ବ୍ରହ୍ମପୁର,୦୩/୦୭: ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୁକ୍ତ ବିଜେଡି ନେତା ମଦନ ଦଳେଇ ୩ ମାସରୁ ଅଧିକ ସମୟ ଧରି ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏଠାରେ ତାଙ୍କର ଅସ୍ତ୍ରୋପଚାର ହୋଇପାରୁନି । ଏବେ କଟକ ସ୍ଥାନାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଜେଲ୍ ଅଧୀକ୍ଷକ ଧୀରେନ୍ଦ୍ର ବାରିକ ସୂଚନା ଦେଇଛନ୍ତି ।
ଶୁକ୍ରବାର ତାଙ୍କୁ କଟକ ସ୍ଥାନାନ୍ତର କରାଯିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି । ମଦନ ଦଳେଇଙ୍କ ଗୋଡ଼ ଅସ୍ତ୍ରୋପଚାର କରି ରଡ୍ ପକାଯାଇଥିଲା । ସେ ଗିରଫ ହୋଇ ଜେଲ୍ରେ ଥିବା ସମୟରେ ଗୋଡ଼ରେ ଯନ୍ତ୍ରଣା କାରଣରୁ ଏମ୍କେସିଜିରେ ଭର୍ତ୍ତି ହୋଇଥିଲେ । ତାଙ୍କ ଗୋଡ଼ରେ ପଡିଥିବା ରଡ୍ ଅସ୍ତ୍ରୋପଚାର କରି ବାହାର କରିବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । କୋର୍ଟ ନିର୍ଦ୍ଦେଶ ପ୍ରକାରେ ଏମ୍କେସିଜିରେ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା ।
ଅଧିକ ପଢ଼ନ୍ତୁ :- Pitabas Panda murder case: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଟ୍ୱିଷ୍ଟ୍, ବିକ୍ରମ ପଣ୍ଡାଙ୍କ ସମେତ ୧୪ ଅଭିଯୁକ୍ତଙ୍କ ଉପରୁ ଉଠିଲା ହତ୍ୟା ଦଫା
ସେହି ଟିମ୍ର ପରାମର୍ଶ ପ୍ରକାରେ ମଦନଙ୍କ ଅସ୍ତ୍ରୋପଚାର କରିବାକୁ ଯୋଜନା ହୋଇଥିଲା । ମାର୍ଚ୍ଚ ମାସରୁ ସେ ଏମ୍କେସିଜି ଅସ୍ଥିଶଲ୍ୟ ବିଭାଗରେ ରହି ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁନଥିବାରୁ ତାଙ୍କର ଅସ୍ତ୍ରୋପଚାର ହୋଇପାରୁ ନାହିଁ । ତିନି ଥର ତାଙ୍କର ଅସ୍ତ୍ରୋପଚାର କରିବାକୁ ଯୋଜନା କରାଯାଇଥିବା ବେଳେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅସ୍ତ୍ରୋପଚାର ହୋଇପାରି ନାହିଁ । ଅନ୍ୟପକ୍ଷରେ ମଦନଙ୍କ ଗୋଡ଼ରେ ପଡିଥିବା ଇନ୍ପ୍ଲାଣ୍ଟ ଏମ୍କେ ସିଜିରେ ନଥିବାରୁ ଅସ୍ତ୍ରୋପଚାରରେ ବିଳମ୍ବ ହେଉଛି । ଏହି ଅସ୍ତ୍ରୋପଚାର ଯେଉଁଠି ହୋଇପାରିବ ସେଠାରେ କରାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜେଲ୍ କର୍ତ୍ତୃପକ୍ଷ କଟକ ଏସ୍ସିବିରେ ଅସ୍ତ୍ରୋପଚାର କରିବାକୁ ସମସ୍ତ ବ୍ୟବସ୍ଥା କରାଇଥିବା ବେଳେ ଗତକାଲି କୋର୍ଟ କଟକ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଦନଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ଅଧୀକ୍ଷକ ବାରିକ କହିଛନ୍ତି ।