ଭୁବନେଶ୍ବର,୧୬/୧ : ବିଜେପିରେ ଯୋଗ ଦେଲେ ଯାଜପୁରର ପୂର୍ବତନ ସାଂସଦ ରିତା ତରାଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଳିନୀ ପ୍ରଭା ଜେନା ଓ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ । ନିଜର ବହୁ ସଂଖ୍ୟକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଲେ । ଅନ୍ୟପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ଯାଜପୁର ଜିଲ୍ଲା ବିଜେଡିର ଶତାଧିକ କର୍ମୀ ।
ନଳିନୀ ଜେନା ଓ ଗଣେଶ୍ୱର ବରାଳଙ୍କ ସମର୍ଥକମାନେ ବିଜେପିରେ ମିଶିଥିବାରୁ ବାଣ ଫୁଟାଇ ନିଜର ଖୁସିବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ନଳିନୀ। ଡବଲ ଇଞ୍ଜିନ ସରକାରରେ ବିକାଶ ହେଉଛି । ସମସ୍ତ ଜିଲ୍ଲାକୁ ଗୁରୁତ୍ୱ ଦିଆ ଯାଉଛି । ତେଣୁ ବିଜେପିରେ ମିଶିବା ଦ୍ୱାରା ଲୋକଙ୍କ ବିକାଶ ପାଇଁ ଅନେକ କାର୍ଯ୍ୟ କରିପାରିବେ ବୋଲି ସେ କହିଛନ୍ତି ।
ବିଜେଡିରେ ତାଙ୍କୁ ଅବହେଳା କରାଯାଇଛି । ସେଠାରେ ଅନୁଷ୍ଠିତ କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଡକା ଯାଉ ନ ଥିଲା , ସେଥିପାଇଁ ବିଜେଡି ଛାଡ଼ି ବିଜେପିରେ ମିଶି ଛନ୍ତି। ଲୋକଙ୍କ ସେବା କରିବାର ଇଚ୍ଛା ନେଇ ବିଜେପିରେ ମିଶିଛନ୍ତି । କୌଣସି ପଦବୀ ପାଇଁ ଆଶା ନ ଥିବା କହିଛନ୍ତି ନଳିନୀ ଜେନା ଓ ଗଣେଶ୍ୱର ବରାଳ। ବିଜେପି ରାଜ୍ୟ କାର୍ଯ୍ୟଳୟରେ ଏକ ଭବ୍ୟ ମିଶ୍ରଣ ପର୍ବର ଆୟୋଜିତ କରାଯାଇ ସମସ୍ତଙ୍କୁ ସ୍ୱାଗତ କରାଯାଇଛି ।