ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପିସି ଘୋଷ ହେବେ ଦେଶର ପ୍ରଥମ ଲୋକପାଳ

ନୂଆଦିଲ୍ଲୀ,୧୭।୩: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ(ପିସି ଘୋଷ) ଭାରତର ପ୍ରଥମ ଲୋକପାଳ ହେବ। ସୁତ୍ରରୁ ମିଳିଥିବା ଖବର ଅନୁସାରେ ପିସି ଘୋଷ ସୁପ୍ରିମକୋର୍ଟର ବିଚାରପତି ଥିବା ବେଳେ ଶଶିକଳା ଏବଂ ଅନ୍ୟମାନଙ୍କୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଜଷ୍ଟିସ୍ ପିସି ଘୋଷଙ୍କ ବ୍ୟତୀତ ଏହି ଲୋକପାଳରେ ନ୍ୟାୟପାଳିକାରୁ ହାଇକୋର୍ଟର ୪ଜଣ ପୂର୍ବତନ ବିଚାରପତି, ୪ ଆଇଏଏସ୍ ଓ ଆଇପିଏସ ଏବଂ ଅନ୍ୟ ସେବାରୁ ଅବସର ଗ୍ରହଣ କରିସାରିଥିବା ଅଧିକାରୀ ସାମିଲ ହେବ।
ପଣ୍ଡିଚେରୀର ଲିଟ୍ୟୁନାଣ୍ଟ ଗର୍ଭନର କିରର ବେଦୀ ଲୋକପାଳ ନିଯୁକ୍ତି ନେଇ ଖୁସି ପ୍ରକାଶ କରିଛନ୍ତି। ଏନେଇ ସେ ନିଜର ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି ଲୋକପାଳ ନିଯୁକ୍ତି ନେଇ ମୁଁ ବହୁତ ଖୁସି। ଏହି ପଦକ୍ଷେପ ଦ୍ବାରା ଦେଶର ସିଷ୍ଟମରେ ଥିବା ଭ୍ରଷ୍ଟାଚାରୀଙ୍କ ସହ ଲଢେଇ କରିବାକୁ ଖୁବ୍ ସାହାର୍ଯ୍ୟ ମିଳିବ। କିରଣ ବେଦି ଏଥିପାଇଁ ଆନ୍ନା ହଜାରେଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଉଲ୍ଳେଖନୀୟ ଯେ ଆନ୍ନା ହଜାରେ ଦେଶରେ ଲୋକପାଳ ବିଲ୍ ପାଇଁ ବଡଧରଣର ଆନ୍ଦୋଳନ କରିଥିଲେ।
ଜଷ୍ଟିସ୍ ପିସି ଘୋଷଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ପିନାକୀ ଚନ୍ଦ୍ର ଘୋଷ। ସେ ମଇ ୨୦୧୭ରେ ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ କୋଲକାତା ଓ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟବିଚାରପତି ରହିସାରିଛନ୍ତି। ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିବା ପରେ ସେ ଜୁନ୍ ୨୦୧୭ରେ ମାନବାଧିକାର କମିଶନର ସଦସ୍ୟ ଥିଲେ।