ବାଲେଶ୍ୱର,୧୮/୭: ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣା ପରେ ଫକୀର ମୋହନ କଲେଜରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା । କଲେଜ ପରିସରରେ ପୁଲିସ ଛାଉଣୀ ହୋଇଥିବାବେଳେ ଛାତ୍ରଛାତ୍ରୀମାନେ କଲେଜ ଆସିବା ବନ୍ଦ କରିଦେଇଥିଲେ । ଭୟରେ କିଛି ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି ଘରକୁ ପଳାଇଥିଲେ । ଫଳରେ କଲେଜରେ ପିଲାଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା ।
ତେବେ ଘଟଣାର ୫ ଦିନ ପରେ ସ୍ଥିତି ସ୍ୱାଭାବିକ ହେବାରୁ ଶୁକ୍ରବାରଠାରୁ କ୍ଲାସ୍ ଆରମ୍ଭ ହୋଇଛି । ସେହିପରି ଆଡ୍ମିଶନ ଏବଂ ସିଏଲସି ନେବା ପ୍ରକ୍ରିୟା ମଧ୍ୟ ସ୍ଵାଭାବିକ ହୋଇଛି । ଗତ ୧୨ତାରିଖ ଦିନ ଏଫ୍ଏମ୍ କଲେଜରେ ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ, ୧୩ ତାରିଖରୁ କୌଣସି ପିଲା କ୍ଲାସ୍ କରିବା ପାଇଁ ଆସିନଥିଲେ । ମୁଖ୍ୟ କ୍ୟାମ୍ପସରେ ସମସ୍ତ କ୍ଲାସ୍ ବନ୍ଦ ଥିବାବେଳେ କମର୍ସ କ୍ୟାମ୍ପସ ଏବଂ ଇଷ୍ଟ କ୍ୟାମ୍ପସରେ ପରୀକ୍ଷା ଚାଲିଥିଲା । ଶୁକ୍ରବାରଠୁ ସମସ୍ତ ବିଭାଗରେ କ୍ଲାସ୍ ହେବା ନେଇ ବିଭାଗର ମୁଖ୍ୟମାନେ ସୂଚନା ଦେଇଥିଲେ । ଶୁକ୍ରବାର କିଛି ଛାତ୍ରଛାତ୍ରୀ କଲେଜ ଆସିଥିବା ଦେଖିବାକୁ ମିଳିଛି । ମୁଖ୍ୟ କ୍ୟାମ୍ପସରେ ତଦନ୍ତ ଚାଲିଥିବାରୁ ଆଜି ଅନେକ କ୍ଲାସ୍ କମର୍ସ କ୍ୟାମ୍ପସ ଏବଂ ଇଷ୍ଟ କ୍ୟାମ୍ପସରେ ଚାଲିଛି ।