- ଅଶାନ୍ତ କାର୍ବି ଆଙ୍ଗଲୋଙ୍ଗରେ ପୁଣି ହିଂସାକାଣ୍ଡ
- ଇଣ୍ଟରସେବାକୁ ବନ୍ଦ କରାଯାଇଛି
- ପରିସ୍ଥିତି ବେକାବୁ ହୋଇଛି
- ହିଂସାକାଣ୍ଡରେ ୮ଜଣ ଆହତ
- ପୁଲିସର ଲୁହବୁହା ଗ୍ୟାସ୍ ଗୁଳି ପ୍ରୟୋଗ
ଦିସପୁର : ଆସାମର ଅଶାନ୍ତି କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲାରେ ମଙ୍ଗଳବାର ପୁଣି ଥରେ ହିଂସା ତେଜିଛି। ଏହା ସେତେବେଳେ ହୋଇଛି , ଯେବେ ବିରୋଧ ପ୍ରଦର୍ଶନକାରୀଙ୍କ ଦୁଇଟି ଗୋଷ୍ଠୀ ପରସ୍ପର ଭିତରେ ଲଢେଇ ଆରମ୍ଭ କରି ଦେଇଛନ୍ତି ଏବଂ ସେମାନଙ୍କ ମେଳିକୁ ଭଙ୍ଗ କରିବାକୁ ପୁଲିସକୁ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ୍ ଗୁଳି ବ୍ୟବହାର କରିବାକୁ ପଡ଼ିଛି। ଅଧିକାରୀମାନେ କହିଛନ୍ତି ଯେ, ସଦ୍ୟ ହିଂସାରେ ଅତି କମ୍ରେ ଆଠ ଜଣ ଲୋକଙ୍କ ଆହତ ହେବାର ଖବର ଆସିଛି। ଏହି ବିବାଦ ଓ ହିଂସା ପରେ ଏଠାରେ ଇଣ୍ଟରନେଟକୁ ବନ୍ଦ କରି ଦିଆ ଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଏହାସହ ମଧ୍ୟ ପଢନ୍ତୁ : ‘ଆଲ୍ଲାଙ୍କ ଶତ୍ରୁଙ୍କୁ ...’ ; ମୁସଲିମ୍ ଦେଶ ଗୁଡ଼ିକୁ ଆସିମ ମୁନିରଙ୍କ ଆହ୍ୱାନ , କହିଲେ ...
ଅଧିକାରୀଙ୍କ ମୁତାବିକ , ନିଷେଧାଦେଶ ଲାଗୁ ହେବା ସତ୍ତ୍ୱେ ଖେରୋନି ବଜାର ଅଞ୍ଚଳରେ ପିଲା ଓ ମହିଳାଙ୍କ ସମେତ ବହୁ ସଂଖ୍ୟାରେ ସେହି ଲୋକେ ହିଂସା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି, ଯାହାଙ୍କର ଦୋକାନ ଗୁଡ଼ିକୁ ଉତ୍ତେଜିତ ଲୋକେ ସୋମବାର ଜଳାଇ ଦେଇଥିଲେ। ସେ କହିଛନ୍ତି ଯେ, ଆଦିବାସୀ ଅଞ୍ଚଳରେ ଜବରଦଖଲକାରୀଙ୍କୁ ବେଦଖଲ କରିବାକୁ ଦାବି କରୁଥିବା ଆନ୍ଦୋଳନକାରୀ ମଧ୍ୟ ଖେରୋନି ବଜାର ଅଞ୍ଚଳର ରାସ୍ତାରେ ଏକାଠି ହୋଇଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଉଭୟ ଗୋଷ୍ଠୀରେ ପ୍ରବଳ ଆକ୍ରୋଶ ଥିଲା ଏବଂ ଅଞ୍ଚଳରେ ମୁତୟନ ସୁରକ୍ଷା ବାହିନୀ ତାଙ୍କୁ ଶାନ୍ତ କରାଇବାକୁ ଚେଷ୍ଟା କରୁଥିଲେ। ସେ କହିଛନ୍ତି ଯେ, ହଠାତ୍ ଉଭୟ ଗୋଷ୍ଠୀର ଲୋକେ ପରସ୍ପର ଉପରେ ପଥର ମାଡ଼ କରିବା ଆରମ୍ଭ କରିଦେଇ ଥିଲେ, ଯେଉଁଥିରେ ଅନେକ ବିରୋଧ ପ୍ରଦର୍ଶନକାରୀ, ପୁଲିସକର୍ମୀ ଓ ମିଡ଼ିଆକର୍ମୀ ଆହତ ହୋଇଥିଲେ।
ଅଧିକାରୀଙ୍କ ଅନୁସାରେ , ସ୍ଥିତି ଅଣାୟତ୍ତ ହେବାରୁ ପୁଲିସକୁ ଉଭୟ ଗୋଷ୍ଠୀର ବିରୋଧ ପ୍ରଦର୍ଶନକାରୀଙ୍କୁ ଘଉଡ଼ାଇବାକୁ ଲାଠିଚାର୍ଜ କରିବାକୁ ପଡ଼ିଲା ଏବଂ ଲୁହବୁହା ଗ୍ୟାସ ଗୁଳି ମାରିବାକୁ ପଡ଼ିଲା। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗୌହାଟୀରେ ଏକ କାର୍ଯ୍ୟକ୍ରମ ଅବସରରେ ସାମ୍ୱାଦିକଙ୍କୁ କହିଥିଲେ ଯେ, କାର୍ବି ଆଙ୍ଗଲୋଙ୍ଗ ସ୍ଥିତି ଖୁବ୍ ସମ୍ୱେଦନଶୀଳ। ବରିଷ୍ଠ ମନ୍ତ୍ରୀ ରାନୋଜ ପେଗୁ ଜିଲ୍ଲାରେ ଉପସ୍ଥିତ ଅଛନ୍ତି। ମୋର ବିଶ୍ୱାସ ଯେ, ମାମଲକୁ ଶୀଘ୍ର ସମାଧାନ କରାଯିବ।