ବାରିପଦା ୧୩/୦୫: ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି l ଦୁର୍ଘଟଣାରେ ମୟୂରଭଞ୍ଜ ଜିଲ୍ଲା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଗଡ଼ଦେଉଳିଆ ପେଟ୍ରୋଲ ପମ୍ପର ମାଲିକାଣୀ କମଳା ତିରିଆ ଆହତ ହୋଇଥିବା ବେଳେ ତାଙ୍କ ସାନ ପୁଅ ଅଭିଷେକ ତିରିଆ ଓ ଅନେକ ଲୋକ ଗୁରୁତର ଅଛନ୍ତି l ଗର୍ଭବତୀବୋହୂ ଦୀପ୍ତିରେଖା ସିଂହଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ସମସ୍ତଙ୍କୁ ବାଲେଶ୍ବର ଜିଲ୍ଲା ରେମୁଣା ମେଡିକାଲ ନିଆଯାଇଥିବାବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି l
ସୂଚନା ଅନୁଯାୟୀ, କମଳା ତିରିଆ ସାନ ପୁଅ ଓ ବୋହୂଙ୍କ ସହିତ ତାଙ୍କ କାରରେ ଭୁବନେଶ୍ୱରରୁ ମେଡିକାଲ ଚେକ ଅପ କରି ବାରିପଦା ଫେରୁଥିବା ସମୟରେ ରାତି ପ୍ରାୟ ୧୧. ୩୦ ସମୟରେ ଗଡ଼ଦେଉଳିଆ ଛକ ନିକଟରେ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱରେ ବେଆଇନ ଭାବେ ଛିଡା ହୋଇଥିବା ଏକ ଟ୍ରକ ପଛ ପଟେ ପିଟି ହୋଇଥିଲେ l ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ତାଙ୍କ କାରଟି ଟ୍ରଲରକୁ ଧକ୍କା ଦେଇ ଡିଭାଇଡରରେ ପିଟି ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ବାଲେଶ୍ଵର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗର୍ଭବତୀ ସାନ ବୋହୁ ଦିପ୍ତିରେଖା ସିଂଙ୍କର ମୃତ୍ୟୁ ହୋଇଥିଲା। ତେବେ ଗାଡ଼ି ଚଳାଉଥିବା ସାନ ପୁଅ ଓ କମଳା ତିରିଆଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ...Ayub Khan Passes Away : କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ତେବେ ଶବ ବ୍ୟବଚ୍ଛେଦ ପାଇଁ ଦୀପ୍ତିରେଖାଙ୍କ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।ପୁଲିସ ଦୁଇଟି ଯାକ ଗାଡ଼ି ଜବତ କରି ତଦନ୍ତ କରୁଛି। ରାସ୍ତା କଡ଼ରେ ବେଆଇନ ଭାବେ ବହୁ ଗାଡ଼ି ପାର୍କିଂ କରୁଥିବା ଯୋଗୁଁ ବାରମ୍ବାର ଏଠାରେ ଦୁର୍ଘଟଣା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।