ଭୁବନେଶ୍ୱର,୨୮/୧୧: ଗଣ୍ଡମୁଣ୍ଡାରୁ ଜାଗମରା ଛକରେ ବଡ଼ ବଡ଼ ଗାତ ଖୋଳା  ହେଉଛି । ଟିକେ ଅନ୍ୟମନସ୍କ ହେଲେ ସିଧା  ୫ଫୁଟ ତଳେ। ରାସ୍ତାରେ କାଦୁଅ ପାଣି ଭାସୁଛି । ସକାଳେ ସନ୍ଧ୍ୟାରେ ଟ୍ରାଫିକ୍‌ ଭିଡ଼ରେ ପଶି ଗାଡ଼ି  ଚାଳକ ଅଣନିଶ୍ୱାସୀ । ଗଣ୍ଡମୁଣ୍ଡାରୁ ଖଣ୍ଡଗିରି ଦେଢ଼ କିମି ପାରିହେବାକୁ ଘଣ୍ଟାଏରୁ ଅଧିକ  ସମୟ ଲାଗୁଛି । ଘରୋଇ ବିଦ୍ୟୁତ୍‌ ବିତରକ ସଂସ୍ଥାର ମନଇଚ୍ଛା ରାସ୍ତା ଖୋଳାକୁ ନେଇ ନାକେଦମ ହେଲେଣି ଖଣ୍ଡଗିରି ବାସିନ୍ଦା । ଯିଏ  ପାରିଲା ମନଇଚ୍ଛା ରାସ୍ତାକୁ ଖୋଳିଲା । ବିଏମ୍‌ସି  ଅନୁମୋଦନ ଦେଇ ଅଚିନ୍ତାରେ ବସିଛି । ଘରୋଇ ବିଦ୍ୟୁତ୍‌ ସଂସ୍ଥା ପକ୍ଷରୁ ଭୂ-ତଳରେ  ବିଦ୍ୟୁତ୍‌ ତାର ବିଛା ହେଉଛି । ଗଣ୍ଡମୁଣ୍ଡାରୁ  ଖଣ୍ଡିଗିରି ପର୍ଯ୍ୟନ୍ତ ରାସ୍ତାକୁ ଖୋଳାଯାଉଛି । ଫଳରେ  ଏବେ ସମସ୍ୟା ଉପୁଜୁଛି । ଭିଡ଼କୁ ଦୃଷ୍ଟିରେ ରଖି  ଉକ୍ତ ସଂସ୍ଥାକୁ କେବଳ ରାତିରେ କାମ କରିବାକୁ  ଅନୁମତି ମିଳିଛି । ହେଲେ ଏହି ନିୟମକୁ ଫୁରେ  ଉଡ଼ାଇ ସଂପୃକ୍ତ ସଂସ୍ଥା ଦିନ ବେଳା ବି କାମ  କରୁଛି । କାମରେ କୌଣସି ତାଳମେଳ ରହୁନି ।  ଏ ଛକରେ ବିରାଟ ଗାତ ଖୋଳିଲେଣି ତ  ପୁଣି ୧୦-୨୦ ଫୁଟ ଛାଡ଼ି ଆଉ ଗୋଟେ । ଏମିତି  ଖଣ୍ଡଗିରିରୁ ଗଣ୍ଡମୁଣ୍ଡା ଭିତରେ ପ୍ରାୟ ୨୦ରୁ ଅଧିକ  ବଡ ଗାତ ଖୋଳିଛନ୍ତି । ସେଥିରେ ପୁଣି କେଉଁଠି  ସୁରକ୍ଷା ବାଡ଼ ଦେଖାଯାଉନି । ରାସ୍ତା ଖୋଳି କାମ  ସାରିବା ପରେ ଅଧା ପୋତି ଫେରାର । ଫଳରେ  ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଛି ।  

