ଜୁଲାଇ ମାସ ପ୍ରଥମ ସପ୍ତାହ ବନ ମହୋତ୍ସବର ସପ୍ତାହ । ଏହା ପୂର୍ବରୁ ଜୁନ ମାସରେ ରଜ ସଂକ୍ରାନ୍ତି ବେଳକୁ ମାଟି ବୀଜ ଧାରଣ କରିବାକୁ ଉପଯୁକ୍ତ ହୋଇଥାଏ । ଜୁଲାଇ ମାସ ବେଳକୁ ମୌସୁମୀ ବାୟୁ ପ୍ରବାହିତ ହୋଇ ବର୍ଷା ଋତୁ ଆରମ୍ଭ ହୋଇ ସାରିଥାଏ । ଚାରା ରୋପଣ ବା ଗଛ ଲଗାଇବାର ଏହା ପ୍ରକୃଷ୍ଟ ସମୟ । ଏହି କାରଣରୁ ସାରା ଭାରତରେ ଜୁଲାଇ ମାସ ପ୍ରଥମ ସପ୍ତାହଟି ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଏ । ଦେଖିବାକୁ ଗଲେ ସଂପୂର୍ଣ୍ଣ ଜୁଲାଇ ଓ ଅଗଷ୍ଟ ମାସ ସାରା ବର୍ଷା ଲାଗି ରହିଥାଏ । ଏହା ଗଛ ଲଗାଇବାର ପ୍ରକୃଷ୍ଟ ଋତୁ ବା ସମୟ । ବୃହତ୍ ବୃକ୍ଷ ରୋପଣର ଉତ୍ସବ ଆରମ୍ଭ ହୋଇଥିଲା ପ୍ରଥମେ ୧୯୫୦ ମସିହାରେ । ଭାରତର ତତ୍କାଳୀନ କୃଷି ମନ୍ତ୍ରୀ କେ. ଏମ. ମୁନସୀ ଏହି ପରମ୍ପରାର ଅୟମାରମ୍ଭ କରିଥିଲେ । ସେତେବେଳେ ବନ ବିଭାଗ ଭାରତ ସରକାରଙ୍କର ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ନଥିଲା । ଏହା ଖାଦ୍ୟ ଓ କୃଷି ବିଭାଗ ଅଧୀନରେ ଥିଲା । ଦେଶ ସ୍ୱାଧୀନ ହେବା ପୂର୍ବରୁ ବ୍ରିଟିଶ ଅମଳରେ ବୃକ୍ଷର ଉତ୍କର୍ଷତା ଓ ପ୍ରୟୋଜନୀୟତା ଏହାର ଆର୍ଥିକ ମୂଲ୍ୟାୟନ ଉପରେ ନିର୍ଭର କରୁଥିଲା । ରେଳ ଲାଇନରେ ସ୍ଲିପର ବିଛାଇବା ପାଇଁ ଏବଂ ଜାହାଜ ନିର୍ମାଣ ପାଇଁ ମୁଖ୍ୟତଃ ଶାଳ, ଅସନ ଓ ସାଗୁଆନ କାଠର ଆବଶ୍ୟକତା ପଡୁଥିଲା । ଏହା ବ୍ୟତୀତ ସେ ସମୟରେ କୃଷିକୁ ଜଙ୍ଗଲ ଅପେକ୍ଷା ଅଧିକ ପ୍ରାଧାନ୍ୟ ଦିଆଯାଉଥିଲା । ଆବଶ୍ୟକ ହେଲେ ଜଙ୍ଗଲ କାଟି ସଫା କରି ଚାଷଜମିରେ ପରିଣତ କରାଯାଉଥିଲା । ଅଧିକରୁ ଅଧିକ ଫସଲ ଅମଳ କରିବା ଥିଲା ପ୍ରମୁଖ ଲକ୍ଷ୍ୟ ।
