ନୂଆଦିଲ୍ଲୀ: ୭୬ ତମ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ବୀରତା ପୁରସ୍କାର ପାଇବାକୁ ବୀର ଯବାନଙ୍କ ନାଁ ଘୋଷଣା ହୋଇଛି । ୯୩ ଯବାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯିବ । ସେଥିମଧ୍ୟରୁ ୧୧ ଜଣଙ୍କୁ ମରଣୋତ୍ତର ପୁରସ୍କାର ଦିଆଯିବ । ମେଜର ମନଜିତ୍ ଏବଂ ନାୟକ ଦିଲୱର ଖାନଙ୍କୁ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯିବ । ସେହିପରି ୧୪ ବୀର (ତିନି ଜଣଙ୍କୁ ମରଣୋତ୍ତର)ଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯିବାକୁ ଥିବା ବେଳେ ଜଣଙ୍କୁ ଓ୍ବାର ଟୁ ସେନା ମେଡାଲ ଦିଆଯିବ । କୀର୍ତ୍ତି ଚକ୍ର ଭାରତର ଶାନ୍ତି ସମୟର ସର୍ବୋଚ୍ଚ ବୀରତା ପଦକ ଅଟେ ।
ଏହି ପଦକ ଯବାନଙ୍କୁ ସେମାନଙ୍କ ଅସାଧାରଣ ବୀରତା ଏବଂ ଅଦମ୍ୟ ସାହସ ପାଇଁ ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ପଞ୍ଜାବ ରେଜିମେଣ୍ଟର ମେଜର ମନଜିତ୍ ଏବଂ ଆର୍ଟିଲରୀ ୨୮ ରାଷ୍ଟ୍ରୀୟ ରାଇଫଲ୍ସର ଦିଲୱର ଖାନ (ମରଣୋତ୍ତର)ଙ୍କୁ କୀର୍ତ୍ତି ଚକ୍ର ପ୍ରଦାନ କରାଯିବ । ଏହା ବ୍ୟତୀତ ସେନା ମେଡାଲ (ବୀରତା) ଲାଗି ୬୬ ଜଣ, ନୌସେନା ମେଡାଲ (ବୀରତା) ପାଇଁ ୨ ଏବଂ ୮ ଯବାନଙ୍କୁ ମିଳିବ ବାୟୁ ସେନା ବୀରତା ମେଡାଲ ।
ଏହା ବ୍ୟତୀତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବଳ ଏବଂ ଅନ୍ୟ କର୍ମଚାରୀଙ୍କୁ ୩୦୫ ରକ୍ଷା ଅଳଙ୍କରଣ ପ୍ରଦାନ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଏଥିରେ ୩୦ ପରମ ବିଶିଷ୍ଟ ସେବା ମେଡାଲ, ୫ ଉତ୍ତମ ଯୁଦ୍ଧ ସେବା ମେଡାଲ, ୫୭ ଅତି ବିଶିଷ୍ଟ ସେବା ପଦକ, ୧୦ ଯୁଦ୍ଧ ସେବା ମେଡାଲ, ୧ ୱାର ଟୁ ସେନା ମେଡାଲ, ୧୫ ବାୟୁସେନା ପଦକ (କର୍ତ୍ତବ୍ୟ ପ୍ରତି ସମର୍ପଣ), ୪ ୱାର୍ ଟୁ ବିଶିଷ୍ଟ ସେବା ମେଡାଲ୍ ଏବଂ ୧୩୨ ବିଶିଷ୍ଟ ସେବା ମେଡାଲ ସାମିଲ ରହିଛି ।