ଖଣ୍ଡଗିରି ରାସ୍ତାରେ ଏୟାରପୋର୍ଟ ଏବଂ ପୋଖରୀପୁଟକୁ ଯୋଡ଼ି ହୋଇଥିବାରୁ ଦୈନିକ ହଜାର ହଜାର ଗାଡ଼ି ଏହି ରାସ୍ତା  ଦେଇ ଚଳପ୍ରଚଳ କରୁଛି । ସକାଳ ୧୦ଟାରୁ  ୧୨ଟା ଏବଂ ସନ୍ଧ୍ୟାରେ ଟ୍ରାଫିକ୍‌ ଭିଡ଼ ହେଉଛି ।  ଗାଡ଼ିମୋଟରର ଲମ୍ବା ଲାଇନ୍‌ ଲାଗୁଛି । ସ୍ଥିତି ଏପରି ଯେ ମାତ୍ର ଦେଢ଼ କିମି ରାସ୍ତାକୁ ପାର  ହେବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗୁଛି । ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୁଲିସର ଦେଖା ମିଳୁନି । ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି ଫସି  ରହୁଛି । ଖାଲି ଏତିକି ନୁହେଁ, ଷ୍ଟ୍ରିଟ୍‌ ଲାଇଟ୍‌  ବି ଜଳୁନି । ମାସେ ହେଲା ଖରାପ ରହିଛ ।  ରାସ୍ତା ଗାତ ଓ ବ୍ୟାରିକେଡ୍‌ ଦେଖାଯାଉନି ।  ଯଦି ରାତିବେଳା ଗାଡ଼ିରେ ଆସିଲେ ଦୁର୍ଘଟଣା  ହେବା ନିଶ୍ଚିତ । ବଡ଼ ଧରଣର ଦୁର୍ଘଟଣା ପାଇଁ ଜନଜୀବନ ହାନି ହେବା ସମ୍ଭାବନା ରହୁଛି ।  

ଖାଲି ଏହି ସ୍ଥାନ ନୁହେଁ, ଚନ୍ଦ୍ରଶେଖରପୁର,  ପୁରୁଣା ଭୁବନେଶ୍ୱର, ରସୁଲଗଡ ଭଳି ଅଞ୍ଚଳରେ  ବି ଗାତ ଖୋଳା ହେଉଛି । ରାସ୍ତା ଉପରେ ମେସିନ୍‌  ରଖି ଠିକା ସଂସ୍ଥା ଛୁ ମାରୁଛି । ଫଳରେ ଭିଡ ବଢୁଛି ।  ରାଜଧାନୀକୁ ଖୋଳିତାଜି ଛାରଖାର କଲେଣି ।  ହେଲେ ବିଏମ୍‌ସି ହାତବାନ୍ଧି ବସିଛି । ମନଇଚ୍ଛା  ଖୋଳତାଡ ଉପରେ ବିଏମ୍‌ସି ରୋକ ଲଗାଇଥିଲା ।  ଜରୁରୀ ନଥିଲେ ଖୋଳିବା ଅନୁମୋଦନ ଦିଆଯିବନି  ବୋଲି ନିଷ୍ପତ୍ତି ହୋଇଥିଲା । ଖାଲି ଏତିକି ନୁହେଁ,  ବିଏମ୍‌ସିର ବିନା ଅନୁମୋଦନରେ ଖୋଳତାଡ଼  କଲେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲା ।  ବିଏମ୍‌ସିର ବାରଣ ସତ୍ତେ୍ୱ ସଂସ୍ଥା କିପରି ରାସ୍ତା  ଖୋଳିଲା । ଏହାକୁ କିଏ ଅନୁମୋଦନ ଦେଲା । ଯାହାକୁ ନେଇ ପ୍ରଶ୍ନ ଉଠଛି ।  

ଏ ସମ୍ପର୍କରେ ମେୟର ସୁଲୋଚନା ଦାସ  କହିଛନ୍ତି, ଝଡ଼ପବନରୁ ରକ୍ଷା ପାଇଁ ଭୂ-ତଳ  ବିଦ୍ୟୁତ୍‌ ତାର ବିଛା ହେଉଛି । ଆମେ ସଂପୃକ୍ତ ଘରୋଇ ସଂସ୍ଥାକୁ ତାଗିଦ କରିଛୁ । ଦିନ ବେଳା  କାମ ନ କରିବାକୁ ନିଷ୍ପତ୍ତି ହୋଇଛି । ରାସ୍ତାକୁ  ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଛୁ। ଯଦି ଏହାକୁ ଖିଲପ କରାଯାଏ, ତାହାଲେ  ଅନୁମତି ବାତିଲ କରାଯିବ ।