ଜୀ ସାର୍ଥକର ମେଗା ଧାରାବାହିକ ‘ବିଜୟିନୀ’ର ସୁଟିଂ ସେଟ୍ରୁ

କଟକ, ୨୧/୫ : କଟକ ସିଡିଏ ୯ ନମ୍ବରସ୍ଥିତ ଜୀ-ସାର୍ଥକର ସୁଟିଂ ସେଟରେ ଚ୍ୟାନେଲରେ ପ୍ରସାରିତ ହେଉଥିବା ମେଗା ଧାରାବାହିକ ‘ବିଜୟିନୀ’ର ଚାଲୁଥିଲା ସୁଟ୍ । ଏହି ସମୟରେ ଆମ ଟିମ୍ ସେଠାରେ ପହଞ୍ଚିଥିଲା । ସେଠାରେ ପଶୁ ପଶୁ ଭିତରୁ ଶୁଭୁଥିଲା ଡାଏଲଗ୍ । ଆଉ ଡାଇଲଗ ସରୁସରୁ ଓକେ କଟ୍..ଇଟ୍… । ସୁଟିଂ ସେଟ୍ରେ ଥିଲେ ଲୋକପ୍ରିୟ ମେଗା ଧାରାବାହିକ ‘ବିଜୟିନୀ’ର କଳାକାର ଦୁର୍ଗା ଚରିତ୍ରରେ ଅଭିନେତ୍ରୀ ଦେବସ୍ମିତା ଓ ଅବିନାଶ ଚରିତ୍ରରେ ଅଭିନେତା ସାଗର ମହାନ୍ତି । ଏମାନଙ୍କ ଛଡ଼ା ସୁଟିଂ ସେଟ ଥିଲା ଭରପୁର । ଧାରାବାହିକର ସ୍ତୁତି ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ଦୀପିକା ମହାନ୍ତି ଓ ସମ୍ଭବ ଚରିତ୍ରରେ ଅଭିନୟ କରୁଥିବା ବିଶ୍ବଙ୍କ ସମେତ ନିର୍ଦ୍ଦେଶକ ଦିଲୀପ କୁମାର ଦାସ ବି ସୁଟିଂ ସେଟରେ ଉପସ୍ଥିତ ଥିଲେ । ଦମଦାର ଷ୍ଟାରକାଷ୍ଟ ସାଙ୍ଗକୁ ଦମଦାର କାହାଣୀକୁ ନେଇ ‘ବିଜୟିନୀ’ଗତିଶୀଳ ।
ପ୍ରତାପଗଡ଼ର ପରମ୍ପରା ଅନୁସାରେ, ପ୍ରତିବର୍ଷ ରଥଯାତ୍ରା ବେଳେ ଗାଁର ଜମିଦାର ଛେରାପହଁରା କରନ୍ତି । ତେବେ ବାହୁବଳୀ ବିଧାୟକ ଇନ୍ଦ୍ରଜିତ ମହାରଥୀ ତାଙ୍କୁ ଏଥିରୁ ବାରଣ କରିବା ପରେ ଏଥିରେ ବିଧାୟକଙ୍କୁ ପ୍ରତିବାଦ କରନ୍ତି ସ୍ଥାନୀୟ ପ୍ରଧାନଶିକ୍ଷକଙ୍କ ଦୁଇ ଝିଅ ସ୍ତୁତି ଓ ଦୁର୍ଗା । ଏହି ଦୁଇ ଭଉଣୀ ସମୟକ୍ରମେ ବିଧାୟକଙ୍କ ଦୁଇ ବୋହୂ ହେଉଛନ୍ତି । ଏହିଭଳି ଭାବରେ ଧାରାବାହିକର କାହାଣୀ ଭିନ୍ନ ଭିନ୍ନମୋଡ଼ ନେଉଛି । ଦମଦାର କାହାଣୀ ଏହାର ଯେମିତି ବିଶେଷତ୍ବ, ଗମ୍ଭୀର ବାତାବରଣ ଓ ଷ୍ଟାର୍ କାଷ୍ଟ୍ ସହ ଦମ୍ ଦାର ସଂଳାପ ଏହାର ଅନ୍ୟ ଏକ ଆକର୍ଷଣ । ପ୍ରତି ସୋମବାରରୁ ଶନିବାର ସଂଧ୍ୟା ୬ଟା ୩୦ରେ ଓଡ଼ିଶାର ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ଜୀ-ସାର୍ଥକରେ ଏହି ମେଗା ଧାରାବାହିକ ‘ବିଜୟିନୀ’ ପ୍ରସାରିତ ହୋଇ ଧୀରେ ଧୀରେ ବେଶ୍ ଲୋକପ୍ରିୟତା ସାଉଁଟିବାରେ ଲାଗିଛି ।
କାହାଣୀ ଗତିଶୀଳ ହେବା ସହ ଏହାର ଉତ୍କଣ୍ଠା ବଢ଼ିବାରେ ଲାଗିଛି ଓ ଅଧିକରୁ ଅଧିକ ଦର୍ଶକ ଏହାକୁ ଆପଣେଇବାରେ ଲାଗିଛନ୍ତି । ନିଚ୍ଛକ କାହାଣୀ, ଅଭିନୟ ଓ ମନୋରମ ସେଟ୍ ଏହାର ଅନ୍ୟ ଏକ ଆକର୍ଷଣ । ଓଡ଼ିଆ ଦର୍ଶକଙ୍କ ଚାହିଦାକୁ ଦୃଷ୍ଟି ରଖି ଜୀ-ସାର୍ଥକ ଏହି ମେଗା ଧାରାବାହିକର ପ୍ରସାରଣ କରି ତାର ଲୋକପ୍ରିୟତା ଆହୁରି ବିସ୍ତୃତ କରିଛି ।