୧୯୫୨ ମସିହାରେ ସ୍ୱାଧୀନ ଭାରତର ପ୍ରଥମ ଜଙ୍ଗଲ ନୀତି ପ୍ରଣୟନ କରାଗଲା । ଯେଉଁଥିରେ ଲକ୍ଷ୍ୟ ଧାର୍ଯ୍ୟ କରାଗଲା ଦେଶର ମୋଟ ଭୂଭାଗର ଏକ-ତୃତୀୟାଂଶ ଅର୍ଥାତ୍ ୩୩ ଭାଗ ଅଞ୍ଚଳ ଜଙ୍ଗଲ ଆଚ୍ଛାଦିତ ରହିବା ଆବଶ୍ୟକ । ପାର୍ବତ୍ୟାଞ୍ଚଳରେ ଏହା ୬୦ ଭାଗରୁ ଅଧିକ ରହିବା ଜରୁରି । ଫଳରେ ମୃତ୍ତିକା ଅବକ୍ଷୟ ରୋକାଯାଇପାରିବ ଏବଂ ପର୍ବତରୁ ବାହାରିଥିବା ନଦୀରେ ବର୍ଷସାରା ଜଳ ପ୍ରବାହିତ ହେବ ।
କିନ୍ତୁ ୧୯୫୨ ମସିହାର ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୫୦ରେ ତତ୍କାଳୀନ ଖାଦ୍ୟ ଓ କୃଷି ମନ୍ତ୍ରୀ ନିଜର ଅଦ୍ଭୁତ ଦୂରଦୃଷ୍ଟି ହେତୁ, ବାୟୁଚକ୍ର ସଂଚାଳନ ଏବଂ ଅନ୍ୟାନ୍ୟ ପରିବେଶୀୟ ସେବା ପ୍ରଦାନ କରୁଥିବା ବୃକ୍ଷର ମହତ୍ତ୍ୱକୁ ହୃଦୟଙ୍ଗମ କରି ଏବଂ ଭବିଷ୍ୟତରେ ବିକାଶ ପାଇଁ ଜଙ୍ଗଲର ଅବକ୍ଷୟକୁ ପରିକଳ୍ପନା କରି ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଥିଲେ । ସତକୁ ସତ ଏବେ ଏହା ଏକ ମହାଉତ୍ସବ ବା ମହାନ ଗଣଅଭିଯାନରେ ପରିଣତ ହୋଇଛି । ଏ ଲେଖକ ୧୯୮୦ ମସିହାରେ ନବରଙ୍ଗପୁର ବନଖଣ୍ଡର ଅଧିକାରୀ ଥିଲାବେଳେ ସେଠାରେ କେବଳ ରାଜା ଚୈତନ୍ୟଦେବ ଉଚ୍ଚ ବିଦ୍ୟାଳୟ ଏବଂ ସ୍ଥାନୀୟ କଲେଜରେ ବନ ବିଭାଗ ଦ୍ୱାରା ବନ ମହୋତ୍ସବ ବା ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଉଥିଲା ।
ବିଗତ ଦଶ ବର୍ଷ ହେଲା ମୁଁ ଲକ୍ଷ୍ୟ କରୁଛି, କେବଳ ବନ ବିଭାଗ ନୁହେଁ କୃଷି ବିଭାଗ, ଉଦ୍ୟାନ ବିଭାଗ, ପଞ୍ଚାୟତିରାଜ ବିଭାଗ, ଆଦିବାସୀ କଲ୍ୟାଣ ବିଭାଗ, ପର୍ଯ୍ୟଟନ ବିଭାଗ, ଖଣି ବିଭାଗ ଆଦି ଅନେକ ସରକାରୀ ବିଭାଗ ଏହି ଉତ୍ସବ ପାଳନ କରୁଛନ୍ତି । ଗାଁ ଗହଳିରେ, ସହର ବଜାରରେ, ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଏହି ସମୟରେ ଲକ୍ଷ ଲକ୍ଷ ଚାରା ରୋପଣ କରାଯାଉଛି ଏବଂ ହଜାର ହଜାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକ୍ରିୟ ଭାବେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ତେଣୁ ବନ ମହୋତ୍ସବର ଯେଉଁ ପ୍ରାଥମିକ ଲକ୍ଷ୍ୟ ଥିଲା, ଯଥା- ଜନସାଧାରଣଙ୍କୁ ବୃକ୍ଷର ଅବଦାନ ବିଷୟରେ ସଚେତନ କରାଇବା ଏବଂ ଦେଶର ସମସ୍ତ ନାଗରିକଙ୍କୁ ମହାନ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ କରାଇବା, ତାହା ଊଣାଅଧିକେ ସଫଳ ହୋଇଛି କହିଲେ ଅତ୍ୟୁକ୍ତି । ଚଳିତ ୨୦୨୬ ବର୍ଷରେ ବନ ମହୋତ୍ସବ ସପ୍ତାହର ପ୍ରସଙ୍ଗ ରଖାଯାଇଛି ‘ଗଛ ଲଗାଅ, ପୃଥ୍ୱୀ ବଞ୍ଚାଅ’ । ଜନସାଧାରଣ ବୃକ୍ଷରୋପଣ ଜରିଆରେ ଜଳବାୟୁ ପରିବର୍ତ୍ତନ ଜନିତ ଦୈବୀ ଦୁର୍ବିପାକର ମୁକାବିଲା କରି ପରିବେଶକୁ ସୁନ୍ଦର ସବୁଜ ରଖିôପାରିବେ ଏବଂ ଆମର ପ୍ରିୟ ପୃଥିବୀକୁ ଧ୍ୱଂସମୁଖରୁ ବଞ୍ଚାଇ ପାରିବେ ।
ବୃକ୍ଷ ଏକ ଜୀବନ୍ତ କର୍ମଶାଳା । ବାୟୁମଣ୍ଡଳରୁ ବିଶ୍ୱ ତାପମାତ୍ରା ବୃଦ୍ଧିରେ ସହାୟକ ହେଉଥିବା ଅଙ୍ଗାରକାମ୍ଳ ଆହରଣ କରି ଆଲୋକ ଶ୍ଳେଷଣ ପଦ୍ଧତିରେ ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରିବା ପରେ ପୁନଶ୍ଚ ବାୟୁମଣ୍ଡଳକୁ ବିଶୁଦ୍ଧ ଅମ୍ଳଜାନ ଛାଡ଼ିବା ଦ୍ୱାରା ବାୟୁଚକ୍ର ସଂଚାଳନରେ ମୁଖ୍ୟ ଭୂମିକା ତୁଲାଇଥାଏ ବୃକ୍ଷ । ବୃକ୍ଷଦ୍ୱାରା ପ୍ରସ୍ତୁତ ଖାଦ୍ୟ ହିଁ ସମଗ୍ର ଜୀବଜଗତକୁ ପ୍ରତ୍ୟକ୍ଷରେ ବା ପରୋକ୍ଷରେ ଆହାର ଯୋଗାଇଥାଏ । ଗ୍ରୀକ ଦାର୍ଶନିକ ସକ୍ରେଟିସ ଯଥାର୍ଥରେ କହିଛନ୍ତି ‘ବୃକ୍ଷରୁ ଜଳ, ଜଳରୁ ଶସ୍ୟ, ଶସ୍ୟରୁ ସଭ୍ୟତା ଏବଂ ଜୀବନର ବିକାଶ ଘଟିଥାଏ । ସାଧାରଣତଃ ଆମେ ଭାବିନେଉ, ଯେହେତୁ ଗଛମାନେ ମୂକ, ନିର୍ବାକ, ସେମାନେ ପ୍ରତିକ୍ରିୟାହୀନ । ଯେହେତୁ ସେମାନେ ଚଳତ୍ଶକ୍ତିହୀନ, ତେଣୁ ସେମାନେ ଅସହାୟ ।’ ବିଗତ ଶତାବ୍ଦୀରେ ଭାରତୀୟ ବୈଜ୍ଞାନିକ ସାର୍ ଜଗଦୀଶ ଚନ୍ଦ୍ର ବୋଷ, ବୃକ୍ଷଲତାଙ୍କର ମଧ୍ୟ ଚେତନାଶକ୍ତି ଅଛି ବୋଲି ଦର୍ଶାଇଥିଲେ । ଆଉ କିଛି ବୈଜ୍ଞାନିକ ପରୀକ୍ଷା କରି ପ୍ରତିପାଦିତ କଲେଣି ବୃକ୍ଷ ମଧ୍ୟ ଯନ୍ତ୍ରଣା, କ୍ରୋଧ ଓ ବ୍ୟଥା ଅନୁଭବ କରେ, ସଂଗୀତ ଶୁଣି ଉଲ୍ଲସିତ ହୁଏ । ପରସ୍ପର ମଧ୍ୟରେ ନିଜ ଉପାୟରେ ଭାବର ଆଦାନ ପ୍ରଦାନ କରିପାରେ । ଗଛ ପରିବେଶର ଏକ ସଜୀବ ଉପାଦାନ ।
