ନୂଆଦିଲ୍ଲୀ,୦୯/୦୫: ଭାରତ ଓ ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଯାଇଥିବାବେଳେ ସୁରକ୍ଷା କାରଣରୁ ଗତକାଲି ଧର୍ମାଶାଳାରେ ଖେଳାଯାଉଥିବା ପଞ୍ଜାବ କିଙ୍ଗ୍‌ସ ଓ  ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌କୁ ୧୦.୧ ଓଭର ପରେ  ସ୍ଥଗିତ ଘୋଷଣା କରାଯାଇଥିଲା । ଏହାପରେ ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲର ଜରୁରୀ ବୈଠକ  ବସିଥିଲା । ବୈଠକ ପରେ କୌଣସି ପ୍ରେସ ବିଜ୍ଞପ୍ତି  ଆଇପିଏଲ ପକ୍ଷରୁ ଜାରି କରାଯାଇ ନାହିଁ । କିନ୍ତୁ  ଯାହା ସୂଚନା ମିଳିଛି, ସୁରକ୍ଷା ଦୃଷ୍ଟିରୁ ବିଦେଶୀ  ଖେଳାଳିମାନଙ୍କୁ ତୁରନ୍ତ ସ୍ୱଦେଶ ବାହୁଡ଼ି  ଯିବା ନେଇ ବିସିସିଆଇ ବ୍ୟବସ୍ଥା କରିବ ।  ଆଜି ବିସିସିଆଇ ପକ୍ଷରୁ  ଆଇପିଏଲ୍‌କୁ ନେଇ ବଡ଼ ଘୋଷଣା  ହୋଇପାରେ । ଟୁର୍ଣ୍ଣାମେଣ୍ଟ ଏଇଠୁ ସ୍ଥଗିତ ରହିବ  ନା’ ଭେନ୍ୟୁ ପରିବର୍ତ୍ତନ କରି ଖେଳ ଜାରି ରହିବ  ସେ ବିଷୟରେ ନିଷ୍ପତ୍ତି ହେବ । 

ଧର୍ମଶାଳାରେ ଗୁରୁବାର ମ୍ୟାଚ୍‌ ଚାଲିଥିବା ସମୟରେ  ପାକିସ୍ତାନ ଜମ୍ମୁ-କାଶ୍ମୀର ସୀମାରେ ମିସାଇଲ ମାଡ଼ କରିଥିଲା । ପଠାନକୋଟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ସେଠାରୁ ଧର୍ମଶାଳା ୬୨ରୁ ୮୦ କି.ମି ଦୂର ।  ଷ୍ଟାଡିୟମରେ ଦର୍ଶକ ଶବ୍ଦ ଶୁଣି ଥିବା ଗଣମାଧ୍ୟମକୁ  କହିଥିଲେ । ବର୍ଷା ଯୋଗୁ ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା । ପ୍ରଥମ ଇନିଂସ ୧୦.୧ ଓଭର  ଖେଳାଯିବା ପରେ ହଠାତ ଷ୍ଟାଡିୟମରେ ଫ୍ଲଡ୍‌ଲାଇଟ୍‌ ବନ୍ଦ କରାଯାଇଥିଲା । ଏହାପରେ କିଛି ସମୟ  ପରେ ଖେଳକୁ ସ୍ଥଗିତ ଘୋଷଣା କରାଯାଇଥିଲା ।  

ଆଇପିଏଲ୍‌ ଅଧ୍ୟକ୍ଷ ଅରୁଣ ଧୂମାଲ ତୁରନ୍ତ  ଷ୍ଟାଡିୟମ ଛାଡ଼ି ସୁରକ୍ଷିତ ଭାବେ ପଳାଇ ଯିବାକୁ  ସମସ୍ତ ଦର୍ଶକଙ୍କୁ ଅନୁରୋଧ କରିଥିଲେ । ସେ କହିଛନ୍ତି, ‘ଆଇପିଏଲ ଜାରି ରହିବ । କାରଣ ଏ  ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ବନ୍ଦ ରଖିବା ନେଇ କେନ୍ଦ୍ର  ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସି ନାହିଁ ।  ଆମେ ପରିସ୍ଥିତିର ଅନୁଧ୍ୟାନ କରୁଛୁ । କେନ୍ଦ୍ର  ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ ।’ 

ରେଳରେ ଧର୍ମଶାଳାରୁ ଫେରିଲେ ଖେଳାଳି ପଞ୍ଜାବ ଓ ଦିଲ୍ଲୀ ଖେଳାଳିଙ୍କୁ ସ୍ୱତନ୍ତ୍ର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯୋଗେ ଧର୍ମଶାଳାରୁ ପଠାନକୋଟ ନିଆଯାଇଥିଲା । ଏହାପରେ  ଖେଳାଳିମାନେ ସେଠାରୁ ଦିଲ୍ଲୀ ପଠାଯାଇଛି । ଯୁଦ୍ଧ  ଯୋଗୁ ଏବେ ଆକାଶମାର୍ଗ ବନ୍ଦ ରଖାଯାଇଛି। ତେଣୁ  ବିମାନଚଳାଚଳ ବନ୍ଦ ରହିଛି ।