ଦୁର୍ଘଟଣାରେ ଶିଶୁ କନ୍ୟାର ମୃତ୍ୟୁ; ଆଖି ଦାନ କଲେ ପରିବାର

କଟକ,୯ ।୬(ବ୍ୟୁରୋ): ବଡ଼ ଗେଲବସରରେ ଝିଅଟିକୁ ବଢ଼ାଇଥିଲି । ସବୁଆଡ଼ୁ ଧୋକା ପାଇଲି । ଦୁର୍ଘଟଣା ପରେ ଝିଅକୁ ବଞ୍ଚାଇ ପାରିଲିନାହିଁ । ଆଜି ସେ ଦୁନିଆରେ ନାହିଁ ସତ । ହେଲେ ତା ଆଖିରେ ଆଉ କିଏ ଦୁନିଆ ଦେଖିବ । ମୋ ଝିଅ ଆଖିରେ କିଏ ଦୁନିଆକୁ ଦେଖିଲେ ତା’ ଆତ୍ମା ଶାନ୍ତି ପାଇବ । ୪ ବର୍ଷ ବୟସର ଶିଶୁ କନ୍ୟା ଆନିର ଦୁର୍ଘଟଣାରେ ଦୁଃଖଦ ମୃତ୍ୟୁ ପରେ ତାର ଆଖି ଦାନ କରି ଏଭଳି ମତ ଦେଇଛନ୍ତି ତାର ବାପା ଅକ୍ଷୟ ସାହୁ । ବସ୍ତିବାସିନ୍ଦା ଅକ୍ଷୟଙ୍କ ଏହି ମହାନ ଉଦାରତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । କିନ୍ତୁ ଦୁଃଖର କଥା ଏକମାତ୍ର ଅଲିଅଳି ଝିଅ ଆନି(୪)ର ମୃତ୍ୟୁ ପରେ ତାର ଚକ୍ଷୁଦାନ ପରି ମହାନ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିପାରିଥିବା ଅକ୍ଷୟଙ୍କୁ କିନ୍ତୁ ନିଜର ଝିଅର ଶବ ଦାହ ପାଇଁ ବହୁ ହୀନସ୍ତା ହୋଇଛନ୍ତି । ଅକ୍ଷୟ ମାଗିଯାଚି ସ୍ୱେଚ୍ଛାସେବୀ ଅଭିମନ୍ୟୁ ଦାସଙ୍କ ସହଯୋଗରେ ଖାନନଗର ଶଶ୍ମାନରେ ନେଇ ଶବ ଦାହ କରାଇଛନ୍ତି । ଏଭଳି ସ୍ଥିତି କଟକ ଜିଲ୍ଲା ପ୍ରଶାସନ ଓ ଏସ୍ସିବି ଡାକ୍ତରଖାନା ପ୍ରଶାସନର ବେଫିକର ନୀତିକୁ ପ୍ରମାଣିତ କରିଛି । ସିଡ଼ିଏ ସେକ୍ଟର-୧୧ ନମ୍ବର ବସ୍ତିରେ ରହୁଥିବା ଅକ୍ଷୟ ସାହୁଙ୍କ ୪ ବର୍ଷର ଶିଶୁ କନ୍ୟା ଅନନ୍ୟା ସାହୁ ଓରଫ ଆନି ସାହୁ ଗତକାଲି ଅପରାହ୍ନରେ ନିଜ ଆଈଙ୍କ ସହ କାଠଯୋଡ଼ି ନଦୀକୁ ଶୌଚପାଇଁ ଯାଉଥିଲେ । କାଠଯୋଡ଼ି ରିଂ ବନ୍ଧ ତଥା ସିଡ଼ିଏ ଫେଜ୍-୨ ଥାନା ଗଡ଼ା ରାସ୍ତାରେ ଦ୍ରୁତଗତିରେ ଆସୁଥିବା ଏକ ପଲସର ବାଇକ୍ ତାଙ୍କୁ ଧକ୍କା ଦେଇଥିଲା । ସେ ତଳେ ଛିଟିକ୍ ପଡିଥିଲେ । ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ବାଇକ୍ ଚାଳକ ଦୁର୍ଘଟଣାଗ୍ରସ୍ତ ଶିଶୁ କନ୍ୟାକୁ ଚିକିତ୍ସା କରାଇ ଭଲ କରିବ ବୋଲି କହି ସମ୍ପର୍କୀୟଙ୍କୁ ଧରି ଘଟଣାସ୍ଥଳରୁ ନେଇଯାଇଥିଲା । ମାତ୍ର ଅଧା ବାଟରେ ସେ ଖସି ଯାଇ ଗାଡ଼ି ଖରାପ ହୋଇଗଲା ବୋଲି କହି ବାଟରେ ଆସୁଥିବା ଗାଡ଼ି ଦ୍ୱାରା ଶିଶୁ ଭବନ ପଠାଇ ଚମ୍ପଟ ମାରିଥିଲା ।
