ମାଲକାନଗିରି/କାଲିମେଳା,୨୩/୧: ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ରେଞ୍ଜ ଅନ୍ତର୍ଗତ ଏମପିଭି ୨୬ ଗାଁର ଏକ ଖୋଲା ଭଙ୍ଗା କୂଅତରେ ପଡ଼ିଲା ଭାଲୁ । ଶୁକ୍ରବାର ସକାଳେ ବଣୁଆ ଭାଲୁଟି କୂଅରେ ପଡ଼ି ଯାଇଥିବାବେଳେ ଯନ୍ତ୍ରଣାରେ ଛଟ ପଟ ହୋଇଥିଲା । ଗାଁଲୋକେ ଦେକିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ଓ କାଲିମେଳା ବନ ଅଧିକାରୀମାନଙ୍କ ସହିତ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ପ୍ରାୟ ତିନି ଘଣ୍ଟା ପରିଶ୍ରମ ପରେ ଭାଲୁଟିକୁ କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଉଦ୍ଧାର ଭାଲୁଟିକୁ ପଶୁ ଚିକିତ୍ସକ ଅଧିକାରୀଙ୍କ ଦ୍ୱାରା ଚିକତ୍ସା କରାଯାଇଛି । ତେବେ ଭାଲୁଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦିଆଯିବ ବୋଲି ସହକାରୀ ବନ ସଂରକ୍ଷକ ପ୍ରିୟଙ୍କା ମହୁକା ସୂଚନା ଦେଇଛନ୍ତି।