ନୂଆଦିଲ୍ଲୀ,୧୮।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଜିଏସଟି ଟ୍ୟାକ୍ସ ରିହାତିର ଲାଭ ଏବେ ଧିରେ ଧିରେ କମ୍ ହେବାରେ ଲାଗିଛି। ୨୦୨୫ ସେପ୍ଟେମ୍ବର ବେଳେ ସରକାର ଜିଏସଟି ହାର କାଟ୍ କରିଥିଲେ। ଏହାର ପ୍ରଭାବ ଦୈନନ୍ଦିନ ବ୍ୟବହୃତ ବହୁ ଜିନିଷ ଉପରେ ପଡିଥିଲା ଓ ଏଫ୍ଏମ୍‌ଜିସି କମ୍ପାନୀର ପ୍ରଡକ୍ଟ ଶସ୍ତା ହୋଇଥିଲା। ତେବେ ଏହାର ସ୍ଥିତି ବଦଳୁଥିବାର ଦେଖିବାକୁ ମିଳୁଛି। କାରଣ ଦେଶର ଫାଷ୍ଟ ମୁଭିଂ କଞ୍ଜୁମର ଗୁଡସ୍ କମ୍ପାନୀ ନିଜର ପ୍ରଡକ୍ଟର ଦାମ୍ ବଢାଇବାରେ ଲାଗିଛନ୍ତି। କୁହାଯାଉଛି ଯେ, ବହୁ କମ୍ପାନୀର ଦାମ୍‌ରେ ପ୍ରାୟ ୫% ପର୍ଯ୍ୟନ୍ତ ବୃଦ୍ଧି ହେବାକୁ ଯାଉଛି। ଯାହାଫଳରେ ଗ୍ରାହକଙ୍କ ଉପରେ ଦରଦାମ୍ ବୃଦ୍ଧିର ପ୍ରଭାବ ପଡିପାରେ।

କମ୍ପାନୀ ଜିଏସ୍‌ଟି ହାରରେ କାଟ୍‌ର ନିଷ୍ପତ୍ତି ପରେ କିଛି ସମୟ ପର୍ଯ୍ୟନ୍ତ ଦାମ୍ ସ୍ଥିର ରଖିଥିଲା। ଯଦିଓ ଏବେର ସ୍ଥିତି ବଦଳିଥିବାର ଦେଖିବାକୁ ମିଳିଛି। କଞ୍ଚାମାଲର ମୂଲ୍ୟ ବୃଦ୍ଧି ଏବଂ ଟଙ୍କାର ଦୁର୍ବଳତା କର୍ପୋରେଟ ମାର୍ଜିନ ଉପରେ ଚାପ ପକାଇଛି। ଏହି କାରଣରୁ କମ୍ପାନୀ ଗୁଡିକ ଦାମ୍ ବଢାଇବାର ନିଷ୍ପତ୍ତି ନେଉଛନ୍ତି। ଡିଷ୍ଟ୍ରିବ୍ୟୁଟର୍ସଙ୍କ କହିବା ଅନୁସାରେ, ଏହି ତ୍ରୈମାସିକରେ ଡିଟରଜେଣ୍ଟ, ହେୟାର ଅଏଲ, ଚକୋଲେଟ ଏବଂ ନୁଡୁଲ୍ସ ଭଳି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ପ୍ରଡକ୍ଟ ନୂତନ ଏବଂ ଅଧିକ ମୂଲ୍ୟରେ ବଜାରକୁ ଆସୁଛି, ଯାହା ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ପକାଇପାରେ।

ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ମୂଲ୍ୟ ଚାପ ମଧ୍ୟରେ ଏଫ୍ଏମ୍‌ଜିସି କମ୍ପାନୀଗୁଡ଼ିକ ମୂଲ୍ୟ ବୃଦ୍ଧି ବିଷୟରେ ବିଚାର କରୁଛନ୍ତି। ଡାବର ଇଣ୍ଡିଆର ସିଇଓ ମୋହିତ ମାଲହୋତ୍ରା କହିଛନ୍ତି, କମ୍ପାନୀ ଚଳିତ ଚତୁର୍ଥ ତ୍ରୈମାସିକରେ ପ୍ରାୟ ୨ ପ୍ରତିଶତ ମୂଲ୍ୟ ବୃଦ୍ଧି କରୁଛି। ଡାବର ଜୁସ୍, କେଶ ତେଲ ଏବଂ ଅନ୍ୟାନ୍ୟ ଅନେକ FMCG ପ୍ରଡକ୍ଟ ତିଆରି କରେ। ସେ କହିଥିଲେ, ଆଣ୍ଟି-ପ୍ରଫିଟିୟରିଂ ନିୟମ ଯୋଗୁଁ ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପୂର୍ବରୁ ସ୍ଥଗିତ ରଖାଯାଇଥିଲା, କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି।  ସେଥିପାଇଁ ପ୍ରତିଦିନ ବ୍ୟବହାର ହେଉଥିବା ସାବୁନ,ସାମ୍ପୋ ଓ ଡିଟରଜେଟ୍ ଭଳି ହୋମ୍ ଓ ପର୍ସନାଲ କେୟାର ପ୍ରଡକ୍ଟ ମଧ୍ୟ ମହଙ୍ଗା ହେବାକୁ ଯାଉଛି।   

ଆହୁରି ପଢନ୍ତୁ : ଖୁବ୍ ସୁନା ବିକ୍ରି କରୁଛନ୍ତି ଏହି ଦେଶ , କ୍ରୟ କରିବାରେ କିଏ ଅଛି ଆଗରେ ...ଜାଣନ୍ତୁ ଭାରତର ନମ୍ୱର କେତେ