କଟକ, ୨୩/୫ : କଟକ ସଦର ଅଞ୍ଚଳର ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ବଳତ୍କାର କରିବା ଅଭିଯୋଗର ଶୁଣାଣି କରି କଟକ ଫାଷ୍ଟ ଟ୍ରାକ କୋର୍ଟ ୩ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି । ଜରିମାନା ବାବଦ ୩୦,୦୦୦ଟଙ୍କା ଦେବେ ତିନି ଅଭିଯୁକ୍ତ । ଜରିମାନା ଅନାଦେୟ ୨ବର୍ଷ ଲେଖାଏଁ ଅଧିକ କାରାଦଣ୍ଡାଦେଶ ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି ।
ମମାଲରୁ ପ୍ରକାଶ ଯେ, ୨୦୨୧ମସିହାରେ କଟକ ସଦର ଅଂଚଳରେ ଘଟିଥିଲା ଏହି ବଳାତ୍କାର ଘଟଣା । ଏକ ମାନସିକ ବିକାରଗସ୍ତ ଯୁବତୀଙ୍କୁ ଉକ୍ତ ଅଞ୍ଚଳର ମଙ୍ଗରାଜ ଭୋଇ, ଅରୁତମ ଭୋଇ ଓ ଅମର ଭୋଇ ପ୍ରଲୋଭନ ଦେଖାଇ ଗଣବଳାତ୍କାର କରିଥିଲେ। ଏପରିକି ଏହି ବିଷୟରେ କାହାରିକୁ କହିଲେ ଯୁବତୀକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ସମୟ ଗଡ଼ିବା ସହ ଗର୍ଭବତୀ ହୋଇ ଏସସିବି ମେଡ଼ିକାଲରେ ଏକ ଶିଶୁକୁ ଜନ୍ମ ଦେଇଥିଲେ ମାନସିକ ବିକାରଗସ୍ତ ଯୁବତୀ । କିନ୍ତୁ ଦୁଇ ଦିନ ମଧ୍ୟରେ ଶିଶୁଟି ମୃତ ବରଣ କରିଥିଲା । ପୀଡ଼ିତା ଜଣଙ୍କ ଅଭିଯୁକ୍ତଙ୍କୁ ଏହି ବିଷୟରେ ଜଣାଇବାପରେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ତିନି ଜଣ ଅଭିଯୁକ୍ତ ।
ଏହାପରେ ପୀଡ଼ିତାଙ୍କ ଭାଇ ଏହି ଘଟଣା ବିଷୟରେ ଜାଣି ସ୍ଥାନୀୟ ଥାନାରେ ଏତେଲା କରିବା ପରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୀଡିତାଙ୍କୁ ୮ଲକ୍ଷ ଟଙ୍କା କ୍ଷତିପୂରଣ ବାବଦ ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକାରଣଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ । ରାଜ୍ୟ ସରକାରଙ୍କ ପକ୍ଷରୁ ଶୁଭେନ୍ଦ୍ର ପ୍ରସାଦ ମହାନ୍ତି ଏହି ମମାଲା ପରିଚାଳନା କରୁଥିଲେ।