ବ୍ରହ୍ମପୁର, ୨/୦୬ (ପ୍ରହଲ୍ଲାଦ ସାହୁ): କିଛି ଦିନ ତଳେ ଗୋଟେ ବିଳମ୍ବିତ ସନ୍ଧ୍ୟାର କଥା । ଆକାଶରେ ମେଘ, ରାସ୍ତା ଅନ୍ଧାର । ବ୍ରହ୍ମପୁର ସନ୍ନିକଟ ଜାତୀୟ ରାଜପଥରେ ଯାଉଥିବାବେଳେ ରାସ୍ତା କଡ଼ରେ ଜଣେ ମହିଳା ଠିଆ ହୋଇଥିବାର ଦେଖିଲି । ସେ ଲିଫ୍‌ଟ ମାଗିବା ଭଳି ଲାଗିଲା । ଗାଡ଼ିଅଟକାଇଥିଲି । ସେ ବି ପାଖକୁ ଆସିଥିଲେ, ସିଧାସଳଖ ପଚାରିଥିଲେ କେଉଁଠିକି ଯିବା? ଜାତୀୟ ରାଜପଥରେ ଦେହଜୀବୀ ଠିଆ ହେଉଥିବା ଶୁଣିଥିଲି- ଦେଖିଲି । ଦେହରେ ଝଲସୁଥିବା ପୋଷାକ । ମୁହଁରେ ପ୍ରସାଧନ ସ୍ପଷ୍ଟ । ମୁଁ ପରିଚୟ ଦେଇ ସାମ୍ବାଦିକ ବୋଲି କହିଥିଲି । ସେ ମୋତେ ସେଠାରୁ ଚାଲିଯିବାକୁ କହିଲେ । କିନ୍ତୁ ତାଙ୍କ ବିଷୟରେ କିଛି ଜାଣିବାର ଇଚ୍ଛା ହେଲା । ମୁଁ ତାଙ୍କୁ ଅନୁରୋଧ କରିଥିଲି କିଛି ସମୟ ଦେବାକୁ, କଥା ହେବା ପାଇଁ । ସେ କୁଣ୍ଠିତ ଭାବେ ମୋର କଥା ରଖିଲେ । ଆଉ ତାଙ୍କ ସମ୍ପର୍କରେ ମୋର ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତରରେ ମୁଁ ଶୁଣୁଥିଲି ତାଙ୍କ ଜୀବନ ସଂଘର୍ଷ, ଦେଖୁଥିଲି ତାଙ୍କର ପ୍ରସାଧନ ତଳେ ଲୁହ ଓ କୋହକୁ ।

ପରିଚୟ ଗୋପନ ରଖିବାକୁ କହିଥିଲେ ସେ । ସେ ଗ୍ରାଜୁଏଟ୍‌ । ଆଗକୁ ମଧ୍ୟ ପଢ଼ିବାକୁ ଇଚ୍ଛା ଥିଲା । କିନ୍ତୁ ଆଧା ବାଟରେ ଛାଡିଯାଇଥିଲେ ବାପା-ମାଆ । ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ଥିବା ସମୟରେ ହିଁ ଜୀବନ ଅନ୍ଧାର ହୋଇଗଲା । ଆଉ ତାଙ୍କ ଉପରେ ଦୁଇ ଭାଇ-ଭଉଣୀଙ୍କ ବୋଝ । ପାଠ ଛାଡ଼ି ଦେଇଥିଲେ । ଗୋଟିଏ ସପିଂ ମଲ୍‌ରେ କାମ କରିବାକୁ ଲାଗିଲେ । ଦରମା ମାତ୍ର ୮ହଜାର ଟଙ୍କା । ସେତିକିରେ ତାଙ୍କ ପରିବାର ଚଳିଗଲା । ହେଲେ ୮ମ ଶ୍ରେଣୀରେ ପଢ଼ୁଥିବା ଭାଇ ଓ ୧୦ମ ଶ୍ରେଣୀରେ ପଢ଼ୁଥିବା ଭଉଣୀକୁ ଆଗକୁ ପାଠ ପଢ଼ାଇବାକୁ ତାଙ୍କର ବେଶୀ ଇଛା ଥିଲା । ସପିଂ ମଲ୍‌ରୁ ପାଉଥିବା ଦରମାରେ ତାଙ୍କ ପରିବାର ତ ଚଳିଗଲା ହେଲେ ସେ ଭାଇ-ଭଉଣୀଙ୍କ ପାଠ ପଢ଼ା ଖର୍ଚ୍ଚ ଉଠାଇପାରିଲେ ନାହିଁ । ଯାହାକୁ ବି ସାହାଯ୍ୟ ମାଗିବାକୁ ଗଲେ ସେମାନେ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଚାହିଁଲେ । ଶେଷରେ ବାଧ୍ୟ ହୋଇ ସେ ଏମିତି ଏକ ବୃତ୍ତିକୁ ଆପଣାଇଥିଲେ ।

