ନୂଆଦିଲ୍ଲୀ,୨୭/୧୨ : ଆଉ ନାହାନ୍ତି ଉଦାରୀକରଣର ସ୍ଥପତି ସଂସ୍କାର ସୁତ୍ରଧର ଦେଶର ଆର୍ଥିକ ସୁଧାରର ଜନନାୟକ ତଥା ଦେଶର ପୂ୍ର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ୯୨ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମନମୋହନ ସିଂହ । ତାଙ୍କ ବିୟୋଗରେ ଦେଶ ସ୍ତବ୍ଧ ହୋଇଛି । ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ପ୍ରଥମେ ଆଜି (ଶୁକ୍ରବାର) ଶେଷକୃତ୍ୟ ସମ୍ପର୍ଣ୍ଣ ହେବା ନେଇ ସୂଚନା ମିଳିଥିଲା । ମାତ୍ର ଏବେ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଶନିବାର ହେବ ବୋଲି ସୂଚନା ମିଳିଛି ।

ଶାନ୍ତ ଓ ସମର୍ପିତ ନେତୃତ୍ବର ବଡ ଚେହେରା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆର୍ଥିକ ସଂସ୍କାରକ ମନମୋହନ ସିଂହଙ୍କ ବିୟୋଗରେ ତାଙ୍କୁ ଝୁରି ହେଉଛି ଦେଶ । ଲୁହ ଭିଜା ଆଖିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଦେଶବାସୀ । ୭ ଦିନିଆ ରାଷ୍ଟ୍ରୀୟ ଶୋକ ସହ ସରକାରୀ କାର୍ଯ୍ୟାଳୟରେ ଅର୍ଦ୍ଧନିମିତ ହୋଇ ରହିଛି ଜାତୀୟ ପତାକା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଅନ୍ତିମ ସଂସ୍କାର ହେବା ନେଇ ସୂଚନା ମିଳିଥିଲା । ମାତ୍ର ଶେଷକୃତ୍ୟ ଶନିବାର ହେବ ବୋଲି ଜଣାପଡିଛି । ଆମେରିକାର ରହୁଥିବା ମନମୋହନ ସିଂହଙ୍କ ଝିଅ ଭାରତ ଆସିବା ପରେ ଶେଷକୃତ୍ୟ ହେବ ବୋଲି ଜଣାପଡିଛି । ତାଙ୍କ ଝିଅଙ୍କୁ ଅପେକ୍ଷା ରହିଛି । ଏହା ସହିତ ଆସନ୍ତାକାଲି (ଶନିବାର) ମନମୋହନଙ୍କ ପାର୍ଥିବ ଶରୀରକୁ ଏଆଇସିସି ହେଡକ୍ବାର୍ଟରକୁ ଅଣାଯିବ । ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ଦଳୀୟ କର୍ମୀ । ରାଜଘାଟରେ ଅନ୍ତିମ ସଂସ୍କାର ହେବା ନେଇ କଂଗ୍ରେସ ପକ୍ଷରୁ ସୂଚନା ମିଳିଛି ।

୯୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମନମୋହନ ସିଂହ । ଆଜି (ଶୁକ୍ରବାର) ମନମୋହନଙ୍କ ପାର୍ଥିବ ଶରୀର ଦିଲ୍ଲୀ ମୋତିଲାଲ ନେହେରୁ ମାର୍ଗରେ ଥିବା ବାସଭବନକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ନେତା ମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମନମୋହନଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବାସଭବନରେ ପହଞ୍ଚିଛନ୍ତି ।