ନୂଆଦିଲ୍ଲୀ, ୩୦।୩: ବିଶ୍ୱ ଇଣ୍ଟରନେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ଜାପାନ । ଜାପାନର ବୈଜ୍ଞାନିକମାନେ ଇଣ୍ଟରନେଟ୍ ସ୍ପିଡ୍ର ଏକ ଏମିତି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଣିକି ଆଉ ବଫରିଂ କିମ୍ବା ସ୍ଲୋ ଇଣ୍ଟରନେଟ୍ର ସମସ୍ୟା ରହିବ ନାହିଁ । ମାତ୍ର ୧ ସେକେଣ୍ଡରେ ଆପଣ ସାରା ବିଶ୍ୱର ଚଳଚ୍ଚିତ୍ର ଓ ଶୋ’କୁ ଡାଉନଲୋଡ୍ କରିପାରିବେ ।
କ’ଣ ଏହି ନୂଆ ବିଶ୍ୱ ରେକର୍ଡ ?
ମେ' ୨୦୨୫ରେ ଜାପାନର 'ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ ଆଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି' (NICT) ର ଏକ ବିଶେଷଜ୍ଞ ଦଳ ପ୍ରତି ସେକେଣ୍ଡରେ ୧.୦୨ ପେଟାବିଟ୍ସ (Petabits) ର ହାଇ ସ୍ପିଡ୍ ହାସଲ କରିଛନ୍ତି । ୨୦୨୫ ମେ' ୨୯ ତାରିଖରେ ଏହି ରେକର୍ଡକୁ ଆଧିକାରିକ ଭାବେ ଘୋଷଣା କରାଯାଇଛି । ସାଧାରଣ ଭାଷାରେ କହିବାକୁ ଗଲେ, ୧.୦୨ ପେଟାବିଟ୍ସର ଅର୍ଥ ହେଉଛି ପ୍ରତି ସେକେଣ୍ଡରେ ୧୦ ଲକ୍ଷ ଜିବିରୁ ଅଧିକ ଡାଟା ଟ୍ରାନ୍ସଫର । ଏହି ସ୍ପିଡ୍ରେ ନେଟଫ୍ଲିକ୍ସରେ ଥିବା ସମସ୍ତ ଚଳଚ୍ଚିତ୍ର ଓ ୱେବ୍ ସିରିଜ୍ ମାତ୍ର ୧ ସେକେଣ୍ଡରେ ଡାଉନଲୋଡ୍ ହୋଇପାରିବ । ଲକ୍ଷ ଲକ୍ଷ ଲୋକ ଏକାସାଙ୍ଗରେ 4K କିମ୍ବା 8K କ୍ୱାଲିଟିର ଭିଡିଓ ବିନା କୌଣସି ଅଟକରେ ଦେଖିପାରିବେ । ବୈଜ୍ଞାନିକମାନେ ଏହି ଅସାଧାରଣ ସ୍ପିଡ୍ ପାଇବା ପାଇଁ '୧୯-କୋର୍ ଅପ୍ଟିକାଲ୍ ଫାଇବର' ଟେକ୍ନୋଲୋଜିର ବ୍ୟବହାର କରିଛନ୍ତି । ପ୍ରାୟ ୧,୮୦୮ କିଲୋମିଟର ଲମ୍ବା ଦୂରତାରେ ଏହି ପରୀକ୍ଷଣ କରାଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି, ଏହି ନୂଆ ଟେକ୍ନୋଲୋଜି ବର୍ତ୍ତମାନର ଫାଇବର କେବଲ୍ ସିଷ୍ଟମ୍ ସହିତ ମଧ୍ୟ କାମ କରିପାରିବ, ଯାହାଫଳରେ ଏହାକୁ ଭବିଷ୍ୟତରେ ଲାଗୁ କରିବା ସହଜ ହେବ ।
ଏହା ବି ପଢ଼ନ୍ତୁ... "ଯା ପୁଅ ଘରକୁ ଯା..." ଏତିକି କହିବାରୁ ମାଲିକଙ୍କୁ ଛୁରାମାଡ଼ କରି ହତ୍ୟା କଲା ଯୁବକ !
ଭବିଷ୍ୟତ ବଦଳାଇଦେବ ଏହି ଟେକ୍ନୋଲୋଜି:
ଆଜିକାଲି ଦୁନିଆରେ ଏଆଇ, ଅନଲାଇନ୍ ଗେମିଂ ଏବଂ କ୍ଲାଉଡ୍ କମ୍ପ୍ୟୁଟିଂ ପାଇଁ ପ୍ରଚୁର ଡାଟାର ଆବଶ୍ୟକତା ରହିଛି । ଜାପାନର ଏହି ସଫଳତା ଆଗାମୀ ଦିନରେ ସ୍ମାର୍ଟ ସିଟି ନିର୍ମାଣରେ ସାହାଯ୍ୟ କରିବ । ବଡ଼ ଡାଟା ସେଣ୍ଟରଗୁଡ଼ିକୁ ଅଧିକ ଶକ୍ତିଶାଳୀ କରିବ । ଟେକ୍ନୋଲୋଜି ଦୁନିଆରେ ଏକ ନୂଆ ବିପ୍ଳବ ଆଣିବ । ଯଦିଓ ଏହି ଟେକ୍ନୋଲୋଜି ଏବେ କେବଳ ଲ୍ୟାବ୍ ପରୀକ୍ଷଣ ସ୍ତରରେ ରହିଛି, କିନ୍ତୁ ବୈଜ୍ଞାନିକମାନେ ଏହାକୁ ଶସ୍ତା ଏବଂ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଇବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଆମେ ୧୦୦-୫୦୦ Mbps ସ୍ପିଡ୍ ପାଇଲେ ଖୁସି ହେଉଛେ, କିନ୍ତୁ ଆଗାମୀ ଦିନରେ 'ପେଟାବିଟ୍' ସ୍ପିଡ୍ ସାଧାରଣ କଥା ହୋଇଯିବ ।