ବନବିଭାଗ କର୍ମଚାରୀ ପଞ୍ଝାରେ ୨ ଶିକାରୀ, ଶିମିଳିପାଳ ଅଭୟାରଣ୍ୟରୁ ଗିରଫ ହେଲେ

ବାରିପଦା, ୨୩/୫: ଜାତୀୟ ଅଭୟାରଣ୍ୟ ଶିମିଳିପାଳରୁ ୨ ଶିକାରୀଙ୍କୁ ବନବିଭାଗ କର୍ମଚାରୀ ଧରିବାରେ ସକ୍ଷମ ହୋଇଛନ୍ତି । ଦୁଇ ଶିକାରୀଙ୍କୁ ଗିରଫ କରାଯାଇ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି । ଗିରଫ ଶିକାରୀମାନେ ମାଲକି ସିଂ ଓ ଯୋଡା ସିଂ ବୋଲି ଜଣାପଡ଼ିଛି । ଉଭୟ କପ୍ତିପଦା ଥାନା ଅନ୍ତର୍ଗତ ପୋଡ଼ାଡ଼ିହା ବାଲିନାଳର ବାସିନ୍ଦା ।
ସୋମବାର ସନ୍ଧ୍ୟାରେ ଭଞ୍ଜବସା ରେଞ୍ଜରେ ରାତ୍ରି କାଳୀନ ପାଟ୍ରୋଲିଂ କରିବା ସମୟରେ ଶିମିଳିପାଳ ସାଉଥ୍ ୱାଇଲ୍ଡ ଲାଇଫ୍ ଡିଭିଜନର କର୍ମଚାରୀମାନେ ଏହି ଶିକାରୀମାନଙ୍କୁ ଦେଖି ପିଛା କରିଥିଲେ । ସେମାନଙ୍କ ହାତରେ ମାରଣାସ୍ତ୍ର ଦେଖି ବନବିଭାଗ କର୍ମଚାରୀମାନେ ସେମାନଙ୍କ ପଛ କରିଥିଲେ ଓ ଶେଷରେ ଧରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କ ନିକଟରୁ ଏକ ବନ୍ଧୁକ ଜବତ କରାଯାଇଥିବା ପୋଲିସ କହିଛି ।