ଖୁଣ୍ଟା, ୭/୧୧ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ତଥା ଖୁଣ୍ଟା ଥାନା ଅଞ୍ଚଳରେ ପଥର ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିଥିବା ଦେଖିବାକୁ ମିଳିଛି । ସରକାରୀସ୍ତରରେ କୌଣସି ଖଣି ଖାଦାନ ଅନୁମତି ନ ଥିବାବେଳେ ପିଠାବଟା ରେଞ୍ଜର ଡୁକୁରା ଫରେଷ୍ଟ ସେକସନ୍, ଖୁଣ୍ଟା ଥାନା ଓ ତହସିଲ୍ ଅଞ୍ଚଳରେ ବେଆଇନ ମାଙ୍କଡ଼ା ପଥର ଖାଦାନ ବଢ଼ି ଚାଲିଛି। ଖୁଣ୍ଟା ତହସିଲ ଅଧିନ ବଡ଼ପଥରା ରାଜସ୍ୱ ନିରୀକ୍ଷକ ଏରିଆର ଚାପଲଡିହି, ରଙ୍ଗାମାଟିଆ, ଜୁରାଡିହି ଓ ଗିରିଶ୍ଚନ୍ଦ୍ରପୁର ଗ୍ରାମମାନଙ୍କରେ ଚାଲିଥିବା ବେଆଇନ ମାଙ୍କଡ଼ା ପଥର ଖାଦାନରୁ ଟ୍ରାକ୍ଟର ଓ ଟ୍ରକ୍ ଯୋଗେ ପଥର ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି ।

ଏପଟେ ସବୁ ଜାଣି ସ୍ଥାନୀୟ ପ୍ରଶାସନ ଚୁପ୍ ରହିଥିବାବେଳେ ଜଙ୍ଗଲ ବିଭାଗ ପକ୍ଷରୁ ୨୪ଘଣ୍ଟିଆ ପାଟ୍ରୋଲିଂ ଜାରି ରହିଥିଲେ ସୁଧା ଦିନ ଦ୍ବିପହରରେ ଖୁଲମଖୁଲା ଚାଲିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଜନସାଧାରଣ ତହସିଲଦାରଙ୍କୁ ଦୃଷ୍ଟି ଆକର୍ଷଣ କରୁଥିବାବେଳେ ତାହା ମାଇନିଂ ବିଭାଗର କାମ ତାଙ୍କୁ କୁହନ୍ତୁ । ମାତ୍ର  ମାଇନିଂ ବିଭାଗ ମାଫିଆଙ୍କ ହାତ ବାରୀସି ସାଜିଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ସେପଟେ ବେଆଇନ କାର୍ଯ୍ୟକୁ ରୋକିବାରେ ପୁଲିସ ପ୍ରଶାସନର ପୂର୍ଣ୍ଣ କ୍ଷମତା ରହିଥିବାବେଳେ ପୁଲିସ କାହିଁକି ନିରବଦ୍ରଷ୍ଟା ସାଜିଛି ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ବେଆଇନ ପଥର ଖାଦାନ ରକିବା ଦିଗରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।