ନୂଆଦିଲ୍ଲୀ,୧୩/୧୨; ସାରା ଭାରତ ବର୍ତ୍ତମାନ ଉତ୍ସବ ମୁଖର । ବିଶ୍ୱର ଶ୍ରେଷ୍ଠ ଫୁଟବଲ୍ ଖେଳାଳି ଲିଓନେଲ ମେସି ୧୪ ବର୍ଷ ପରେ ଭାରତରେ ପହଞ୍ଚିଛନ୍ତି । କୋଲକାତାଠୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ଭାରତର ଫୁଟବଲ ପ୍ରେମୀଙ୍କ ଠାରୁ ଆରମ୍ଭ କରି ସିନେ ତାରକା ଓ ରାଜନେତା ପର୍ଯ୍ୟନ୍ତ ତାଙ୍କ ସହ ସାକ୍ଷାତ କରିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଭାରତ ଗସ୍ତରେ ମେସି ୪ଟି ପ୍ରମୁଖ ସହର କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଓ ଦିଲ୍ଲୀ ଯାତ୍ରା କରି ଅନେକ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମର ନାମ ରଖା ଯାଇଛି ‘ଦ ଗୋଟ୍ ଟୁର୍’ । କୋଲକାତାରେ ପହଞ୍ଚିବା ପରେ ମେସିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।​​​​​​

୩ ଦିନିଆ ଭାରତ ଗସ୍ତରେ ମେସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବା ସହ ମୁମ୍ବାଇରେ ଫ୍ୟାସନ ଶୋ, ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍‌ ମ୍ୟାଚ୍‌, ଫୁଟବଲ୍‌ ମ୍ୟାଚ, ପିଲାମାନଙ୍କ ପାଇଁ ଫୁଟବଲ୍‌ ପ୍ରଶିକ୍ଷଣ ଶିବିର ଆଦି କାର୍ଯ୍ୟକ୍ରମରେ ଯୋଗ ଦେବେ । ମେସିଙ୍କ ସହ ଲୁଇସ ସୁଆରେଜ ଓ ରୋଡ୍ରିଗୋ ଡି ପଲ୍‌ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି । ସେମାନଙ୍କ ପାଇଁ ଜେଡ୍‌ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମେସି ମାୟାମୀରୁ ବିମାନ ଯୋଗେ ସିଧା ଦୁବାଇରେ ଆସି ପହଞ୍ଚିବା ପରେ ସେଠାରେ କିଛି ସମୟ ଅବସ୍ଥାନ କରିବା ପରେ ଭାରତ ଅଭିମୁଖେ ଯାତ୍ରା କରିଥିଲେ । ଏହା ପରେ ସେ କୋଲକାତା ବିମାନ ବନ୍ଦରରେ ପହଞ୍ଚି ସାରିଛନ୍ତି । ଦୀର୍ଘ ୧୪ ବର୍ଷ ପରେ ଭାରତ ଆସିଛନ୍ତି ଆର୍ଜେଣ୍ଟିନା ଫୁଟବଲ୍ ଲିଜେଣ୍ଡି ଲିଓନେଲ୍ ମେସି । ପୂର୍ବରୁ ସେ ୨୦୧୧ରେ ଆର୍ଜେଣ୍ଟିନା ଦଳ ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ପାଇଁ ଭାରତ ଆସିଥିଲେ । ଆର୍ଜେଣ୍ଟିନା ଓ ଭେନେଜୁଏଲା ମଧ୍ୟରେ ଏହି ମ୍ୟାଚ୍‌ ଖେଳା ଯାଇଥିଲା । ଆର୍ଜେଣ୍ଟିନା ୧-୦ ଗୋଲ୍‌ରେ ଉକ୍ତ ମ୍ୟାଚ ଜିତିଥିଲା । 

​​​​​​​ହାତ ମିଳାଇଲେ ୧୦ଲକ୍ଷ- ଭାରତରେ ମେସିଙ୍କର ଅଗଣତି ପ୍ରଶଂସକ ରହିଛନ୍ତି । ତେଣୁ ତାଙ୍କ ସହ ସାକ୍ଷାତ କରିବା, ହାତ ମିଳାଇବା କିମ୍ବା ଫଟୋ ଉଠାଇବା ପାଇଁ ଆୟୋଜକଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଫ୍ୟାନମାନଙ୍କ ପାଇଁ ‘ମିଟ୍‌ ଆଣ୍ଡ ଗ୍ରୀଟ୍‌’ କାର୍ଯ୍ୟକ୍ରମ ରଖାଯାଇଛି । ମେସିଙ୍କ ପ୍ରଶଂସକ ତାଙ୍କୁ ଦେଖିବାର ସ୍ୱପ୍ନ ପୂରଣ କରିପାରିବେ । ହେଲେ ଏହି ସ୍ୱପ୍ନ ପୂରଣ ମଧ୍ୟ ସ୍ୱପ୍ନ ପରି ମନେ ହେଉଛି । ମେସିଙ୍କୁ ସାକ୍ଷାତ କରିବା ପାଇଁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଖାଲି ସେତିକି ନୁହେଁ, ତାଙ୍କୁ ଭେଟିବା ପାଇଁ ଭିଆଇପି ଓ ପ୍ରିମିୟମ ପ୍ୟାକେଜ ମଧ୍ୟ ରଖାଯାଇଛି । ଏଥିପାଇଁ ଫ୍ୟାନଙ୍କୁ ୯୫ଲକ୍ଷ ଟଙ୍କାର ଟିକେଟ୍‌ କାଟିବାକୁ ପଡ଼ିବ ।