ନୂଆଦିଲ୍ଲୀ,୨୧/୦୪; ଆଫଗାନିସ୍ତାନର ପୂର୍ବତନ ବାମ ହାତି ପେସ୍ ବୋଲର ସାପୁର ଜାଡ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ସେ ମାରାତ୍ମକ ଏଚ୍ଏଲ୍ଏଚ୍ ରୋଗରେ ପୀଡ଼ିତ ଅଛନ୍ତି ଏବଂ ନୂଆଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲ୍ସର ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତାଙ୍କ ଶରୀରର ଇମ୍ୟୁନ ସିଷ୍ଟମ ଆଦୌ କାମ କରୁନଥିବା ଜଣାପଡ଼ିଛି । ଜାଡ୍ରାନଙ୍କ ସହ ତାଙ୍କ ପତ୍ନୀ, ଭାଇ ଘମାଇ ଏବଂ ପୂର୍ବତନ ଖେଳାଳି ଅସଘର ଆଫଘାନ ହସ୍ପିଟାଲ୍‌ରେ ରହିଛନ୍ତି ।

ଏଚ୍ଏଲ୍ଏଚ୍​​​​​​​ ଏକ ଗମ୍ଭୀର ଅବସ୍ଥା ଯେଉଁଥିରେ ରୋଗପ୍ରତିରୋଧକ ଶକ୍ତି ବିପଜ୍ଜନକ ଭାବରେ ଅତ୍ୟଧିକ ସକ୍ରିୟ ହୋଇଯାଏ । ଏହା ବୋନ୍ ମ୍ୟାରୋ, ଯକୃତ, ପ୍ଲୀହା ଏବଂ ଲସିକା ନୋଡ୍ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକୁ ଗୁରୁତର ପ୍ରଦାହ ଏବଂ କ୍ଷତି ପହଞ୍ଚାଏ । ଯଦିଓ ଏହା ମୁଖ୍ୟତଃ ପିଲାମାନଙ୍କୁ ପ୍ରଭାବିତ କରେ, ଏହା ବୟସ୍କମାନଙ୍କଠାରେ ମଧ୍ୟ ହୋଇପାରେ । ଏଥିପାଇଁ ପ୍ରାୟତଃ ଦୀର୍ଘକାଳୀନ ଚିକିତ୍ସା ଆବଶ୍ୟକ ହୁଏ ।

ଜାଡ୍ରନଙ୍କ ଭାଇ ଘମାଇ କହିଛନ୍ତି, ''ଗତ ଜାନୁଆରୀ ମାସରୁ ନୂଆଦିଲ୍ଲୀ ଠାରେ ଜାଡ୍ରାନଙ୍କ ଚିକିତ୍ସା ଚାଲିଛି । ନିକଟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଆମେ ତାଙ୍କୁ ସ୍ଥାନୀୟ ଏକ ହୋଟେଲରେ ରଖିଥିଲୁ । ମାତ୍ର ପୁନଃ ଶରୀରରେ ସଂକ୍ରମଣ ହେବାରୁ ଆମେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଛୁ ।’

ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିଲା-  ଗତ ବର୍ଷ ଅକ୍ଟୋବରରେ ଜାଡ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା । ହେଲେ ପୁଣି କିଛି ଅସୁବିଧା ଅନୁଭବ କରିଥିଲେ । ତା’ପରେ ଆଫଗାନ ଡାକ୍ତରମାନେ ତାଙ୍କୁ ଚିକିତ୍ସା ପାଇଁ ଭାରତ ଯିବାକୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ତାଙ୍କ ଅବସ୍ଥାରେ ଉନ୍ନତି ହୋଇଥିଲା ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା, କିନ୍ତୁ ୨୦ ଦିନ ମଧ୍ୟରେ ତାଙ୍କ ଅବସ୍ଥା ପୁଣି ଖରାପ ହୋଇଗଲା, ଯାହା ଫଳରେ ତାଙ୍କୁ ICUରେ ଭର୍ତ୍ତି କରାଯାଇଥିଲା। 

ହାତେଇଛନ୍ତି ୮୦ ୱିକେଟ- କ୍ରିକେଟରେ ପ୍ରଦର୍ଶନ କଥା କହିବାକୁ ଗଲେ ୩୯ ବର୍ଷିୟ ଜାଡ୍ରାନ କ୍ୟାରିୟର ମଧ୍ୟରେ ୮୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଯେଉଁଥିରେ  ୪୪ ଦିନିକିଆ, ୩୬ ଟି-ଟ୍ୱେଣ୍ଟି ସାମିଲ । ବାମହାତୀ ଜାଡ୍ରାନ୍ ୨୦୦୯ ରୁ ୨୦୨୦ ମଧ୍ୟରେ ଆଫଗାନିସ୍ତାନ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଏହି ସମୟ ମଧ୍ୟରେ ସେ ୮୦ ଟି ୱିକେଟ୍ ନେଇଥିଲେ (୪୩ ଟି ଦିନିକିଆ ଏବଂ ୩୭ ଟି ଟି ୨୦ ମ୍ୟାଚ୍) ।  ଜାଡ୍ରାନ୍ ଶେଷ ଥର ପାଇଁ ଆଫଗାନିସ୍ତାନ ପାଇଁ ୧୦ ମାର୍ଚ୍ଚ ୨୦୧୯ରେ ଡେରାଡୁନରେ ଆୟର୍ଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଖେଳିଥିଲେ । ସେ ୨୦୨୨ ପରଠାରୁ ଲିଗ୍ କ୍ରିକେଟ୍ ଖେଳି ନାହାଁନ୍ତି ।​​​​​​​ ''

ଏହା ବି ପଢନ୍ତୁ...IPL 2026: ଆଜି ଉପଲ୍ରେ ହାଇଦ୍ରାବାଦ - ଦିଲ୍ଲୀ ମୁକାବିଲା, ସଂଘର୍ଷପୂର୍ଣ୍ଣ ହେବ ଲଢ଼େଇ