ନିକଟରେ ‘ଡାଉନ ଟୁ ଆର୍ଥ’ର ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି, ବିଗତ ୩ବର୍ଷ ଭିତରେ ୨୮ଲକ୍ଷରୁ ଅଧିକ ଗଛ କାଟିବା ପାଇଁ ଅନୁମୋଦନ ଦିଆଯାଇଛି । ଏହାଛଡ଼ା ବିନା ଅନୁମୋଦନରେ କେତେ ଯେ ଗଛ କଟୁଛି ତାର କଳନା ସମ୍ଭବ ନୁହେଁ । ଏକଥା ସତ ଯେ, ପ୍ରତିବର୍ଷ ଏହି ସଂଖ୍ୟାର ଅନେକ ଗୁଣା ଗଛ ଦେଶରେ ଲାଗୁଛି । ମୂଳ କଥା ହେଲା, କେବଳ ଗଛଟିଏ ଲଗାଇଦେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ଯତ୍ନ ନେବା କଥା ଆମେ ବିଲକୁଲ ଭୁଲିଯାଉ । ସମସ୍ତଙ୍କର ମନେଥିବ, ଗତବର୍ଷ ଆମର ମାନନୀୟ ପ୍ରଧାନମନ୍ତ୍ରୀ ଏକ ଆହ୍ୱାନ ଦେଇଥିଲେ ‘ଏକ ପେଡ୍ ମା’ କେ ନାମ’ । ଆମେ ତ ବିବାହ ବାଷି ର୍କୀରେ ନିଜର, ପିଲାଛୁଆ, ନାତିନାତୁଣୀଙ୍କର ଜନ୍ମଦିନରେ ଗଛ ଲଗାଉଛୁ । ତେବେ ମା’ଙ୍କ ନାମରେ ପ୍ରତିବର୍ଷ ଗଛଟିଏ ଲଗାଇବାକୁ କହିବାର ତାତ୍ପର୍ଯ୍ୟ ହେଉଛି, ମା’ ଯେପରି ନିଜର ସ୍ନେହ, ମମତା ଓ ବାତ୍ସଲ୍ୟ ଦେଇ ସନ୍ତାନ ସନ୍ତତିମାନଙ୍କୁ ଲାଳନ ପାଳନ କରି ବଡ଼ କରିଥାଏ, ସେହିପରି ଗଛମାନଙ୍କୁ ମଧ୍ୟ ପାଣି ଦେଇ, ଅନାବନା ଘାସ ବାଛି, ଗାଈ, ଛେଳିଙ୍କ କବଳରୁ ରକ୍ଷା କରି ଯତ୍ନ ଓ ସହୃଦୟତାର ସହ ବଢ଼ାଇବା ଆବଶ୍ୟକ ।
ଆମର ପ୍ରାଚୀନ ଶାସ୍ତ୍ରରେ, ପୋଥି ପୁରାଣରେ ଏବଂ ବେଦ ଉପନିଷଦରେ ବୃକ୍ଷ ବା ବନସ୍ପତିଙ୍କୁ ଦେବତା ବା ଦେବାତ୍ମା ରୂପେ ପରିକଳ୍ପନା କରାଯାଇଛି । ବୌଦ୍ଧ ଧର୍ମ, ହିନ୍ଦୁ ଧର୍ମ ଓ ଜୈନ ଧର୍ମରେ କେତେକ ପବିତ୍ର ବୃକ୍ଷକୁ ପୂଜା, ଉପାସନା କରାଯାଇଥାଏ । ବୋଧି ଦ୍ରୁମ ବା ଅଶ୍ୱତ୍ଥ ବୃକ୍ଷ, ଯାହା ମୂଳରେ ସାଧନା କରି ବୁଦ୍ଧଦେବ ଜ୍ଞାନାଲୋକ ପ୍ରାପ୍ତ ହୋଇଥିଲେ, ତାହା