ଆହୁରି ପଢନ୍ତୁମାଳିସାହିର ମରମ କଥା, ସହମତିରେ ସମ୍ପର୍କ ବି ଦୁଷ୍କର୍ମ ପାଲଟିଯାଏ, ଟଙ୍କା ଦେଇ ରାକ୍ଷସ ପାଲଟିଯାଏ ପୁରୁଷ

ତାଙ୍କ କହିବା ପ୍ରକାରେ ଦୀର୍ଘ ୩ ବର୍ଷ ହେଲା ଘର ଓ ପରିବାର ଲୋକଙ୍କୁ ଦେଖିନାହାନ୍ତି । ପରିସ୍ଥିତି ଏଭଳି ବୃତ୍ତି କରିବାକୁ ବାଧ୍ୟ କରିଛି । ଜାତୀୟ ରାଜପଥ ସବୁଠୁ ସୁରକ୍ଷିତ ଜାଗା । ଏଠାରେ ନା ପୁଲିସ ଭୟ ଅଛି ନା ଆଉ କାହାକୁ । ସନ୍ଧ୍ୟା ହେଲେ ନିଜକୁ ପ୍ରେଜେଣ୍ଟ୍‌ବ୍‌ଲ କରି ରାସ୍ତା କଡ଼ରେ ଠିଆ ହୁଅନ୍ତି । ଆଉ ଗ୍ରାହକ ବି ଖୋଜା ପଡ଼େନି । ଏନ୍‌ଏଚ୍‌ରେ ଯାଉଥିବା କିଛି ବାଟୋଇ ଗ୍ରାହକ ହୋଇ ଆସନ୍ତି । ରାତିର କିଛି ସମୟ ଭିତରେ ଦୁଇ ହଜାର ଟଙ୍କା ରୋଜଗାର ହୋଇଯାଏ । ହେଲେ ସବୁବେଳେ ସମୟ ସମାନ ନଥାଏ । ବେଳେ ବେଳେ କିଛି ଅଘଟଣର ସମ୍ମୁଖୀନ ହେବାକୁ ହୁଏ । କିଛି ଖଳ ପ୍ରକୃତିର ଲୋକ ମଧ୍ୟ ଆସନ୍ତି । ମୋ ସହ ସମୟ ବିତାନ୍ତି । ପ୍ରାପ୍ୟ ମାଗିଲେ ସେମାନେ ମାରପିଟ୍‌ ବି କରିଛନ୍ତି । ଏମିତି ହିଁ ଆମ ଜୀବନ ବିତୁଛି । ମୁଁ ସିନା ପରିସ୍ଥିତିରେ ପଡ଼ି ଦେହଜୀବୀ ହୋଇଗଲି, ହେଲେ ଘରକୁ ଫେରି ପାରୁନି । ଆଜି ବି ମୋ ଭାଇ-ଭଉଣୀ ମୋ ଫେରିବା ବାଟକୁ ଚାହିଁ ରହିଛନ୍ତି । କିନ୍ତୁ ସେମାନଙ୍କୁ ମୁହଁ ଦେଖାଇବାକୁ ସାହସ ହେଉନି । ସେମାନେ ଜାଣନ୍ତିନି ତାଙ୍କ ଭଉଣୀ କିଭଳି ଅବସ୍ଥାରେ ରୋଜଗାର କରି ତାଙ୍କ ଖର୍ଚ୍ଚ ତୁଲାଉଛନ୍ତି । ମୋର ବିଶ୍ୱାସ, ଏହା ଜାଣିଲେ ସେମାନେ ନିଶ୍ଚୟ ମୋତେ ଏହା କରିବାକୁ ବାରଣ କରିବେ । ତେବେ ସେମାନଙ୍କ ଭବିଷ୍ୟତ ପାଇଁ ଯେଉଁ ସ୍ୱପ୍ନ ମୁଁ ଦେଖିଛି ତାହା ଅଧୁରା ରହିଯିବ ।

୭ ଦିନ ଅନ୍ଧକାର ଘୋଟିବ, ବଇରି ଷ୍ଟେସନରେ ଇଞ୍ଜିନ ଫାଟିବ || ମାଳିକା କହେ…!