ଶୈବପୀଠରେ ଗଞ୍ଜେଇ ମନା, ପ୍ରସାଦ ବାହାନାରେ ଚଳିବନି ଚିଲମ ଟାଣିବା

ଭୁବନେଶ୍ୱର/ଖୋର୍ଦ୍ଧା,୨୩/୦୫: ଶୈବପୀଠରେ ଗଞ୍ଜେଇ ମନା । ମନ୍ଦିର ପରିସରରେ ପ୍ରସାଦ ବାହାନାରେ ଆଉ ଚଳିବନି ଚିଲମରେ ଗଞ୍ଜେଇ ଟାଣିବା । ଓଡ଼ିଶାର ଶୈବପୀଠମାନଙ୍କରେ ଗଞ୍ଜେଇ ବ୍ୟବହାରକୁ ନିଷେଧ କରିଛନ୍ତି ଓଡ଼ିଶା ସରକାର । ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଚିଠି ଲେଖିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ଗତ ୧୦ ତାରିଖରେ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଏ ସମ୍ପର୍କରେ ପଦକ୍ଷେପ ନେବା ପାଇଁ ଚିଠି ଲେଖି ଜଣାଇଛନ୍ତି । ବିଭିନ୍ନ ଶୈବପୀଠମାନଙ୍କରେ ଗଞ୍ଜେଇ ବ୍ୟବହାର ବନ୍ଦ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
କିଛି ଦିନ ତଳେ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ରାଜ୍ୟର ପ୍ରମୁଖ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ ଆଖଣ୍ଡଳମଣିଙ୍କ ପୀଠରେ ବହୁଳ ଭାବେ ଗଞ୍ଜେଇ ବ୍ୟବହାର ନେଇ ସଂସ୍କୃତି ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ କୁହାଯାଇଥିଲା, ଶିବ ଭଗବାନ ଗଞ୍ଜେଇକୁ କେବେ ସେବନ କରନ୍ତି ନାହିଁ । ବରଂ ସମୟ କ୍ରମେ ଏହା ଅନ୍ଧବିଶ୍ୱାସରେ ପରିଣିତ ହୋଇଛି । ତେଣୁ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଶୈବପୀଠକୁ ନିଶାମୁକ୍ତ କରାଯାଉ ।

ଶୈବପୀଠ ପରିସରକୁ ଗଞ୍ଜେଇ ଓ ଭାଙ୍ଗ ଭଳି ନିଶାଦ୍ରବ୍ୟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଉ । ଅଭିଯୋଗ ପାଇ ସଂସ୍କୃତି ବିଭାଗ ପଦକ୍ଷେପ ନେଇଛି । କିନ୍ତୁ ଏହି ନିର୍ଦ୍ଦେଶନାମା କେତେଦୂର ପାଳନ ହେବ ଏବଂ ମନ୍ଦିର ପରିଚାଳନା କମିଟି ଏହାକୁ କିପରି ଗ୍ରହଣ କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଏହି ଚିଠିରେ ନିର୍ଦ୍ଦେଶନାମାକୁ ଅବମାନନା କଲେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଉଲ୍ଲେଖ ନାହିଁ । ଫଳରେ ବିଭାଗୀୟ ଅନ୍ୟ ନିର୍ଦ୍ଦେଶନାମା ପରି ଏହା କାର୍ଯ୍ୟକାରୀ ହେବ ନା’ ଶୀତଳଭଣ୍ଡାରରେ ପଡ଼ି ରହିବ ତାହା ସମୟ କହିବ ।