ପାରଳଖେମୁଣ୍ଡି,୨୭/୧୨: ସପୁରି ଚାଷ ପାଇଁ ଗଜପତିରେ ଜଳବାୟୁ ପ୍ରାୟତଃ ଠିକ୍‌ ରହିଛି । ଏନେଇ ଚାଷୀମାନେ ଆଗ୍ରହ ସହିତ ସପୁରି ଚାଷ କରୁଛନ୍ତି । ଏଥିସହ ଭଲ ରୋଜଗାର ଆଶା ରଖିଛନ୍ତି । ଏଭଳି ପରିସ୍ଥିତିରେ ଚାଷୀ ପାଇଁ ଆଉ ଏକ ଖୁସି ଖବର ରହିଛି । ଗଜପତିରେ ଉତ୍ପାଦିତ ହେଉଥିବା ସପୁରି ଦୁବାଇ ଯିବ ବୋଲି ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଗଜପତିରେ ବ୍ୟାପକ ପରିମାଣରେ ସପୁରି ଚାଷ ହୋଇଥାଏ ।

ପ୍ରତି ବର୍ଷ ଜିଲ୍ଲାରେ ୬୪୫୮ ମେଟ୍ରିକ୍‌ ଟନ୍‌ ସପୁରି ଉତ୍ପାଦନ ହେଉଛି । ଏହି ଜିଲ୍ଲାରେ ସିମାଞ୍ଚଳମ୍‌, କିଉ ଏବଂ କ୍ୱିନ୍‌ ପ୍ରଜାତିର ସପୁରି ଉତ୍ପାଦନ ହୋଇଥାଏ । କ୍ୱିନ୍‌ ପ୍ରଜାତିର ସପୁରିର ଦେଶ, ବିଦେଶରେ ଚାହିଦା ରହିଛି । ଆସନ୍ତା ବର୍ଷ ଏହି ସପୁରି ଦୁବାଇ ଯିବ । ଏନେଇ ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ବର୍ଷ ଜୁନ୍‌ ସୁଦ୍ଧା ଏହା ପଠାଯିବ । ଏହା ହେଲେ ଚାଷୀମାନେ ଉତ୍ସାହିତ ହେବେ । ସୂଚନା ଅନୁସାରେ, ଜିଲ୍ଲାର ୬୬୯ ହେକ୍ଟର ଚାଷ ଜମିରେ ସପୁରି ଚାଷ କରାଯାଉଛି । ରାୟଗଡ ବ୍ଲକରେ ସର୍ବାଧିକ ଚାଷ ହେଉଥିବା ବେଳେ ବର୍ଷକୁ ଏଠାରେ ପ୍ରାୟ ୨ ହଜାର ମେଟ୍ରିକ୍‌ ଟନ୍‌ ଉତ୍ପାଦିତ ହୋଇଥାଏ । ରାୟଗଡ଼ ବ୍ଲକ୍‌ର ଡାମ୍ବାଲା ପଞ୍ଚାୟତ ସିନ୍ଧବାରେ ପ୍ରୋସେସିଂ ୟୁନିଟ୍‌ ରହିଛି । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ଏହା ପରିଚାଳିତ ହେଉଛି । ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଏଠାରେ ସପୁରିକୁ ପ୍ରୋସେସିଂ କରି ବିଭିନ୍ନ ସାମଗ୍ରୀ ତିଆରି କରିଥାଆନ୍ତି । ଏହି ସବୁ ସାମଗ୍ରୀକୁ ଇନ୍ଦୋରର ଏକ ନିର୍ଦ୍ଦିଷ୍ଟ ସଂସ୍ଥା କିଣି ନେଇଥାଏ ।