ବୌଦ୍ଧ ଧର୍ମାବଲମ୍ବୀଙ୍କ ନିମନ୍ତେ ଏକ ପବିତ୍ର ଉପାସନା ବୃକ୍ଷ । ହିନ୍ଦୁ ଓ ଜୈନ ଧର୍ମାବଲମ୍ବୀମାନଙ୍କ ନିମନ୍ତେ ଅଶ୍ୱତ୍ଥ ମଧ୍ୟ ଏକ ପାବନ ବୃକ୍ଷ । ଭଗବତ ଗୀତାର ଦଶମ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ବୃକ୍ଷମାନଙ୍କ ମଧ୍ୟରେ ମୁଁ ହେଉଛି ଅଶ୍ୱତ୍ଥ ବୃକ୍ଷ । ଅଶ୍ୱତ୍ଥ ଓଡ଼ିଶାର ରାଜ୍ୟ ବୃକ୍ଷ । ବେଲଗଛ ଶିବଙ୍କର ପ୍ରିୟ । ବରଗଛ ଭାରତର ଜାତୀୟ ବୃକ୍ଷ । ଅନେକତ୍ର ବରଗଛକୁ କଳ୍ପବୃକ୍ଷ ବୋଲି କୁହାଯାଏ । ଜୈନ ଧର୍ମାବଲମ୍ବୀମାନଙ୍କ ପାଇଁ ବରଗଛ ଏକ ପବିତ୍ର ବୃକ୍ଷ । ଅଶୋକ ଗଛ କାମଦେବଙ୍କର ପ୍ରତୀକ । ଏହା ମୂଳରେ ବସିଲେ ଶୋକ ହରଣ ହୋଇଥାଏ। ଅଶୋକ ବୃକ୍ଷ ଉତ୍ତରପ୍ରଦେଶର ରାଜ୍ୟ ବୃକ୍ଷ । ବର, ଅଶ୍ୱତ୍ଥ ଏବଂ ନିମ୍ବ ଏହି ତିନି ବୃକ୍ଷକୁ ତ୍ରିବେଣୀ ବୃକ୍ଷ କୁହାଯାଏ ଏବଂ ଉଭୟ ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମରେ ପବିତ୍ର ବୃକ୍ଷ ରୂପେ ଗଣନା କରାଯାଏ ।
କେଉଁ କେଉଁ ବୃକ୍ଷ କେତେ ପରିମାଣରେ ରୋପଣ କଲେ ପରିବେଶ ସହିତ ଖାପ ଖୁଆଇ ଆମକୁ ସୁନ୍ଦର ଭାବେ ପୃଥିବୀରେ ବଞ୍ଚିବାକୁ ହେବ, ସେ ବିଷୟରେ ସ୍କନ୍ଦ ପୁରାଣରେ ବର୍ଣ୍ଣନା ଅଛି- ଅଶ୍ୱତ୍ଥମେକଂ ପିଚୁମନ୍ଦମେକଂ, ନ୍ୟଗ୍ରୋଧମେକଂ ଦଶ ଚିଞ୍ଚିଣୀକାନ୍ । କପିତ୍ଥ, ବିଲ୍ୱଦମଲକତ୍ରୟଞ୍ଚ, ପଞ୍ଚାମ୍ର ସୁପ୍ପା, ନରକନ୍ମ ପଶ୍ୟେତ୍ । ଅର୍ଥାତ୍– ଅଶ୍ୱତ୍ଥ-୧, ନିମ୍ବ-୧, ବର-୧, ତେନ୍ତୁଳି ଓ ସେହିପରି ବୃକ୍ଷ-୧୦, କଇଁଥ-୧, ବେଲ-୧, ଅଁଳା-୧, ଆମ୍ବ-୫ ଲଗାଇବା ଉଚିତ । ଏହି ଗଛଗୁଡ଼ିକର ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଆହରଣ କ୍ଷମତା ୭୦ରୁ ୧୦୦ ପ୍ରତିଶତ । ତେଣୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ପଥପାଶ୍ୱର୍ ବନୀକରଣରେ ଏହି ଗଛସବୁ ଲଗାଇବା ଏକାନ୍ତ ଉପଯୋଗୀ ।