ନାରାୟଣପୁର ଜଙ୍ଗଲରୁ ବାଘ ଛାଲ ସହିତ ୧୩୬ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ରାୟଗଡ଼ା, ୩୧/୦୩ : ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ନାରାୟଣପୁର ଜଙ୍ଗଲରୁ ବାଘ ଛାଲ ସହିତ ୧୩୬ କେ.ଜି ଗଞ୍ଜେଇ ଜବତ। ଏହି ଘଟଣାରେ ଜଡ଼ିତ ଥିବା ତିନି ଜଣଙ୍କୁ ଗିରଫ କଲା ପୋଲିସ। ତିନି ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ବନ ବିଭାଗ ସହିତ ମିଳିତ ଭାବରେ ଏହାର ଅଧିକ ତଦନ୍ତ କରାଯିବ ବୋଲି ଏସପି କହିଛନ୍ତି।
ସୂଚନାନୁଯାୟୀ, ନାରାୟଣପୁର ଜଙ୍ଗଲରେ ବାଘ ଛାଲ ଓ ଗଞ୍ଜେଇ ଗଛିତ ଥିବା ନେଇ ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ନାରାୟଣପୁର ଜଙ୍ଗଲରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଜଙ୍ଗଲ ଭିତରେ ଲୁଚାଇ ରଖିଥିବା ୬୪ କେ.ଜି ଗଞ୍ଜେଇ ପ୍ରଥମେ ପୁଲିସ ଧରିଥିଲା। ଏହାପରେ ଅଧିକ ଅନୁସନ୍ଧାନ କରିବାରୁ ଆଉ ୭୨ କେ.ଜି ଗଞ୍ଜେଇ ମିଳିଥିଲା। ସେହି ସ୍ଥାନରେ ଚଢାଉ କରିବା ବେଳେ ଏକ କଲରାପତରିଆ ବାଘ ଛାଲ ପୁଲିସ ଟିମ୍ ଠାବ କରିଥିଲା। ବାଘ ଛାଲର ଲମ୍ବା ପ୍ରାୟ ୪ ଫୁଟ ହେବ ବୋଲି ସୂଚନା ମିଳିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ବିବେକାନନ୍ଦ ଶର୍ମା ଏହି ସୂଚନା ଦେଇଛନ୍ତି।
ଗିରଫ ହୋଇଥିବା ତିନି ଅଭି୍ୁକ୍ତ ହେଲେ ବହୁପଦର ଗ୍ରାମର ନାଗେଶ୍ଵର ମାଝୀ, ସଉଲା ମାଝୀ ଓ ନଉସେନ ମଲ୍ଲିକ। ଗିରଫ ତିନି ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ତେବେ ଖାନ୍ ନାମକ ଜଣେ ବ୍ୟକ୍ତି ଏହି ବାଘ ଛାଲ ଯୋଗାଇଥିବା ସେମାନେ ସୂଚନା ଦେଇଛନ୍ତି। ବନ ବିଭାଗ ସହିତ ମିଳିତ ଭାବରେ ଏହାର ଅଧିକ ତଦନ୍ତ କରାଯିବ ବୋଲି ଏସପି କହିଛନ୍ତି।