ନୂଆଦିଲ୍ଲୀ, ୧୬/୧୦ : ଅହଙ୍କାର ଓ ପାକିସ୍ତାନୀ ଅର୍ଥ ଲୋଭରେ ଟ୍ରମ୍ପ ବିଗାଡ଼ିଛନ୍ତି ଭାରତ ସହ ସମ୍ପର୍କ। ଫାଇଦା ନେଉଛି ଚୀନ୍। ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ରହମ ଇମାନୁଏଲଙ୍କ କଡ଼ା ସମାଲୋଚନା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ୍ କରି ଇମାନୁଏଲ କହିଛନ୍ତି ଯେ, ଟ୍ରମ୍ପ ନିଜ ଅହଙ୍କାର ପାଇଁ ଭାରତ ସହ ଆମେରିକାର ୪୦ ବର୍ଷର ରଣନୈତିକ ସମ୍ବନ୍ଧ ଖରାପ କରିଛନ୍ତି। ଯାହାକି ଉଭୟ ରାଜନୈତିକ ଓ ରଣନୈତିକ ଭୁଲ୍।
ଇମାନୁଏଲ୍ ପୁଣି କହିଛନ୍ତି ଯେ, ନିଜ ସ୍ଵାର୍ଥ ପାଇଁ ଟ୍ରମ୍ପ ଭାରତ-ଆମେରିକାର ସମ୍ପର୍କକୁ ଖରାପ କରିଛନ୍ତି। ଅହଙ୍କାର ଓ ମାତ୍ର କେଇ ଟଙ୍କା ଲୋଭରେ ଟ୍ରମ୍ପ ଭାରତ ସହ ରଣନୈତିକ ସମ୍ବନ୍ଧକୁ ବାଜିରେ ଲଗାଇଛନ୍ତି । ଏହା ଟ୍ରମ୍ପ ପ୍ରଶାସନର ଭୁଲ୍ ରଣନୀତି। ଭାରତ ସହ ଯେଉଁ ରଣନୈତିକ ସମ୍ବନ୍ଧ ପ୍ରତିଷ୍ଠା ହୋଇଥିଲା ତାହାକୁ ବର୍ତ୍ତମାନର ସରକାର ନଷ୍ଟ ଭ୍ରଷ୍ଟ କରିଦେଇଛନ୍ତି । ୪୦ ବର୍ଷର ପରିଶ୍ରମ ମାଟିରେ ମିଶି ଯାଇଛି। ଏହାର ଫାଇଦା ଚୀନ୍ ଉଠାଉଛି।
ଏହା ଆମେରିକାର ଦୀର୍ଘକାଳୀନ ଇଣ୍ଡୋ-ପ୍ୟାସିଫିକ୍ ହିତ ପାଇଁ ଏକ ବିପଦଜନକ ମୋଡ଼ । ଟ୍ରମ୍ପଙ୍କ ଏଭଳି ପଦକ୍ଷେପ ପାଇଁ ଆମେରିକା କ୍ଷତି ସହିବ। ସମଗ୍ର ଏସିଆରେ ଚୀନ୍ ବିସ୍ତାରବାଦ ବଢିବ। ଚୀନ ମଧ୍ୟ ଏହି ସମୟର ଲାଭ ଉଠାଇଛି। ଚୀନ୍ ଭାରତ ସହ ମିଶି ଆମେରିକାର କୂଟନୈତିକ ଅସଫଳତାକୁ ନିଜ ପକ୍ଷକୁ କରି ଦେଇଛି। ଇମାନୁଏଲ ଚିକାଗୋରେ ମେୟର ଥିଲେ। ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଜଣେ ଚିଫ୍ ଷ୍ଟାଫ୍ ଥିଲେ। ଇମାନୁଏଲଙ୍କ ଏହି ଟିପ୍ପଣୀ ପରେ ଏବେ ଆମେରିକ ରାଜନୀତିରେ ହଲଚଲ୍ ସୃଷ୍ଟି ହୋଇଛି।