ବାଲେଶ୍ୱର,୨୧/୦୭ ଫକୀରମୋହନ  ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାରେ ଖୋଳତାଡ଼ ଜାରି  ରହିଛି । ବିଭିନ୍ନ ତଦନ୍ତକାରୀ ଟିମ୍‌ ଘଟଣାର  ତଦନ୍ତ କରୁଛନ୍ତି । ସିସିଟିଭି ଫୁଟେଜ୍‌ଠାରୁ  ଆରମ୍ଭ ପତ୍ୟକ୍ଷଦର୍ଶୀ ପର୍ଯ୍ୟନ୍ତ ସମସ୍ତଙ୍କୁ ତଦନ୍ତ  ପରିସରଭୁକ୍ତ କରାଯାଇଛି । ଏଭଳି ସମୟରେ କଲେଜ ଷ୍ଟୋର ରୁମ୍‌ରେ ଥିବା ୭ଟି ସାଇକେଲକୁ  ନେଇ ସନ୍ଦେହ ବଢ଼ୁଛି । ଏହି ସାଇକେଲ କାହାର? କାହିଁକି ସେମାନେ ସାଇକେଲ ନେଉନାହାନ୍ତି?  ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି । 

ଗତ  ଶନିବାର ଛାତ୍ରୀ ନିଜ ଦେହରେ ପେଟ୍ରୋଲ  ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେବେଠାରୁ  କଲେଜ ପରିସରରେ ଥିବା ସାମଗ୍ରୀକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଏଭଳି ସମୟରେ କଲେଜ କ୍ୟାମ୍ପସରେ ଥିବା ୭ ସାଇକେଲକୁ ନେଇ  ବିଭିନ୍ନ ଆଲୋଚନା ହେଉଛି । କଲେଜ କର୍ତ୍ତୃପକ୍ଷଙ୍କ କହିବା କଥା ଏହି ସବୁ ସାଇକେଲଗୁଡ଼ିକ  ସେଠାରେ ଘଟଣା ଦିନରୁ ରହିଆସିଛି । ଏହାକୁ କେହି ନେବାକୁ ଆସୁନାହାନ୍ତି। ଶେଷରେ ଏହି ସବୁ ସାଇକେଲକୁ ଷ୍ଟୋର ରୁମ୍‌ର ରଖାଯାଇଛି । ଏହି ସାଇକେଲକୁ ନେଇ ବିଭିନ୍ନ ଆଲୋଚନା ହେଉଛି । ଏହି ସାଇକେଲ କାହାର, ତାହାକୁ ତଦନ୍ତ ପରିସରକୁ ନିଆଯିବା ଉଚିତ୍‌ । ସାଇକେଲ ନେଇ ଆସିଥିବା ଛାତ୍ରଛାତ୍ରୀଙ୍କ ନିକଟରୁ ଘଟଣା ବାବଦରେ ଅନେକ କିଛି ତଥ୍ୟ ବାହାରି ପାରିବ । ହୁଏତ  ସେମାନେ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥାଇପାରନ୍ତି  ବୋଲି ଆଶା କରାଯାଉଛି । 

ଅପରପକ୍ଷରେ ଏହି ଘଟଣାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଜଡ଼ିତ  ଥିବା ଛାତ୍ରଛାତ୍ରୀମାନେ ଭୟରେ ସାଇକେଲ  ନେବାକୁ ଆସିଥାଇ ନ ପାରନ୍ତି ବୋଲି ମଧ୍ୟ  ଆଶା କରାଯାଉଛି । ଏହି ସାଇକେଲଗୁଡ଼ିକୁ  ମଧ୍ୟ ତଦନ୍ତକାରୀ ଟିମ୍‌ ଗୁରୁତ୍ୱ ଦେଉଛନ୍ତି । ଏନେଇ ଅଧ୍ୟକ୍ଷ ଫିରୋଜ ପାଢ଼ୀଙ୍କ ସହ ଆଲୋଚନା କରାଯାଇଥିଲା । କଲେଜର ୭ଟି ସାଇକେଲ ଥିବା ଖବର ବିଷୟରେ ମୁଁ ଜାଣିଛି ।  ଗତ ଘଟଣା ଦିନଠାରୁ ଏହି ସାଇକେଲଗୁଡ଼ିକ  ଅଛି । ଘଟଣା ଘଟିବା ପରଠୁ କଲେଜକୁ ବନ୍ଦ କରାଯାଇଥିବାରୁ ହୁଏତ ଛାତ୍ରଛାତ୍ରୀ ସାଇକେଲ ନେବା ପାଇଁ ଆସିପାରିନଥା’ନ୍ତି । ଏହାରି ଭିତରେ ୨ଜଣ ପିଲା ସାଇକେଲ ନେବା ପାଇଁ ଆସିଥିବା  ଶୁଣିବାକୁ ପାଇଛି । ତେବେ କଲେଜ ଖୋଲିବା ପରେ ସାଇକେଲ ନେବାକୁ ଆସୁଥିବା ପିଲାଙ୍କୁ ସାଇକେଲ ଦିଆଯିବ । ଏଥିପାଇଁ ସେମାନଙ୍କ ନିକଟରୁ ସମସ୍ତ ପ୍ରମାଣପତ୍ର ରଖାଯିବ ବୋଲି ସେ କହିଥିଲେ ।