ନୂଆଦିଲ୍ଲୀ :ସଂଘର୍ଷ ଯେତେ କଷ୍ଟକର ହୁଏ, ସଫଳତା ସେତେ ମଧୁର ହୋଇଥାଏ। ଏହି କଥାକୁ ସତ କରି ଦେଖାଇଛନ୍ତି ସବିତା ପ୍ରଧାନ। ଅତ୍ୟନ୍ତ ଦରିଦ୍ରତା ଏବଂ ବର୍ଷ ବର୍ଷ ଧରି ଘରୋଇ ହିଂସାର ଅକଥନୀୟ ନିର୍ଯାତନା ସହିବା ପରେ ମଧ୍ୟ ହାର୍ ମାନି ନଥିଲେ। ନିଜ ଦୁଃଖ ଦୁନିଆର ରାସ୍ତା ନିଜେ ହିଁ ତିଆରି କରିଥିଲେ। ସେ ଆଜି ଜଣେ ଆଇଏଏସ IAS ଅଫିସର ହୋଇ ପାରିଛନ୍ତି। ନିଜର ପ୍ରଥମ ପ୍ରୟାସରେ ହିଁ ୟୁପିଏସସି ପରୀକ୍ଷା କ୍ରାକ୍ କରି ,ସେ ସମଗ୍ର ଦେଶ ପାଇଁ ସାଜିଛନ୍ତି ପ୍ରେରଣା।
ସବିତାଙ୍କ ଜୀବନ କୌଣସି ଚଳଚ୍ଚିତ୍ରର କାହାଣୀ ଠାରୁ କମ୍ ନୁହେଁ। ମାତ୍ର ୧୬ ବର୍ଷ ବୟସରେ ତାଙ୍କର ବିବାହ ହୋଇ ଯାଇ ଥିଲା। ବିବାହ ପରେ ସେ ଆଶା କରିଥିଲେ ଏକ ସୁନ୍ଦର ସଂସାର, କିନ୍ତୁ ଭାଗ୍ୟରେ ଲେଖା ଥିଲା କିଛି ଅଲଗା। ଶାଶୁଘର ଲୋକେ ଏବଂ ସ୍ୱାମୀଙ୍କ ଦ୍ୱାରା ତାଙ୍କୁ ମାଡ଼ ଗାଳି, ଅପମାନ ଏବଂ ଅବହେଳାର ସାମ୍ନା କରିବାକୁ ପଡ଼ିଥିଲା।
ସବିତାଙ୍କ କହିବା ଅନୁଯାୟୀ, ତାଙ୍କୁ ଅତି ଅମାନବୀୟ ବ୍ୟବହାର କରାଯାଉଥିଲା। ଏପରିକି ତାଙ୍କର ଦୁଇ ସନ୍ତାନଙ୍କ ସମ୍ମୁଖରେ ମଧ୍ୟ ତାଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମରା ଯାଉଥିଲା। ଗୋଟେ ସମୟରେ ମାନସିକ ଓ ଶାରୀରିକ ଯନ୍ତ୍ରଣା ସହି ନପାରି ସେ ନିଜ ଜୀବନ ହାରି ଦେବାକୁ ମଧ୍ୟ ଚିନ୍ତା କରିଥିଲେ।
କିନ୍ତୁ ସବିତା ଭାଙ୍ଗି ପଡ଼ି ନଥିଲେ। ପିଲାଙ୍କ ଭବିଷ୍ୟତ ଏବଂ ନିଜର ସମ୍ମାନ ପାଇଁ ସେ ସେହି ବିଷାକ୍ତ ସମ୍ପର୍କରୁ ବାହାରି ଆସିବାକୁ ନିଷ୍ପତ୍ତି ନେଲେ। ଜୀବନକୁ ନୂଆ ଭାବେ ଗଢ଼ିବା ପାଇଁ ସେ ପାଠପଢ଼ା ଜାରି ରଖିଲେ। ନିଜର ଓ ପିଲାଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଏକ ସେଲୁ କାମ କରିବା ସହ ଟ୍ୟୁସନ ମଧ୍ୟ କରୁଥିଲେ।
ଦିନସାରା ପରିଶ୍ରମ କରିବା ପରେ ରାତିରେ ସେ ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିଲେ। ତାଙ୍କର ଏହି ନିଷ୍ଠା ଓ କଠିନ ପରିଶ୍ରମର ଫଳ ସ୍ୱରୂପ ସେ ପ୍ରଥମ ଚେଷ୍ଟାରେ ହିଁ ସର୍ବଭାରତୀୟ ସ୍ତରରେ ସଫଳତା ହାସଲ କରି ଆଇଏଏସ ହୋଇଥିଲେ।
ଆଜି ସବିତା ପ୍ରଧାନଙ୍କ ସଫଳତା କେବଳ ତାଙ୍କ ପାଇଁ ନୁହେଁ, ବରଂ ଦେଶର ହଜାର ହଜାର ନିର୍ଯାତିତ ମହିଳାଙ୍କ ପାଇଁ ଏକ ଆଶାର କିରଣ ସାଜିଛି। ତାଙ୍କ କାହାଣୀ ଶିକ୍ଷା ଦିଏ ଯେ, ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଯଦି ମନରେ ଦୃଢ଼ ଇଚ୍ଛାଶକ୍ତି ଥାଏ, ତେବେ ଶୂନ୍ୟରୁ ମଧ୍ୟ ଶିଖର ଛୁଇଁ ହେବ।
ହିଂସା ଏବଂ ନିରାଶା ମଧ୍ୟରେ ଗତି କରୁ ଥିବା ମହିଳାମାନେ ନିଜକୁ କେବେ ଅସହାୟ ମନେ କରିବା ଉଚିତ୍ ନୁହେଁ। ସବିତା ସମସ୍ତଙ୍କ ପ୍ରେରଣାଦାୟୀ କଥାଟିଏ କୁହନ୍ତି - ଶିକ୍ଷା ହିଁ ଆମକୁ ସ୍ୱାଧୀନତା ଏବଂ ସମ୍ମାନ ଦେଇ ପାରିବ।