ବାଲେଶ୍ୱର,୨୧/୦୭ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାରେ ଖୋଳତାଡ଼ ଜାରି ରହିଛି । ବିଭିନ୍ନ ତଦନ୍ତକାରୀ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ସିସିଟିଭି ଫୁଟେଜ୍ଠାରୁ ଆରମ୍ଭ ପତ୍ୟକ୍ଷଦର୍ଶୀ ପର୍ଯ୍ୟନ୍ତ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଏଭଳି ସମୟରେ କଲେଜ ଷ୍ଟୋର ରୁମ୍ରେ ଥିବା ୭ଟି ସାଇକେଲକୁ ନେଇ ସନ୍ଦେହ ବଢ଼ୁଛି । ଏହି ସାଇକେଲ କାହାର? କାହିଁକି ସେମାନେ ସାଇକେଲ ନେଉନାହାନ୍ତି? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି ।
ଗତ ଶନିବାର ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେବେଠାରୁ କଲେଜ ପରିସରରେ ଥିବା ସାମଗ୍ରୀକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଏଭଳି ସମୟରେ କଲେଜ କ୍ୟାମ୍ପସରେ ଥିବା ୭ ସାଇକେଲକୁ ନେଇ ବିଭିନ୍ନ ଆଲୋଚନା ହେଉଛି । କଲେଜ କର୍ତ୍ତୃପକ୍ଷଙ୍କ କହିବା କଥା ଏହି ସବୁ ସାଇକେଲଗୁଡ଼ିକ ସେଠାରେ ଘଟଣା ଦିନରୁ ରହିଆସିଛି । ଏହାକୁ କେହି ନେବାକୁ ଆସୁନାହାନ୍ତି। ଶେଷରେ ଏହି ସବୁ ସାଇକେଲକୁ ଷ୍ଟୋର ରୁମ୍ର ରଖାଯାଇଛି । ଏହି ସାଇକେଲକୁ ନେଇ ବିଭିନ୍ନ ଆଲୋଚନା ହେଉଛି । ଏହି ସାଇକେଲ କାହାର, ତାହାକୁ ତଦନ୍ତ ପରିସରକୁ ନିଆଯିବା ଉଚିତ୍ । ସାଇକେଲ ନେଇ ଆସିଥିବା ଛାତ୍ରଛାତ୍ରୀଙ୍କ ନିକଟରୁ ଘଟଣା ବାବଦରେ ଅନେକ କିଛି ତଥ୍ୟ ବାହାରି ପାରିବ । ହୁଏତ ସେମାନେ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥାଇପାରନ୍ତି ବୋଲି ଆଶା କରାଯାଉଛି ।
ଅପରପକ୍ଷରେ ଏହି ଘଟଣାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଜଡ଼ିତ ଥିବା ଛାତ୍ରଛାତ୍ରୀମାନେ ଭୟରେ ସାଇକେଲ ନେବାକୁ ଆସିଥାଇ ନ ପାରନ୍ତି ବୋଲି ମଧ୍ୟ ଆଶା କରାଯାଉଛି । ଏହି ସାଇକେଲଗୁଡ଼ିକୁ ମଧ୍ୟ ତଦନ୍ତକାରୀ ଟିମ୍ ଗୁରୁତ୍ୱ ଦେଉଛନ୍ତି । ଏନେଇ ଅଧ୍ୟକ୍ଷ ଫିରୋଜ ପାଢ଼ୀଙ୍କ ସହ ଆଲୋଚନା କରାଯାଇଥିଲା । କଲେଜର ୭ଟି ସାଇକେଲ ଥିବା ଖବର ବିଷୟରେ ମୁଁ ଜାଣିଛି । ଗତ ଘଟଣା ଦିନଠାରୁ ଏହି ସାଇକେଲଗୁଡ଼ିକ ଅଛି । ଘଟଣା ଘଟିବା ପରଠୁ କଲେଜକୁ ବନ୍ଦ କରାଯାଇଥିବାରୁ ହୁଏତ ଛାତ୍ରଛାତ୍ରୀ ସାଇକେଲ ନେବା ପାଇଁ ଆସିପାରିନଥା’ନ୍ତି । ଏହାରି ଭିତରେ ୨ଜଣ ପିଲା ସାଇକେଲ ନେବା ପାଇଁ ଆସିଥିବା ଶୁଣିବାକୁ ପାଇଛି । ତେବେ କଲେଜ ଖୋଲିବା ପରେ ସାଇକେଲ ନେବାକୁ ଆସୁଥିବା ପିଲାଙ୍କୁ ସାଇକେଲ ଦିଆଯିବ । ଏଥିପାଇଁ ସେମାନଙ୍କ ନିକଟରୁ ସମସ୍ତ ପ୍ରମାଣପତ୍ର ରଖାଯିବ ବୋଲି ସେ କହିଥିଲେ ।