାସ୍ତାରେ ପାଣି ପ୍ରବାହିତ ହେଉଛି । ବିଶେଷକରି ସୋମବାର ରାତିରୁ ଲଗାଣ ବର୍ଷା ଯୋଗୁ କାଲିମେଳା ବ୍ଲକ୍‌ର ଅଧିକାଂଶ ଚାଷଜମି ଜଳମଗ୍ନ ହୋଇଯାଇଛି । ବ୍ଲକ୍‌ ଅଧୀନରେ ଥିବା କାଙ୍ଗୁରକୋଣ୍ଡା ଏବଂ ଏମ୍‌ଭି-୯୦ ଗାଁ ନିକଟ ପୋଲ ଉପରେ ଆଜି ମଧ୍ୟାହ୍ନରୁ ୩ରୁ ୪ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଅନୁରୂପ ଭାବେ ଏମ୍‌ଭି-୯୬ ଗାଁ ନିକଟ ପୋଲ ଏବଂ ଏମ୍‌ଭି-୯୦ ଗାଁର ଫାର୍ମ କଲୋନିକୁ ସଂଯୋଗ କରୁଥିବା ଗୁଗୁଲୁର୍‌ ନାଳ ଉପରେ ବନ୍ୟା ପାଣି ପ୍ରବାହିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ୩୨୬ ନମ୍ବର ଜାତୀୟ ରାଜପଥରେ ଏସବୁ ପୋଲ ଥିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି । ପାହାଡ଼ ଉପରୁ ପ୍ରବଳ ବେଗରେ ମାଡି ଆସିଥିବା ବନ୍ୟା ଜଳରେ କାଙ୍ଗୁରକୋଣ୍ଡା ଛକର ଅଧିକାଂଶ ଘର ବୁଡି ରହିଛି । ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ବର୍ଷା ଲାଗି ରହିଲେ ପରିସ୍ଥିତି ଜଟଳି ହେବାର ସମ୍ଭାବନା ରହିଛି ।

ମାଲକାନଗିରିରୁ ପଡିଆକୁ ଯୋଗାଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ ପୋଲ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି । ଏଥିଯୋଗୁ ପଡ଼ିଆ ଅଞ୍ଚଳକୁ ଗାଡ଼ି ଚଳାଚଳ ବନ୍ଦ ରହିଛି। କାଲିମେଳା ବିଡିଓ ଉମାଶଙ୍କର ଦଳେଇ ଓ ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କ ନିର୍ଦ୍ଦେଶରେ ବନ୍ୟାଞ୍ଚଳରେ ଉପସ୍ଥିତ ଅଛନ୍ତି ଅଗ୍ନିଶମ ଓ ପୁଲିସ୍‌ କର୍ମଚାରୀ । ବିଡିଓ ଶ୍ରୀ ଦଳେଇ କହିଛନ୍ତି, ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀମାନେ ବିଭିନ୍ନ ପୋଲ ନିକଟରେ ଉପସ୍ଥିତ ରହି ଲୋକଙ୍କୁ ରାସ୍ତା ପାରି ନହେବାକୁ ପରାମର୍ଶ ଦେଉଛନ୍ତି । ବନ୍ୟା ଯୋଗୁ କେତେ କ୍ଷୟକ୍ଷତି ହୋଇଛି, ତାହାର ଆକଳନ କରାଯାଇନାହିଁ ।