ଗ୍ୟାଙ୍ଗ୍ଷ୍ଟର ସୋନୁର ସୁରକ୍ଷା ବ୍ୟବସ୍ଥା ଢିଲା, ଜଣେ କନେଷ୍ଟବଳକୁ ବସାଇ ଅନ୍ୟସବୁ କର୍ମଚାରୀ ବୁଲୁଥିଲେ…

ସମ୍ବଲପୁର,୨୪/୦୬: ପ୍ରାୟ ବର୍ଷକ ତଳେ ସମ୍ବଲପୁର ଜେଲ୍ରେ ରହୁଥିବା କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର୍ ଶେଖ୍ ହାଇଦର କଟକ ବଡ଼ ଡାକ୍ତରଖାନାରୁ ପୁଲିସ୍ ହେପାଜତରେ ଥିବା ବେଳେ ଫେରାର୍ ହୋଇଯାଇଥିଲା । ଯଦିଓ ପରେ ହାଇଦରକୁ ପୁଲିସ୍ ଧରିବା ସହ ଏନ୍କାଉଣ୍ଟର କରିଥିଲା ତଥାପି କୁଖ୍ୟାତ ଅପରାଧୀଙ୍କ ଏସକର୍ଟରେ ହେଳା ଜଳ ଜଳ ବାରି ହୋଇପଡ଼ିଥିଲା । ଯାହା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା । ହେଲେ ଏହି ଘଟଣା ପରେ ବି ଜେଲ୍ ବିଭାଗ କିଛି ଶିଖିଲାନି । ଝାରସୁଗୁଡ଼ାର ତଥା ପଶ୍ଚିମ ଓଡ଼ିଶାର ଅନ୍ୟତମ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ସୋନୁ ଘୋଷ୍ର ସୁରକ୍ଷାରେ ବି ଅନୁରୂପ ଢିଲା ଦେଖିବାକୁ ମିଳିଛି । ଗୁରୁବାର ବୁର୍ଲା ବଡ଼ ଡାକ୍ତରଖାନାରେ ଏଭଳି କିଛି ଦୃଶ୍ୟ ସାଧାରଣ ଲୋକଙ୍କୁ ବି ଚକିତ କରିଦେଇଥିଲା । ଘଟଣା ସମ୍ପର୍କରେ ଝାରସୁଗୁଡ଼ା ଜେଲ୍ର ଦେବେନ୍ଦ୍ର ଥାଟିଙ୍କୁ ପଚାରିବାରେ, ସୋନୁକୁ ପୁଲିସ୍ ଏସକର୍ଟରେ ନିଆଯାଇଥିବା ବେଳେ ସୁରକ୍ଷା ଢିଲା ସମ୍ପର୍କରେ କୌଣସି ସୂଚନା ନଥିବା କହିଥିଲେ । ସେପଟେ, ଜେଲ୍ ଡିଆଇଜି ଅନୁସୟା ଜେନାଙ୍କୁ ଏନେଇ ପଚାରିବାରେ, ଘଟଣାର ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।
ସୂଚନା ଅନୁସାରେ, କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ସୋନୁ ଘୋଷକୁ ୨୦୧୯ ଡିସେମ୍ବର ମାସରେ ଝାରସୁଗୁଡ଼ା ପୁଲିସ୍ ଜାତୀୟ ସୁରକ୍ଷା ଆଇନ୍ ଅନ୍ତର୍ଗତ ଗିରଫ କରିଥିଲା । ଏହା ପରଠାରୁ ସେ ଝାରସୁଗୁଡ଼ା ଉପ କାରାଗାରରେ ରହୁଛି । ଏନ୍କାଉଣ୍ଟର ଯୋଗୁ ସୋନୁର ଗୋଡ଼ରେ ଗୁଳି ବାଜିଥିଲା । ଉକ୍ତ ଗୁଳି ବାହାରି ଯାଇଥିଲେ ହେଁ ଅନେକ ସମୟରେ ସେହି ସ୍ଥାନରେ ଦରଜ ହେବା ସହ ସୋନୁ ଯନ୍ତ୍ରଣାରେ ଛଟପଟ ହେଉଛି । ତେଣୁ ତାକୁ ନିୟମିତ ବ୍ୟବଧାନରେ ବୁର୍ଲା ବଡ଼ ଡାକ୍ତରଖାନାର ନ୍ୟୁରୋ ସର୍ଜରି ବିଭାଗରେ ଚିକିତ୍ସିତ କରାଯାଉଥିବା ନେଇ ସୂଚନା ମିଳିଛି ।
ବୁଧବାର ସୋନୁର ପୁଣିଥରେ ଯନ୍ତ୍ରଣା ହେବାରୁ ୧/୪ ପୁଲିସ୍ ଏସକର୍ଟରେ ତାକୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା । ହେଲେ ବୁର୍ଲା ବଡ଼ ଡାକ୍ତରଖାନାରେ ପହଞ୍ଚିବା ପରେ କେବଳ ଜଣେ କନେଷ୍ଟବଳଙ୍କ ଭରସାରେ ସୋନୁକୁ ଏକ ଗଛତଳେ ବସାଇ କାର୍ଯ୍ୟରତ ପୁଲିସ୍ ଅଧିକାରୀ ଓ ଜେଲ୍ କର୍ମଚାରୀ ଦୂରରେ ବୁଲୁଥିବା ଘଟଣା ଦେଖିବାକୁ ମିଳିଥିଲା । କିଛି ସମୟ ପରେ ସୋନୁକୁ ନ୍ୟୁରୋସର୍ଜରି ବିଭାଗରୁ ଅର୍ଥୋପେଡ଼ିକ ବିଭାଗକୁ ନିଆଯାଇଥିଲା । କିନ୍ତୁ ସେତେବେଳେ ବି କାର୍ଯ୍ୟରତ ପୁଲିସ୍ ଅଧିକାରୀଙ୍କ ମଧ୍ୟରୁ ୨ ଜଣ ହିଁ ସାଙ୍ଗରେ ଥିବା ବେଳେ ଅନ୍ୟମାନେ ନିଜ ନିଜ କାମରେ ବ୍ୟସ୍ତ ରହିଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା ।
ଜେଲ୍ରେ ଥିବା କୁଖ୍ୟାତ ଅପରାଧୀଙ୍କୁ ବାହାରକୁ ଅଣାଯିବା ସମୟରେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯିବାର ଜେଲ୍ ମାନୁଆଲ୍ରେ ବ୍ୟବସ୍ଥା ରହିଛି । କିନ୍ତୁ ଓଡ଼ିଶା ଜେଲ୍ ବିଭାଗରେ ବାରମ୍ବାର ଏହି ନିୟମର ଉଲ୍ଲଂଘନ ହେଉଥିବା ଘଟଣା ସାମ୍ନାକୁ ଆସୁଛି । ହାଇଦର ଫେରାର୍ ପଛରେ ମଧ୍ୟ ଡ୍ୟୁଟିରେ ଥିବା ପୁଲିସ୍ ଓ ଜେଲ୍ କର୍ମଚାରୀଙ୍କ ଏହି ଅବହେଳା ମୁଖ୍ୟ କାରଣଥିଲା । ମାତ୍ର ଏହି ଘଟଣା ପରେ ବି ଜେଲ୍ ବିଭାଗ କି ପୁଲିସ୍ ଶିକ୍ଷା ପାଇଲାନି ।