ଶିଶୁ ଭବନ ଡାକ୍ତରଖାନାରେ ପହଞ୍ଚିବା ପରେ ଗୁରୁତର ଥିବା ନିରୀହ ଶିଶୁଟିକୁ ଚିକିତ୍ସା ନକରି ବିଭିନ୍ନ ଆଳ ଦେଖାଇ ଗତକାଲି ସନ୍ଧ୍ୟାରେ ଏସ୍ସିବି ଡାକ୍ତରଖାନା ପଠାଇ ଦେଇଥିଲେ । ଦୁର୍ଘଟଣାଗ୍ରସ୍ତ ଆନି ଗୁରୁତର ଥିବା ଖବର ବାପା ଅକ୍ଷୟ ଏସ୍ସିବି ଡାକ୍ତରଖାନାରେ ରାତିରେ ପହଞ୍ଚିଥିଲେ । ମାତ୍ର ଏସ୍ସିବି ଡାକ୍ତରଖାନାରେ ଗୁରୁତର ଥିବା ଏହି ଦୁର୍ଘଟଣାଗ୍ରସ୍ତ ଶିଶୁ ପ୍ରତି ଡାକ୍ତର ଏବଂ ଡାକ୍ତରଖାନା କର୍ମଚାରୀ ଯେଉଁଭଳି ତତ୍ପରତା ଦେଖାଇବା କଥା ତାହା କରିନଥିଲେ ବୋଲି ଅକ୍ଷୟ ଅଭିଯୋଗ କରିଛନ୍ତି । ସିଟି ସ୍କାନ୍ ଓ ଏକ୍ସରେ କରାଇ ଡାକ୍ତର ନିଜର ଦାୟିତ୍ୱ ସାରି ବସିଯାଇଥିଲେ । ଚିକିତ୍ସା ପାଇଁ ଆଇସିୟୁ ଦରକାର ପଡୁଥିଲେ ମଧ୍ୟ ଗୁରୁତର ଶିଶୁକୁ ତାହା ମିଳିନଥିଲା । ଅନ୍ୟପକ୍ଷରେ ଅକ୍ଷୟଙ୍କ ପାଖରେ ଅର୍ଥର ଘୋର ଅଭାବ ଥିବାରୁ ସେ ଘରୋଇ ଡାକ୍ତରଖାନାକୁ ମଧ୍ୟ ଯିବାକୁ ସାହସ ଜୁଟାଇ ପାରିନଥିଲେ । ଏପରି ଅବ୍ୟବସ୍ଥା ମଧ୍ୟରେ ଆଜି ସକାଳେ ଆନି ସବୁଦିନ ପାଇଁ ଆଖି ବୁଜିଦେଇଥିଲା । ମୃତ୍ୟୁ ପରେ ମେଡିକୋ ଲିଗାଲ୍ କେସ୍ ଅନୁସାରେ ଥାନାକୁ କାଗଜ ପଠାଇବା ନ୍ୟୁରୋସର୍ଜରୀ ବିଭାଗରେ ସେବିକାଙ୍କଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀଙ୍କୁ କେତେ କାହାକୁ ଗୁହାରି କରିଥିଲି ଅକ୍ଷୟ । ମାତ୍ର କେହି ଶୁଣିନଥିଲେ, ବରଂ ଶବ ବ୍ୟବଚ୍ଛେଦ କରାଇବା ପାଇଁ ଜଣେ ଦିଦି ମୋତେ ୨ ହଜାର ଟଙ୍କା ହାତଗୁଞ୍ଜା ମାଗିଥିଲେ ବୋଲି ଅକ୍ଷୟ ଅଭିଯୋଗ କରିଛନ୍ତି ।
ବହୁ କଷ୍ଟେମଷ୍ଟେ ଶବ ବ୍ୟବଚ୍ଛେଦ ହେଲା । ମାତ୍ର ପାଖରେ ଟଙ୍କା ନଥିବାରୁ ଝିଅର ଶବ ଦାହ ପାଇଁ ଡାକ୍ତରଖାନାରେ ସମସ୍ତଙ୍କ ସହଯୋଗ ମାଗିଥିଲେ ମଧ୍ୟ ଛୁଟି ଦିନଆଳ ଦେଖାଇ କର୍ମଚାରୀମାନେ କେହି ଶୁଣିନଥିଲେ । ସ୍ୱେଚ୍ଛାସେବୀ ଅଭିମନ୍ୟୁ ଦାସ ସହଯୋଗର ହାତ ବଢ଼ାଇବାରୁ ମାଗିଯାଚି ଖାନନଗରରେ ମୋ ଝିଅର ଶବ ଦାହ କରିଥିଲି ବୋଲି କହିଛନ୍ତି ଅକ୍ଷୟ । ମୋ ଝିଅ ଆନି ବଞ୍ଚାଇପାରିଲି ନାହିଁ ସତ । ହେଲେ ତା ଆଖିକୁ ଅନ୍ୟପାଇଁ ଦାନ କରିଛି । ଆନି ଆଖିରେ ଯିଏ ଦୃଷ୍ଟିଶକ୍ତି ଫେରିପାଇବ ସେ ମୋ ବାପା ହେବା ସାର୍ଥକ ହେବ ବୋଲି କହିଛନ୍ତି ଅକ୍ଷୟ ।